fbpx

ଆସନ୍ତାକାଲିଠୁ ଓଡ଼ିଶାରେ ଲକଡାଉନ୍: ଦୋକାନ ଆଗରେ ଅସମ୍ଭାଳ ଭିଡ଼

ଭୁବନେଶ୍ୱର, ୪ା୫ (ଓଡିଶା ଭାସ୍କର): ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଲାଗୁ ହେବାକୁ ଯାଉଛି ଲକଡାଉନ୍ । ମେ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ଲକଡାଉନ ଜାରି ରହିବ । ଏହି ୧୪ ଦିନିଆ ଲକଡାଉନ ସମୟରେ କରୋନା ସଂକ୍ରମଣ ହ୍ରାସ କରିବାକୁ ସମସ୍ତ ବ୍ୟବସ୍ଥା କରାଯିବ । ଟ୍ୱିନସିସି ସମେତ ଅନ୍ୟାନ୍ୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଯାଞ୍ଚ କଡ଼ାକଡ଼ି କରାଯିବ । ତେବେ ଲକଡାଉନ ପୂର୍ବରୁ କଟକ, ଭୁବନେଶ୍ୱର ପରି ସହରମାନଙ୍କରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ବିଭିନ୍ନ ସାମଗ୍ରୀ କିଣିବା ପାଇଁ ଲୋକେ ଦୋକାନ ଆଗରେ ଲମ୍ବା ଲାଇନ୍ ଲଗାଇଛନ୍ତି । ତେବେ ଅଯଥାରେ ଦୋକାନ ଆଗରେ ଭିଡ଼ ନ ଜମାଇବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।

ଲକଡାଉନ୍ ପୂର୍ବରୁ ଅନେକ ଲୋକ ୧୪ ଦିନ ପାଇଁ ବିଭିନ୍ନ ପ୍ରକାର ସାମଗ୍ରୀ କିଣି ଘରକୁ ନେଉଛନ୍ତି । ରାଜଧାନୀର ବିଭିନ୍ନ ସପିଂ ମଲରେ ମଧ୍ୟ ଗହଳି ଦେଖିବାକୁ ମିଳିଛି । ଲକଡାଉନ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ ବୋଲି ସରକାର ପୂର୍ବରୁ ଘୋଷଣା କରିଥିଲେ ମଧ୍ୟ ଜନସାଧାରଣ ତାହା ବୁଝିବାକୁ ନାରାଜ । ଅନେକ ଲୋକ ପେଟି ପେଟି ମଦ ମଧ୍ୟ ବୋହି ନେଉଥିବା ଦେଖିବାକୁ ମିଳୁଛି । କୋଭିଡ୍ କଟକଣା, ସାମାଜିକ ଦୂରତା ନିୟମକୁ ସତେ ଯେମିତି ଜନସାଧାରଣ ଭୁଲି ଯାଇଥିବା ପରି ଜଣାପଡ଼ୁଛି ।

Get real time updates directly on you device, subscribe now.