fbpx

ଦିଲ୍ଲୀରୁ ‘ପଳାୟନ’ କରିବାରେ ହେମନ୍ତ ସୋରେନଙ୍କୁ ଅରବିନ୍ଦ କେଜ୍ରିୱାଲ ସାହାଯ୍ୟ କରିଥିଲେ: ବିଜେପିର ବଡ଼ ଦାବି

ନୂଆଦିଲ୍ଲୀ: ଗତ କିଛିଦିନ ଧରି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନକୁ ନେଇ ବେଶ୍ ଚର୍ଚ୍ଚା ଜାରି ରହିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକାଧିକ ସମନ ପରେ ବି ମୁଖ୍ୟମନ୍ତ୍ରୀ ସୋରେନ୍ ହାଜର ହୋଇନଥିଲେ । ଜମି ଘୋଟାଲା ମାମଲାରେ ପଚରାଉଚରା କରିବା ପାଇଁ ଗତ ମଙ୍ଗଳବାର ଦିନ ଇଡି ଅଧିକାରୀମାନେ ହେମନ୍ତଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପହଞ୍ଚିଥିଲେ । ମାତ୍ର ପାଖାପାଖି ୩୦ ଘଣ୍ଟା ପର୍ଯ୍ୟନ୍ତ ସୋରେନଙ୍କ କୌଣସି ପତ୍ତା ମିଳିନଥିଲା । ପରବର୍ତ୍ତୀ ସମୟରେ ସୋରେନଙ୍କ ବୟାନ ସାମ୍ନାକୁ ଆସିଥିଲା ।

ତେବେ ଏହା ମଧ୍ୟରେ ସୋରେନଙ୍କୁ ନେଇ ବିଜେପି ନେତା ନିଶିକାନ୍ତ ଦୁବେ ଏକ ବଡ଼ ଅଭିଯୋଗ ଆଣିଛନ୍ତି । ଦିଲ୍ଲୀରୁ ରାଞ୍ଚି ‘ପଳାୟନ’ କରିବାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାହାଯ୍ୟ କରିଥିଲେ । ବାରାଣସୀ ପର୍ଯ୍ୟନ୍ତ ଏହି ସହାୟତା କରାଯାଇଥିଲା ଓ ତା’ପରେ ରାଞ୍ଚିର ମନ୍ତ୍ରୀ ମିଥଲେଶ ଠାକୁର ହେମନ୍ତଙ୍କୁ ରାଞ୍ଚି ଯିବାରେ ସହାୟତା କରିଥିଲେ । ଶ୍ରୀ ଦୁବେ ଏଭଳି ଏକ ବଡ଼ ଦାବି କରିବା ସହିତ ଦୁଇ ନେତାଙ୍କୁ ଚୋର ବୋଲି ଆଖ୍ୟା ଦେଇଛନ୍ତି ।

ହେମନ୍ତଙ୍କୁ ଇଡି ଦ୍ୱାରା ଗିରଫ କରାଯିବାର ଆଶଙ୍କା ଥିବାରୁ ସେଥିପାଇଁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତୃତ୍ୱରେ କ୍ଷମତାସୀନ ମେଣ୍ଟର ବିଧାୟକ ଓ ମନ୍ତ୍ରୀଙ୍କୁ ନେଇ ଏକ ଗୁପ୍ତ ବୈଠକ ବସିଥିଲା । ଉକ୍ତ ବୈଠକରେ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ମଧ୍ୟ ଉପସ୍ଥିତ ଥିଲେ । ଯଦି ହେମନ୍ତଙ୍କୁ ଗିରଫ କରାଯାଏ ତେବେ ତାଙ୍କୁ କଳ୍ପନାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ । ତେବେ କଳ୍ପନାଙ୍କ ନାମକୁ ନେଇ ବିଧାୟକ ଦଳ ବୈଠକରେ ସହମତି ପ୍ରକାଶ ପାଇ ପାରିନଥିଲା । ଏହାକୁ ନେଇ ସୀତା ସୋରେନ ଓ ବସନ୍ତ ସୋରେନ ବିରୋଧ କରିଥିଲେ । ମୋଟ ୩୫ ଜଣ ବିଧାୟକ ବୈଠକରେ ପହଞ୍ଚିଥିଲେ ଓ ଏକ ସାଧା କାଗଜରେ ବିଧାୟକମାନେ ହସ୍ତାକ୍ଷର କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ସୋରେନ ରାଜ୍ୟପାଳଙ୍କୁ ସାକ୍ଷାତ କରିବାର କୌଣସି କାର୍ଯ୍ୟକ୍ରମ ନାହିଁ । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଏ ବାବଦରେ ଶ୍ରୀ ଦୁବେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.