fbpx

BJDର ଗଡ଼ ଜଗିଛନ୍ତି ତିନି ବିଧାୟକ ଅଶୋକ, ଅନନ୍ତ, ସୁଶାନ୍ତ: BJPର ଗଡ଼ ଜଗିଛନ୍ତି ସାଂସଦ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୋରସୋରରେ ଚାଲିଛି ବିଏମସିର ପ୍ରଚାର ଅଭିଯାନ । ଗତ ୨୦୧୪ ବିଏମସି ନିର୍ବାଚନରେ ମୋଟ ୬୭ଟି ୱାର୍ଡରୁ ବିଜେଡି ୪୯ଟି, ବିଜେପି ୪ଟି ଓ କଂଗ୍ରେସ ୨ଟି ଆସନ ଅକ୍ତିଆର କରିଥିଲା । ତେବେ ଚଳିତ ଥର ଏହି ଅଙ୍କକୁ ଟପିବା ପ୍ରୟାସରେ ରହିଛନ୍ତି ସମସ୍ତ ରାଜନୈତିକ ଦଳ । ୨୦୧୯ରେ ଭୁବନେଶ୍ୱରର ୩ଟି ବିଧାନସଭା ଆସନ ବିଜେଡି ହାତକୁ ଯାଇଥିବା ବେଳେ ସାଂସଦ ସିଟ୍ ହାତେଇଥିଲେ ବିଜେପିର ଅପରାଜିତା ଷଡ଼ଙ୍ଗୀ । ଏହାର ଅର୍ଥ ହେଉଛି ଜନସାଧାରଣ ବିଜେଡିର ବିଧାୟକ ପ୍ରାର୍ଥୀମାନଙ୍କୁ ପସନ୍ଦ କରିଥିବା ବେଳେ ସାଂସଦ ପ୍ରାର୍ଥୀ ଭାବେ ବିଜେପିକୁ ବାଛିଥିଲେ । ତେଣୁ ଚଳିତ ଥର ନିର୍ବାଚନରେ ଅପରାଜିତା ନିର୍ବାଚନର କମାଣ ଧରିଥିବାରୁ କିଛି କମାଲ୍ ଦେଖାଇ ପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଅନ୍ୟପଟେ ବିଜେଡିର ଏକାମ୍ର ବିଧାୟକ ଅଶୋକ ପଣ୍ଡା, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ ରାଉତ ନିଜ ଗଡ଼ର ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ଏହି ତିନି ବିଧାୟକ କଳେବଳେ ରଣ ଜିତିବା ପାଇଁ ଅପରାଜିତାଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି ଅଭିମନ୍ୟୁର ଚକ୍ରବ୍ୟୁହ । ସୁପ୍ରିମୋଙ୍କୁ ବିଜୟର ଭେଟି ଦେଇ ଏହି ନେତାମାନେ ନିଜର ପରାକାଷ୍ଠାର ପ୍ରମାଣ ଦେବାକୁ ଲାଗିପଡ଼ିଛନ୍ତି । ସେହିପରି ଅପରାଜିତା ମଧ୍ୟ ବିଜେଡିର ରଣନୀତିକୁ ଭେଦ କରିବାରେ ଗୋଟିଚାଳନା କରୁଛନ୍ତି । ଚଳିତ ନିର୍ବାଚନ ହିଁ ସାବ୍ୟସ୍ତ କରିବ ଅପରାଜିତାଙ୍କ ପତିଆରା । ତେଣୁ ନିଜର ସମ୍ମାନ ବଞ୍ଚାଇବାକୁ ସେ ରାତିଦିନ ଏକ କରିଦେଇଛନ୍ତି । କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କୁ ଧରି ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି ।

ଏଥର ବିଏମସି ମେୟର ଭାବେ ବିଜେଡିରୁ ସୁଲୋଚନା ଦାସ, ବିଜେପିରୁ ସୁନୀତି ମୁଣ୍ଡ ଓ କଂଗ୍ରେସରୁ ମଧୁସ୍ମିତା ଆଚାର୍ଯ୍ୟ ପ୍ରାର୍ଥୀ ହୋଇଛନ୍ତି । ତେବେ ତିନି ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେଉଥିଲେ ଅସଲ ଫାଇଟ୍ ହେଉଛି ସାଂସଦ ଓ ବିଧାୟକଙ୍କ ମଧ୍ୟରେ । ପଞ୍ଚାୟତ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା ବିଜେଡି ପୌର ନିର୍ବାଚନରେ ତା’ର ପୁନରାବୃତ୍ତି କରିବ ବୋଲି ବାହାସ୍ଫୋଟ ମାରୁଛି । ସେହିପରି ପଞ୍ଚାୟତ ନିର୍ବାଚନର ପ୍ରଭାବ ପୌର ନିର୍ବାଚନରେ ପଡ଼ିବ ନାହିଁ ବୋଲି ବିଜେପି ପକ୍ଷରୁ ଜବାବ ଦିଆଯାଇଛି ।

Get real time updates directly on you device, subscribe now.