fbpx

ଟିକା ଅନୁପାତକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପରିବର୍ତ୍ତିତ କୋଭିଡ୍ ଟିକାକରଣ ଗାଇଡ଼୍ ଲାଇନ ଅନୁଯାୟୀ, ଘରୋଇ ହସ୍ପିଟାଲ ଗୁଡ଼ିକ ଟିକା ପ୍ରସ୍ତୁତ କମ୍ପାନୀଠାରୁ ସିଧାସଳଖ ଭାବେ ୨୫% ଟିକା କିଣି ପାରିବେ । ବର୍ତମାନ ସୁଦ୍ଧା ଓଡ଼ିଶାର ୭ଟି ହସ୍ପିଟାଲ କମ୍ପାନୀଠାରୁ ଟିକା ପାଇଛନ୍ତି । ଓଡ଼ିଶାରେ ଲୋକସଂଖ୍ୟା ଅନୁପାତରେ ଘରୋଇ ହସ୍ପିଟାଲ ସଂଖ୍ୟା ବହୁତ୍ କମ୍ ଅଟେ, ଏହା ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ମାତ୍ର ୫% ଅଟେ । ଏଥିରେ ଆଶଙ୍କା କରାଯାଉଛି ଯେ ପ୍ରଚଳିତ ଗାଇଡ଼୍ ଲାଇନ ଅନୁସାରେ ରାଜ୍ୟ ତାର ୨୫% ଟିକା ଅନୁମୋଦନ ହରାଇବ ।

ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ସଚିବଙ୍କୁ ଅବଗତ କରି ସାରିଛନ୍ତି । ଏହି ୭୫:୨୫ ଅନୁପାତକୁ ପରିବର୍ତ୍ତନ କରି ୯୫:୫ ପ୍ରତିଶତକୁ ପରିବର୍ତନ କରାଯାଉ, ଯାହା ଫଳରେ ରାଜ୍ୟର ଆନୁପାତିକ ହାରରେ ଘରୋଇ ହସ୍ପିଟାଲ୍ ଗୁଡ଼ିକ ଆବଶ୍ୟକୀୟ ଟିକା କିଣି ପାରିବେ ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୨୦୨୧ ଜୁନ୍ ମାସ ୨୧ ତରିଖଠାରୁ ତିନି ଲକ୍ଷ ହିତାଧିକାରୀଙ୍କୁ ଟିକାଦେଇ ଆସୁଛନ୍ତି । ଏହା ଫଳରେ ରାଜ୍ୟରେ ୧୦୦ ପ୍ରତିଶତ ଟିକାଦାନର ଲକ୍ଷ ପୂରଣ ହୋଇପାରିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା ହର୍ଷ ବର୍ଦ୍ଧନଙ୍କୁ ପତ୍ର ଲେଖି ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି ।

 

Get real time updates directly on you device, subscribe now.