fbpx
BJD SKY
BJD SKY

ଜନତାଙ୍କ ପାଇଁ ଦୁଇଟି ବଡ଼ ଚିନ୍ତା: ଗୋଟିଏ ପଟେ ତାତି ବଢ଼ିବାରେ ଲାଗିଛି, ଅନ୍ୟ ପଟେ ସୁନା ଦର ହୁ ହୁ ହୋଇ ବଢ଼ୁଛି

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ରାଜଧାନୀ ସମେତ ରାଜ୍ୟବାସୀଙ୍କ ପାଇଁ ଦୁଇଟି ବଡ଼ ସମସ୍ୟା ଆସି ଉଭା ହୋଇଛି । ସତେ ଯେମିତି ଜନସାଧାରଣଙ୍କ ଆଗରେ ସ୍ୱୟଂ କାଳ ଆସି ଠିଆ ହୋଇଛନ୍ତି । ଜଣେ କଲବଲ କରୁଥିବା ବେଳେ ଆଉ ଜଣେ ହତାଦର କରୁଛି । ଗୋଟିଏ ହେଉଛି ‘ଅସହ୍ୟ ତାତି’ ଓ ଅନ୍ୟଟି ହେଉଛି ହୁ ହୁ ହୋଇ ବଢ଼ୁଥିବା ‘ସୁନା ଦର । ‘କାହାକୁ କହିବା, କିଏ ଆମର ଦୁଃଖ ବୁଝିବ’ ଏଭଳି କିଛି ମନେମନେ ଭାବି ଗରିବ ଲୋକଟିଏ ନିଜର ମନର କଷ୍ଟକୁ ମନରେ ଚାପି ରଖି ଗୁମୁରୁ ଗୁମୁରି କାନ୍ଦୁଛି । ଏହା ମଧ୍ୟରେ ସୁନା ଦର ୧୦ ଗ୍ରାମକୁ ୭୩ ହଜାର ଟପିଥିବା ବେଳେ ତାପମାତ୍ରା କଥା ନ କହିବା ଭଲ ।

ନିକଟରେ ରାଜଧାନୀର ତାପମାତ୍ରା ପାଖାପାଖି ୪୪ ଡିଗ୍ରୀରେ ପହଞ୍ଚିବା ସହ ଭୁବନେଶ୍ୱର ଏସିଆର ଷଷ୍ଠ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଥିଲା । ଦୁଇଦିନ ତଳେ ରାଜ୍ୟରେ ବର୍ଷା ହୋଇଥିବା ବେଳେ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା । ମାତ୍ର ପୁଣି ଥରେ ତାତି ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏଭଳି ସ୍ଥିତିରେ ରାଜ୍ୟବାସୀ ପୁଣି ଉତ୍ତପ୍ତ ତାୱାରେ ସିଝିବେ । ଗତ ୧୩ ତାରିଖରେ ପାରଳାଖେମୁଣ୍ଡିର ତାପମାତ୍ରା ପାଖାପାଖି ୪୦ ଡିଗ୍ରୀ ସେଲସିୟସ୍ ରହିଥିବା ବେଳେ ଅନ୍ୟ ସହରମାନଙ୍କର ସ୍ଥିତି ସାମାନ୍ୟ କମ୍ ରହିଥିଲା । ସେହିପରି ଆଜି ଦିନ ୧୧.୩୦ ସୁଦ୍ଧା ଭୁବନେଶ୍ୱରର ତାପାମାତ୍ରା ୩୭ ଡିଗ୍ରୀ ଉପରେ ରହିବା ସହ ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି । ଆଗକୁ ପୁଣି ତାପମାତ୍ରା ବଢ଼ିବାର ଆଶଙ୍କା ଥିବାରୁ ଲୋକମାନେ ପୁଣି ଚିନ୍ତିତ ହୋଇ ପଡ଼ିଛନ୍ତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଲୋକମାନେ ଲସି, ଥଣ୍ଡା ପାନୀୟ ଉପରେ ଭରସା କରୁଥିବା ବେଳେ ଏସି, କୁଲର ଦୋକାନମାନଙ୍କରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।

ସେହିପରି ଲୋକଙ୍କ ପକେଟ ପାଇଁ ଆଉ ଏକ ଚିନ୍ତା ବଢ଼ାଇଛି ସୁନା ଦର ବୃଦ୍ଧି । ବର୍ତ୍ତମାନ ସମୟରେ ସୁନା ଦର ହୁ ହୁ ହୋଇ ବଢ଼ୁଛି । କିଛି ଦିନ ତଳେ ସୁନା ଦର ୬୦ ହଜାର ଉପରେ ଥିବାବେଳେ ଏବେ ୭୩ ହଜାରରେ ପହଞ୍ଚି ଗଲାଣି । ଆଗକୁ ସୁନା ଦର ଆହୁରି ବଢ଼ିବ ବୋଲି ମାର୍କେଟ ଏକ୍ସପର୍ଟମାନେ ମତ ଦେଇ ସାରିଛନ୍ତି । ଗତ ୧୧ ତାରିଖରେ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ୭୨ ହଜାର ୨୨୦ ଟଙ୍କା ରହିଥିବା ବେଳେ ୧୨ରେ ତାହା ୧୦୯୦ ଟଙ୍କା ବୃଦ୍ଧି ଘଟିଥିଲା । ସେହିପରି ୧୩ ତାରିଖରେ ବଜାରରେ ୧୦ ଗ୍ରାମ ସୁନା ଦର ୭୩ ହଜାର ୪୭୦ ଟଙ୍କା ରହିଥିଲା । କେବଳ ସୁନା ନୁହେଁ, ରୂପା ଦରରେ ମଧ୍ୟ ନିଆଁ ଲାଗିଯାଇଛି । ଅଳଙ୍କାର ବଜାରରେ ଦେଖାଦେଇଥିବା ଏହି ମହଙ୍ଗା ମାଡ଼ କାରଣରୁ ଲୋକମାନେ ବିବାହ, ବ୍ରତ ଉତ୍ସବ ପାଳନ କରିବାକୁ ଡରିଲେଣି । ଏପରିକି ସୁନା ଦର ବୃଦ୍ଧି କାରଣରୁ କିଛି ଯୁବତୀଙ୍କର ବାହାଘର ଭାଙ୍ଗିଯାଇଥିବା ଖବର ମଧ୍ୟ କିଛି ମିଡ଼ିଆରେ ପ୍ରକାଶ ପାଇଛି । କିଛି ବରପକ୍ଷ ଅଧିକ ସୁନା ଦାବି କରୁଥିବା ବେଳେ ଦର ଅଧିକ ରହିଥିବାରୁ କନ୍ୟାକ୍ଷର ଆବଶ୍ୟକ ମୁତାବକ ସୁନା ଦେଇ ନ ପାରିବାରୁ ଅନେକ ସ୍ଥାନରେ ବାହାଘର ଭାଙ୍ଗି ଯାଉଥିବାର କୁହାଯାଉଛି । ତେଣୁ ପ୍ରବଳ ଖରା ଓ ସୁନା ଦର ବୃଦ୍ଧିକୁ ନେଇ ଏବେ ଲୋକଙ୍କ ମୁଣ୍ଡରେ ପଡ଼ିଛି ବଡ଼ ଚଡ଼କ ।

Get real time updates directly on you device, subscribe now.