fbpx

ରାଜ୍ୟଗୋଷ୍ଠୀ କ୍ରୀଡାରେ ହାଇଭୋଲଟେଜ୍ ଡ୍ରାମା, ହାତାହାତି ହେଲେ ଦୁଇ ଖେଳାଳି, ସବୁ ସୀମା ଲଙ୍ଘିଲେ

ନୂଆଦିଲ୍ଲୀ: କ୍ରୀଡା ମଇଦାନରେ କଡା ସଂଘର୍ଷ ସମୟରେ ଖେଳାଳିଙ୍କ ମଧ୍ୟରେ ସର୍ବଦା ଗରମା ଗରମ ମାହୋଲ ଦେଖିବାକୁ ମିଳିଥାଏ। ମାତ୍ର ବେଳେ ବେଳେ ଖେଳାଳି ସମସ୍ତ ସୀମା ଅତିକ୍ରମ କରି ଦିଅନ୍ତି ଏବଂ ମଇଦାନରେ ହାତାହାତି ହୁଅନ୍ତି। ଏମିତି କିଛି ଦୃଶ୍ୟ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଦେଖିବାକୁ ମିଳିଛି। ଇଂଲଣ୍ଡ ଏବଂ କାନାଡା ମଧ୍ୟରେ ଗୁରୁବାର ହୋଇଥିବା ମୁକାବିଲାରେ ଖେଳାଳି ହାତାହାତି ହୋଇଛନ୍ତି। ଏହି ସମୟରେ ଦୁଇ ଖେଳାଳି ପରସ୍ପରର କଲର ଧରିଛନ୍ତି। ମାମଲା ବଢୁଥିବା ଦେଖି ଦୁଇ ଦଳର ଖେଳାଳି ସମେତ ମ୍ୟାଚ୍ ରେଫରୀ ହସ୍ତକ୍ଷେପ କରି ପରିସ୍ଥିତି ଶାନ୍ତ କରିଛନ୍ତି।

ଇଂଲଣ୍ଡ ଏବଂ କାନାଡା ମଧ୍ୟରେ ଏହି ମୁକାବିଲାରେ ଦୁଇ ଦଳ ମଧ୍ୟରେ ଆକ୍ରମଣାତ୍ମକ ଖେଳ ଦେଖିବାକୁ ମିଳିଥିଲା। ମ୍ୟାଚ୍ ସମୟରେ କାନାଡାର ବଲରାଜ ପାନେସରଙ୍କ ହକି ଷ୍ଟିକ ଇଂଲଣ୍ଡର ଗ୍ରିଫିଥଙ୍କ ହାତରେ ଫସି ଯାଇଥିଲା। ଏଥିରେ ରାଗି ଯାଇ ଇଂଲଣ୍ଡର ଖେଳାଳି କାନାଡାର ଖେଳାଳିଙ୍କୁ ଧକ୍କା ମାରିଥିଲେ। ପାନେସର ଗ୍ରିଫିଥଙ୍କ ଏମିତି ବ୍ୟବହାର ଦେଖି କ୍ଷୁବ୍ଧ ହୋଇଥିଲେ ଏବଂ ଇଂଲଣ୍ଡ ଖେଳାଳିଙ୍କ ବେକ ଧରି ଠେଲି ଠେଲି ନେଇଥିଲେ। ଏହା ପରେ ଦୁଇ ଖେଳାଳି ପରସ୍ପରର ଜର୍ସି ଟାଣିଥିଲେ। ଦୁଇ ଖେଳାଳିଙ୍କ ନିନ୍ଦନୀୟ ବ୍ୟବହାର ପରେ ରେଫରୀ ବଲରାଜ ପାନେସରଙ୍କୁ ରେଡ୍ କାର୍ଡ ଦେଖାଇ ବାହାରକୁ ପଠାଇ ଦେଇଥିଲେ। କ୍ରିସ ଗ୍ରିଫିଥଙ୍କୁ ୟେଲେ କାର୍ଡ ସହିତ ଚେତାବନୀ ଦେଇଥିଲେ।

 

ଏହି ମୁକାବିଲାରେ ଇଂଲଣ୍ଡ କାନାଡାକୁ ୧୧-୨ ଗୋଲରେ ପରାସ୍ତ କରିଛି। ବିଜୟ ସହିତ ଗ୍ରୁପରେ ଇଂଲଣ୍ଡ ଭାରତ ପଛରେ ଦ୍ଵିତୀୟ ସ୍ଥାନରେ ରହିଛି। ଗ୍ରୁପରେ ଶୀର୍ଷରେ ହରିବାକୁ ହେଲେ ଇଂଲଣ୍ଡକୁ କାନାଡା ବିପକ୍ଷରେ ୧୫ ଗୋଲ୍ ବ୍ୟବଧାନରେ ଜିତିବାର ଥିଲା। ଇଂଲଣ୍ଡ ଏବେ ସେମି ଫାଇନାଲରେ ବିଶ୍ଵ ଚାମ୍ପିଅନ ଅଷ୍ଟ୍ରେଲିଆକୁ ଭେଟିବ ଏବଂ ଭାରତ ଦକ୍ଷିଣ ଆଫ୍ରିକା ସହ ମୁକାବିଲା କରିବ।

 

Get real time updates directly on you device, subscribe now.