ଖଲ୍ଲିକୋଟ୍: ନିକଟରେ ଖଲ୍ଲିକୋଟ୍ ପ୍ରାକ୍ ନିର୍ବାଚନୀ ହିଂସାକୁ ନେଇ ଅସ୍ଥିର ରହିଛି ରାଜନୈତିକ ମାହୋଲ । ଏହି ମାମଲାରେ ଏସପିଙ୍କ ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଚାରି ଜଣ ପୋଲିସ କର୍ମଚାରୀଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ଏହା ସହ ୮ ଜଣ ଆକ୍ରମଣକାରୀଙ୍କୁ ପୋଲିସ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି ।
ଅପରପକ୍ଷରେ ଗଞ୍ଜାମ ଖଲ୍ଲିକୋଟରେ ହୋଇଥିବା ନିର୍ବାଚନୀ ହିଂସାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିନ୍ଦା କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଖଲ୍ଲିକୋଟ ଅଞ୍ଚଳରେ ଘଟିଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ତଥା ଦୁଃଖଦ। ମୁଁ ଏନେଇ ଗଭୀର ବିବ୍ରତ ଓ ଦୁଃଖିତ । ଏଭଳି ହିଂସା ଘଟଣାର ଆମ ଗଣତନ୍ତ୍ର ଏବଂ ନାଗରିକ ସମାଜରେ କୌଣସି ସ୍ଥାନ ନାହିଁ । ମୁଁ ଏହି ଘଟଣାକୁ ଦୃଢ଼ ନିନ୍ଦା କରୁଛି। ନିଜ ପ୍ରିୟଜନଙ୍କୁ ହରାଇଥିବା ପୀଡ଼ିତ ପରିବାରଙ୍କୁ ମୋର ଗଭୀର ସମବେଦନା । ଆହତମାନଙ୍କ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି । ମୁଁ ନିଶ୍ଚିତ ଯେ, ଏହି ଜଘନ୍ୟ ଅପରାଧୀଙ୍କ ବିରୋଧରେ ପୋଲିସ ଦୃଢ଼ ତଥା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । କହିରଖୁଛୁ ଖଲ୍ଲିକୋଟରେ ଦେଖାଯାଇଥିବା ହିଂସାକାଣ୍ଡକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ଏହାର ପ୍ରତିବାଦ କରି ସେମାନେ ଟାୟାର ଜାଳି ରାସ୍ତାରୋକ କରିଥିଲେ ।