fbpx

ରାଜାରାଣୀ ବସ୍ତିରେ ‘ଆଶ୍ରା’ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା ଶିବିର: ବିକାଶ ପାଇଁ ଚାଲିଛି ଚେଷ୍ଟା

ଭୁବନେଶ୍ଵର: ସ୍ଥାନୀୟ ରାଜାରାଣୀ ବସ୍ତିରେ ସାମାଜିକ ସଂଗଠନ ‘ଆଶ୍ରା’ ପକ୍ଷରୁ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିରର ଆୟୋଜିତ ହୋଇଛି । ପୋଷଣ ଅଭାବରୁ ବିଭିନ୍ନ ରୋଗ ବ୍ୟାଧିର ଶିକାର ହେଉଥିବା ପିଲାମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଶିବିରରେ ଇଣ୍ଡିଆନ ଲିଭର ପେସେଣ୍ଟ ଫାଉଣ୍ଡେସନର ପକ୍ଷରୁ ଛୋଟ ପିଲାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି ଅବସରରେ ପିଲାମାନଙ୍କୁ ପୃଷ୍ଠିକର ଖାଦ୍ୟ ବଣ୍ଟନ କରାଯାଇଛି।

ପିଲାମାନଙ୍କୁ କ୍ଷୀର ଓ ପୁଷ୍ଟିଯୁକ୍ତ ପାନୀୟ ପିଇବାକୁ ଦିଆଯାଇଥିବା ବେଳେ ଛତୁଆ, ବିସ୍କୁଟ, କେକ ଏବଂ ଫଳ ଇତ୍ୟାଦିରେ ଭରା ୬୫ ପାକେଟ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜଣାଶୁଣା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅନିଲ ଶର୍ମା ଓ ଡାକ୍ତର ଶାଳିନୀ ଦାଶ ଯୋଗ ଦେଇ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ପରାମର୍ଶ ଦେଇଥିଲେ । ଆଶ୍ରା ଫାଉଣ୍ଡେସନ ଓଡିଶା ଗତ ୨ ବର୍ଷ ଧରି ଏହି କାର୍ଯ୍ୟକ୍ରମ ଆୟୋଜନ କରି ଆସୁଥିବା ସୂଚନା ଦେଇଛନ୍ତି ପ୍ରତିଷ୍ଠାତା ସନ୍ତୋଷ ପଟନାୟକ ଏବଂ ଶ୍ରୀନିବାସ ସାହୁ । ଆଶ୍ରା ଫାଉଣ୍ଡେସନ ସଂସ୍ଥା ଏହି ବସ୍ତିର ୪୨ଟି ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରିଛି।

ସୂଚନାଯୋଗ୍ୟ ଯେ, ରାଜାରାଣୀ ବସ୍ତିର ପିଲାମାନଙ୍କ ପାଇଁ ସବୁଠୁ ବଡ଼ ସମସ୍ୟା ପାଲଟିଛି ଶିକ୍ଷା। ଅଧିକାଂଶ ପିଲା ଅଧାରୁ ସ୍କୁଲ ଛାଡୁଥିବା ବେଳେ ଅନେକ ପିଲା ସ୍କୁଲକୁ ଯାଇ ପାରୁନାହାନ୍ତି। ତେଣୁ ବସ୍ତିରେ ଥିବା ଅନେକ କୁନି ପ୍ରତିଭା ଏବଂ ଏଠାକାର ପରିସ୍ଥିତି ସରକାରଙ୍କ ନଜରକୁ ଆଣିବା ପାଇଁ ଚେଷ୍ଟା ଜାରି ରଖିଛି ‘ଆଶ୍ରା ଫାଉଣ୍ଡେସନ’। ବସ୍ତିର ପିଲାମାନଙ୍କ ସ୍ଵାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛି। ପାଠପଢା ଛାଡିଥିବା ପିଲାମାନଙ୍କୁ ପୁଣିଥରେ ସ୍କୁଲ ପଠାଇବା ପାଇଁ ଚେଷ୍ଟା କରୁଛି ସଂସ୍ଥା। ତେବେ ‘ଆଶ୍ରା ଫାଉଣ୍ଡେସନ’ ଉଦ୍ୟମ ପାଇଁ ଗତ ୬ ମାସରେ ପୋଷଣ ଅଭାବଜନିତ ସମସ୍ୟା ସମ୍ପୂର୍ଣ୍ଣ ଲୋପ ପାଇଛି।

Get real time updates directly on you device, subscribe now.