fbpx

କରୋନାରୁ ସୁସ୍ଥ ହେବା ପରେ ବି ମାଡ଼ି ଆସୁଛି ବିପଦ: ଶରୀରରେ ଏକ ବର୍ଷରୁ ଅଧିକ ସମୟ ଭାଇରାସ୍ ରହିବା ଭୟଙ୍କର

ନୂଆଦିଲ୍ଲୀ: ଦୀର୍ଘ ଦୁଇବର୍ଷ ଧରି କରୋନା ମହାମାରୀ ମାନବ୍ୟ ସଭ୍ୟତାକୁ ଏକ ପ୍ରକାର ବାନ୍ଧି ରଖିବାରେ ସକ୍ଷମ ହୋଇଛି । ଏହାକୁ ନେଇ ବିଭିନ୍ନ ସମୟରେ ବୈଜ୍ଞାନିକମାନେ ନୂଆ ନୂଆ ତଥ୍ୟ ପ୍ରଦାନ କରିଥିବା ବେଳେ ନିକଟରେ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । କରୋନା ପାଇଁ ମଣିଷ ଶରୀରରେ ହୃଦଘାତ ସମସ୍ୟା ବୃଦ୍ଧି ପାଉଛି । କୋଭିଡରୁ ସୁସ୍ଥ ଲାଭ କରିବାର ବର୍ଷକ ପରେ ବି ଅଧିକାଂଶ ଲୋକଙ୍କ ଠାରେ ହାର୍ଟ ସମସ୍ୟା ଦେଖାଦେଉଛି । ବିନା ଆକ୍ରାନ୍ତଙ୍କ ଅପେକ୍ଷା ଆକ୍ରାନ୍ତଙ୍କ ଠାରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳୁଥିବା ନେଇ ଏକ ରିସର୍ଚ୍ଚରୁ ଖୁଲାସା ହୋଇଛି । ତେଣୁ ଯଦି ଆପଣଙ୍କଠାରେ ଛାତି ଯନ୍ତ୍ରଣା, ନିଃଶ୍ୱାସରେ କଷ୍ଟ ଅନୁଭବ ହୁଏ, ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଦରକାର ।

ଗବେଷକଙ୍କ ମତରେ, କୋଭିଡରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନେ ସୁସ୍ଥ ହେବା ପରେ ବି ହୃଦଘାତ ଭଳି ସମସ୍ୟାରେ ପଡ଼ିପାରନ୍ତି । କରୋନାରେ ଆଦୌ ସଂକ୍ରମିତ ହୋଇନଥିବା ଲୋକଙ୍କ ଅପେକ୍ଷା ଆକ୍ରାନ୍ତ ହୋଇଥିବା ଲୋକଙ୍କ ଠାରେ ଏହି ସମସ୍ୟା ଅଧିକ ଦେଖାଦେଉଛି । ଏପରିସ୍ଥଳେ ଆକ୍ରାନ୍ତଙ୍କ ଠାରେ ହୃଦଘାତ ଆଶଙ୍କା ଦେଢ଼ଗୁଣ ଅଧିକ ବୃଦ୍ଧି ପାଉଛି । ଏହାଛଡ଼ା, ହୃଦସ୍ପନ୍ଦନ ୧.୬୯ ଗୁଣ, ପ୍ରଦାହ ଆଶଙ୍କା ୨ ଗୁଣ, ହାର୍ଟ ବ୍ଲଡ ଭେସଲେରେ କ୍ଷତି ୧.୬୬ ଗୁଣ, ରକ୍ତ ଜମାଟ ବାନ୍ଧିବା ୨୦୦ ଗୁଣ ବୃଦ୍ଧି ପାଉଥିବା ଜଣାପଡ଼ିଛି । ତେଣୁ କରୋନାରୁ ମୁକ୍ତ ହେବା ପରେ ସତର୍କ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.