ଯୌତୁକ ନିର୍ଯାତନା, ଲଣ୍ଡା କରିଦେଲା ସ୍ୱାମୀ, ଶେଷରେ ଆତ୍ମହତ୍ୟା କଲେ ମହିଳା ଓ ଦେଢ଼ ବର୍ଷର ଝିଅ

ଯୌତୁକ ପାଇଁ ଲଣ୍ଡା କଲେ, ସହିନପାରି ଆତ୍ମହତ୍ୟା କଲେ ମହିଳା ଓ ତାଙ୍କ ଦେଢ଼ ବର୍ଷୀୟା ଝିଅ

କେରଳ: ଯୌତୁକ ନିଆଁରେ କୁହୁଳି କୁହୁଳି ଶେଷରେ ମହିଳା ଏବଂ ତାଙ୍କ ଦେଢ଼ ବର୍ଷୀୟା ଝିଅ ଜୀବନ ହାରିଦେଲେ। ଶାଶୂଘର ଲୋକେ ଦେଉଥିଲେ ଅକଥନୀୟ ନିର୍ଯାତନା। ମାଡ଼ ମାରିବା ସହିତ ଲଣ୍ଡା ମଧ୍ୟ କରିଦେଇଥିଲେ।

UAEରେ କେରଳର ଜଣେ ମହିଳା ତାଙ୍କ ଦେଢ଼ ବର୍ଷୀୟା ଝିଅକୁ ହତ୍ୟା କରି ନିଜେ ମଧ୍ୟ ଆତ୍ମହତ୍ୟା କରିଛନ୍ତି।
କୋଲାମର କୁଣ୍ଡାରା ପୋଲିସ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ, 8 ଜୁଲାଇରେ ଶାରଜାହରେ ଅଲ୍ ନାହଦାରେ 32 ବର୍ଷୀୟା ବିପାଞ୍ଜିକା ମଣି ତାଙ୍କ ଦେଢ଼ ବର୍ଷୀୟା ଝିଅ ବୈଭାବୀଙ୍କ ସହିତ ମୃତ ଅବସ୍ଥାରେ ମିଳିଥିଲେ।

ତାଙ୍କ ମାଆଙ୍କ ଅଭିଯୋଗ ଅନୁସାରେ, ବିପାଞ୍ଜିକାଙ୍କ ସ୍ୱାମୀ ନିଧିଶଙ୍କୁ ପ୍ରଥମ ଅଭିଯୁକ୍ତ ଭାବରେ ନାମିତ କରାଯାଇଛି ଏବଂ ତା ପରେ ତାଙ୍କ ଭଉଣୀ ନୀତୁ ଓ ସେମାନଙ୍କ ବାପା ଏହି ଅପରାଧରେ ସାମିଲ ବୋଲି କୁହାଯାଇଛି। ଯୌତୁକ ପାଇଁ ବିପାଞ୍ଜିକାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଇଥିଲା ବୋଲି ମଧ୍ୟ ତାଙ୍କ ମାଆ କହିଛନ୍ତି।

ସେ କହିଛନ୍ତି ଯେ, ଯେତିକି ଯୌତୁକ ଦିଆଯାଇଥିଲେ ତାହା ସେମାନଙ୍କ ପାଇଁ ଯଥେଷ୍ଟ ନଥିଲା। ସେଥିପାଇଁ ସେମାନେ ଝିଅକୁ ବହୁତ ନିର୍ଯାତନା ଦେବା ସହିତ ମାଡ଼ ମଧ୍ୟ ମାରୁଥିଲେ।

ଏହା ସହ ବିପାଞ୍ଜିକା ଗୋରା ଏବଂ ତାଙ୍କ ସ୍ୱାମୀ ଓ ପରିବାର ଲୋକେ କଳା ରଙ୍ଗର ହୋଇଥିବାରୁ ସେ ଯେପରି ଭଲ ଦେଖା ନ ଯାଆନ୍ତି ସେଥିପାଇଁ ତାଙ୍କୁ ଲଣ୍ଡା ମଧ୍ୟ କରିଦିଆଯାଇଥିଲା।

ତାଙ୍କ ସ୍ୱାମୀଙ୍କର ମଧ୍ୟ ଅନ୍ୟ ଝିଅଙ୍କ ସହିତ ଖରାପ ସମ୍ପର୍କ ଥିଲା, ଏହାକୁ ଯେତେବେଳେ ବିପାଞ୍ଜିକା ବିରୋଧ କରିଥିଲେ ସେତେବେଳେ ତାଙ୍କୁ ଛାଡପତ୍ର ନୋଟିସ ଦିଆଯାଇଥିଲା।

ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା 85 (ସ୍ୱାମୀ କିମ୍ବା ମହିଳାଙ୍କ ସ୍ୱାମୀଙ୍କ ସମ୍ପର୍କୀୟଙ୍କ ଦ୍ୱାରା ନିର୍ଯାତନାର ଶିକାର ହେବା) ଏବଂ 108 (ଆତ୍ମହତ୍ୟା ପାଇଁ ପ୍ରୋତ୍ସାହନ) ସହିତ ଯୌତୁକ ନିରୋଧ ଆଇନ, 1961 ର ଧାରା 3 (ଯୌତୁକ ଦେବା କିମ୍ବା ନେବା ପାଇଁ ଦଣ୍ଡ) ଏବଂ 4 (ଯୌତୁକ ଦାବି କରିବା ପାଇଁ ଦଣ୍ଡ) ଅନୁଯାୟୀ ମାମଲା ରୁଜୁ କରାଯାଇଛି।

କୋଲ୍ଲମର ମୂଳ ବାସିନ୍ଦା ବିପାଞ୍ଜିକା ତାଙ୍କ ଫେସବୁକ୍ ଆକାଉଣ୍ଟରେ ଏକ ଆତ୍ମହତ୍ୟା ନୋଟ୍ ମଧ୍ୟ ପୋଷ୍ଟ କରିଥିଲେ। ଘଟଣା ପରେ ତାଙ୍କ ଦ୍ୱାରା ଲିଖିତ ଏବଂ ଉଦ୍ଧାର ହୋଇଥିବା ଏକ ହାତଲେଖା ଚିଠିରେ ଦୁଷ୍କର୍ମର ଆହୁରି ଅଭିଯୋଗ ରହିଛି।

ଏହି ସବୁ ପ୍ରମାଣକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି ଏବଂ କହିଛି ଯେ, ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦିଆଯିବ।