fbpx

ଭାଙ୍ଗ ଓ ଗଞ୍ଜେଇରେ ଲୁଚି ରହିଛି କରୋନାକୁ ସମାପ୍ତ କରିବାର ଅମୋଘ ଅସ୍ତ୍ର! ଜାଣନ୍ତୁ କଣ କହିଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନା ମାମଲା ବଢ଼ିବାରେ ଲାଗିଛି । କୋଭିଡ୍ ଭାଇରସ୍ ର ନୂଆ ନୂଆ ଭାରିଆଣ୍ଟ୍ ଦୁନିଆରେ ତାଣ୍ଡବ ରଚିବାରେ ଲାଗିଛନ୍ତି । ଏହି କ୍ରମରେ ଡେଲଟା ଓ ଓମିକ୍ରନ ଭାରିଆଣ୍ଟ୍ ସଂକ୍ରମଣ ବର୍ତ୍ତମାନ ସମୟରେ ସର୍ବାଧିକ ରହିଛି । ଭାରତରେ ମଧ୍ୟ ଦୈନିକ ସଂକ୍ରମଣ ନୂଆ ନୂଆ ରେକର୍ଡ କରୁଛି । ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୬୪ ହଜାର ନୂଆ ମାମଲା ଚିହ୍ନଟ ହୋଇଛି । ଫଳରେ ଆକ୍ଟିଭ୍ କେସ୍ ବୃଦ୍ଧି ପାଉଛି ।

ତେବେ ଏହି ଭାଇରସ୍ କୁ ଶେଷ କରିବାକୁ ବିଭିନ୍ନ ଦେଶର ବୈଜ୍ଞାନିକ ମାନେ ଅଧ୍ୟୟନ ଜାରି ରଖିଛନ୍ତି । ନିକଟରେ ଏକ ନୂଆ ରିସର୍ଚ୍ଚ ମୁତାବକ, ଭାଙ୍ଗ/ଗଞ୍ଜେଇର କିଛି ମିଶ୍ରିତ ବା କମ୍ପାଉଣ୍ଡ୍ କୋଭିଡ୍ ସଂକ୍ରମଣକୁ ରୋକିବାରେ ସହାୟକ ହୋଇପାରେ । ଭାଙ୍ଗ/ଗଞ୍ଜେଇର କିଛି ରସାୟନିକ ମିଶ୍ରଣ ଜଣେ ସୁସ୍ଥ ମଣିଷର କୋଷିକାରେ ଭାଇରସ୍ ପ୍ରବେଶ କରିବାରେ ରୋକିପାରିବ ।

ଓରେଗନ୍ ଷ୍ଟେଟ୍ର ଗ୍ଲୋବାଲ୍ ହେମ୍ପ ଇନୋଭେସନ୍ ସେଣ୍ଟର, ଫାର୍ମାସି କଲେଜ ଏବଂ ଲିନୁସ୍ ପାଉଲିଙ୍ଗ ଇନଷ୍ଟିଚ୍ୟୁଟର ଅନୁସନ୍ଧାନକାରୀଙ୍କ ନେତୃତ୍ୱରେ ଏହି ଅନୁସନ୍ଧାନ ଜର୍ଣ୍ଣାଲ ଅଫ୍ ନାଚୁରାଲ ପ୍ରଡକ୍ଟସରେ ପ୍ରକାଶିତ ହୋଇଛି । ତେବେ ଅନୁସନ୍ଧାନକାରୀମାନେ କୌଣସି ପ୍ରକାରେ କହିନାହାନ୍ତି ଯେ ଭାଙ୍ଗ/ଗଞ୍ଜେଇ କୋଭିଡ୍ ଭାଇରସ୍ ରୁ ବଞ୍ଚାଇପାରିବ । ବରଂ ଏହା କୁହାଯାଇଛି ଯେ, ଭାଙ୍ଗର ୨ଟି ଯୌଗିକ ପଦାର୍ଥ; କୈନାବିଗେରୋଲିକ୍ ଏସିଡ୍ ବା ସିବିଜିଏ ଏବଂ କୈନାବିଡ଼ିଯୋଲିକ୍ ଏସିଡ୍ ବା ସିବିଡିଏ, ଅନୁସନ୍ଧାନରେ କାମରେ ଆସିବ । ଏହି ଏସିଡ୍ ଭାଙ୍ଗରୁ ମିଳିଥାଏ ।

ଭାଙ୍ଗରୁ ମିଳୁଥିବା କୈନାବିଡ଼ିଯୋଲିକ୍ ଏସିଡ୍ ବା ସିବିଡିଏ କରୋନା ଭାଇରସ୍ ର ସ୍ପାଇକ୍ ପ୍ରୋଟିନ୍ ସହିତ ଯୋଡ଼ି ହେବାରେ ସକ୍ଷମ । ଏହା ଲୋକଙ୍କୁ ସଂକ୍ରମିତ କରିବାରେ ରୋକିପାରିବ । ତେବେ ଭାଙ୍ଗର ଏହି ଦୁଇ ଯୌଗିକ ପଦାର୍ଥକୁ ଓରାଲ୍ ରୂପରେ ନିଆଯାଇପାରେ ଯାହା ମଣିଷ ଶରୀରରେ ସୁରକ୍ଷିତ ଭାବେ ବ୍ୟବହାର କରାଯାଇପାରିବ । ଏହାକୁ ନେଇ ଆଗରୁ ମଧ୍ୟ ମେଡିସିନ୍ ପ୍ରସ୍ତୁତ ହୋଇସାରିଛି । ତେଣୁ ଭାଙ୍ଗ ବା ଗଞ୍ଜେଇରୁ ମିଳୁଥିବା ଦୁଇ ଯୌଗିକ ପଦାର୍ଥ କରୋନା ଭାଇସର୍ ସହ ଲଢ଼ିବାରେ ଅମୋଘ ଅସ୍ତ୍ର ପାଲଟିପାରେ ।

Get real time updates directly on you device, subscribe now.