ଓଡ଼ିଶା ଭାସ୍କର: ଆପଣଙ୍କ ପିଲା ପ୍ରଥମ ଥର ପାଇଁ ସ୍କୁଲ ଯାଉଛି କି ? ଏହା ସେମାନଙ୍କ ପାଇଁ କୌଣସି ସୁନ୍ଦର ଅନୁଭୂତି ଠାରୁ କମ୍ ନୁହେଁ । ପ୍ରଥମ ଥର ସ୍କୁଲ ଗଲେ ପିଲାଙ୍କୁ ଡର ଲାଗିଥାଏ । ସେମାନେ ନର୍ଭସ ଅନୁଭବ କରିଥାନ୍ତି । ଏଭଳି ସ୍ଥିତିରେ ମାତା ପିତାମାନେ ପିଲାଙ୍କୁ ନୂତନ ସ୍କୁଲ ପରିବେଶରେ ଆଡଜଷ୍ଟ କରାଇବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାନ୍ତି । ମାତା ପିତା ଓ ଅଭିଭାବକଙ୍କ ସପୋର୍ଟ ପିଲାଙ୍କୁ ନୂତନ ଦୁନିଆରେ ପାଦ ଥାପିବା ପାଇଁ ଉତ୍ସାହିତ କରିଥାଏ । ତେବେ ପିଲାଙ୍କୁ ସ୍କୁଲ ପଠାଇବା ପୂର୍ବରୁ ଏହି ସବୁ କଥା ଶିଖାଇବା ଗୁରୁତ୍ୱପୂର୍ଣ୍ଣ ଅଟେ ।
୧. ସ୍ୱଚ୍ଛତା: ସ୍କୁଲରେ କ୍ଳିନିଂ ଷ୍ଟାଫ୍ ଉପଲବ୍ଧ ରହିଲେ ମଧ୍ୟ ପିଲାଙ୍କୁ ପ୍ରଥମେ ସ୍ୱଚ୍ଛତା ବିଷୟରେ ଅବଗତ କରାନ୍ତୁ । ନିଜର ଯତ୍ନ ନେବା ଓ ଆଖପାଖ ପରିବେଶଷକୁ ସ୍ୱଚ୍ଛ ରଖିବା ଦିଗରେ ପ୍ରୋତ୍ସାହିତ କରନ୍ତୁ । ଏହା ଦ୍ୱାରା ସେମାନେ କୌଣସି ପ୍ରକାର ସଂକ୍ରମଣରୁ ରକ୍ଷା ପାଇଁ ପାରିବେ ।
୨. ଟଏଲେଟ୍ ବ୍ୟବହାର: ଛୋଟ ପିଲାଙ୍କୁ ଟଏଲେଟ୍ ବ୍ୟବହାର କରିବା ପାଇଁ ଅସୁବିଧା ହୋଇଥାଏ । ଘର ପରିବେଶରେ ବଢ଼ିଥିବା ପିଲା ହଠାତ ସ୍କୁଲରେ ଅଧିକ ଲୋକଙ୍କୁ ଦେଖି ଘାବରାଇଯିବା ସ୍ୱାଭାବିକ । ଏଥିପାଇଁ ସେମାନଙ୍କୁ ଟଏଲେଟ୍ ବ୍ୟବହାର କରିବା ପାଇଁ କିଛି ସହଜ ଟିପ୍ସ ଶିଖାଇ ପାରିବେ । ଯେପରି ଟଏଲେଟ ବ୍ୟବହାର କରିବା ପରେ ପାଣି ଢ଼ାଳିବା, ଚପଲ ବ୍ୟବହାର କରିବା ଇତ୍ୟାଦି । ଏହା ବ୍ୟତୀତ କିଛି ଅସୁବିଧା ହେଲେ ଶିକ୍ଷକଙ୍କୁ ଜଣାଇବା ପାଇଁ ପ୍ରୋତ୍ସାହିତ କରିବା ।
୩. ହାତ ଧୋଇବା: ପିଲାମାନେ ଚଞ୍ଚଳ ପ୍ରକୃତିର ଥାନ୍ତି । ତେଣୁ ଅଧିକାଂଶ ସମୟରେ ହାତ ଧୋଇବା ଭୁଲି ଯାଇଥାନ୍ତି । ମାତା ପିତାମାନେ ପିଲାଙ୍କୁ ଖାଇବା ପୂର୍ବରୁ ଓ ପରେ, ଟଏଲେଟ ଯିବା ପରେ ଭଲ ଭାବରେ ହାତ ଧୋଇବା ଅଭ୍ୟାସ ବିଷୟରେ ସୂଚିତ କରିବା ଉଚିତ । ଏହା ସହ ପିଲାଙ୍କୁ ରୁମାଲ ବ୍ୟବହାର ବିଷୟରେ ଶିକ୍ଷା ଦିଅନ୍ତୁ ।
୪. ଥ୍ୟାଙ୍କ୍ ୟୁ ଏବଂ ସରି: ସ୍କୁଲର କିଛି ନିୟମ ରହିଛି । ସେହି ନିୟମର ଅନୁପାଳନ ବିଷୟରେ ପିଲାଙ୍କୁ ପୂର୍ବରୁ ଅବଗତ କରାନ୍ତୁ । ସ୍କୁଲରେ ନିଜଠାରୁ ବଡ଼ ବ୍ୟକ୍ତିଙ୍କ ସହ ସାଙ୍ଗସାଥିଙ୍କୁ ମଧ୍ୟ ସମ୍ମାନ ଦେବା ଶିଖାନ୍ତୁ । ଗୁଡମର୍ଣ୍ଣିଂ, ଥ୍ୟାଙ୍କ୍ ୟୁ ଏବଂ ସରି ଭଳି ଶବ୍ଦର ବ୍ୟବହାର କରିବା ପାଇଁ ଉତ୍ସାହିତ କରନ୍ତୁ ।
୫. ବନ୍ଧୁତା ସ୍ଥାପନ କରିବା: ପିଲାଙ୍କୁ ନୂଆ ବାତାବରଣରେ ଆଡଜଷ୍ଟ ହେବା ପାଇଁ ଟିକେ ସମୟ ଲାଗିଥାଏ । କିପରି ଅନ୍ୟ ସହ କଥା ହେବେ, ଏକାଠି ଟିଫିନ୍ କରିବେ, ଖେଳିବେ, ଝଗଡ଼ା କରିବା ଠାରୁ ଦୂରେଇ ରହିବେ ଇତ୍ୟାଦି ବିଷୟରେ କିଛି ସହଜ ଟିପ୍ସ ଦିଅନ୍ତୁ । ଏହା ଦ୍ୱାରା ସେମାନଙ୍କୁ ବନ୍ଧୁତା ସ୍ଥାପନ କରିବା ସହଜ ହୋଇଥାଏ ।
୬. ଶିକ୍ଷକଙ୍କୁ ସମସ୍ୟା ବିଷୟରେ ଜଣାଇବା: ପ୍ରତ୍ୟେକ ମାତା ପିତାମାନେ ପିଲାଙ୍କୁ ବୁଝାଇବା ଉଚିତ ଯେ ସ୍କୁଲରେ ସେମାନଙ୍କ ଦେଖାଶୁଣା କରିବା ପାଇଁ ଶିକ୍ଷକଙ୍କ ଅଛନ୍ତି । ତେଣୁ କୌଣସି ସମସ୍ୟା ହେଲେ ସେମାନଙ୍କୁ ଜଣାଇବା ଉଚିତ ।