fbpx

କଳା କୋଟ୍ ପିନ୍ଧି ଅଦାଲତ ବାହାରେ ନିଜର ଶକ୍ତି ପ୍ରଦର୍ଶନ କରିପାରିବେନି ଓକିଲ: ହାଇକୋର୍ଟ

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ଓକିଲମାନେ ‘କଳା କୋଟ’ ପିନ୍ଧି କୋର୍ଟ ପରିସର ବାହାରେ ନିଜର ଶକ୍ତି ପ୍ରଦର୍ଶନ କରିପାରିବେ ନାହିଁ । ଆହ୍ଲାବାଦ ହାଇକୋର୍ଟର ଲଖନଉ ବେଞ୍ଚ ଏ ସମ୍ପର୍କରେ କଡା ମନୋଭାବ ଗ୍ରହଣ କରିଛି । ଓକିଲମାନେ ୟୁନିଫର୍ମ ପିନ୍ଧି ବିବାଦୀୟ ଜମି ମାମଲାରେ ହସ୍ତକ୍ଷେପ କରୁଥିବା ଏବଂ ଜମି ମାଫିଆଙ୍କୁ ସମର୍ଥନ କରୁଥିବା ଘଟଣାକୁ ଗୁରୁତର ସହ ନେଇ କୋର୍ଟ ଏହା କହିଛନ୍ତି ।

ଜଷ୍ଟିସ ସଂଗୀତ ଚନ୍ଦ୍ରା ଏବଂ ଜଷ୍ଟିସ ଏନ.କେ ଜୋହରୀଙ୍କ ଡିଭିଜନ ବେଞ୍ଚ ସ୍ଥାନୀୟ ଓକିଲ ଶୁଭାଂଶୁ ସିଂଙ୍କ ଆବେଦନ ଶୁଣିବାବେଳେ ଏହା କହିଛନ୍ତି । ଏହି ସମ୍ବନ୍ଧରେ ସମସ୍ତ ଓକିଲଙ୍କୁ ନିର୍ଦ୍ଦେଶନାମା ଜାରି କରିବା ଓ ଆଇନଜୀବୀମାନେ ଯେପରି କୋର୍ଟ ପରିସର ବାହାରେ ୟୁନିଫର୍ମ ନପିନ୍ଧିବେ ସେନେଇ ନିଶ୍ଚିତ କରିବାକୁ ୟୁପି ବାର୍ କାଉନସିଲକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

କ’ଣ ରହିଛି ମାମଲା ?
ତେବେ ଆବେଦନକାରୀ ଶୁଭାଂଶୁ ସିଂ କହିଥିଲେ ଯେ, ସେ ଲଖନଉର ସିଭିଲ କୋର୍ଟରେ ଅଭ୍ୟାସ କରୁଛନ୍ତି । ୨୧ ସେପ୍ଟେମ୍ବର ୨୦୨୩ ରେ କିଛି ଓକିଲ ତାଙ୍କୁ ମାଡ଼ ମାରି ତାଙ୍କ ଜିନିଷପତ୍ର ଲୁଟି ନେଇଥିଲେ । ଏହି ଘଟଣାରେ ଆବେଦନକାରୀ ସ୍ଥାନୀୟ ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରିଥିଲେ । ଯାହା ପରେ ସିବିଆଇ କିମ୍ବା ଅନ୍ୟ କୌଣସି ସ୍ୱାଧୀନ ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ଏହି ମାମଲା ଅନୁସନ୍ଧାନ କରିବାକୁ ଦାବି କରାଯାଇଥିଲା । ଆବେଦନକାରୀ କହିଛନ୍ତି ଯେ, ଏହି ଘଟଣା ସହ ଜଡିତ ସିସିଟିଭି ଫୁଟେଜ କିମ୍ବା ପ୍ରମାଣକୁ ସୁରକ୍ଷିତ ରଖିବା ଉଚିତ ।

ଏହି ମାମଲାର ଶୁଣାଣି ବେଳେ କୋର୍ଟ ସମ୍ପୃକ୍ତ ଏଡିସିପିଙ୍କୁ ଡକାଇ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ଆବେଦନକାରୀଙ୍କ ଅନୁରୋଧ କ୍ରମେ ସେ କ’ଣ ପଦକ୍ଷେପ ନେଇଛନ୍ତି ବୋଲି ଜିଲ୍ଲା ଜଜଙ୍କୁ ପଚାରିଥିଲେ । ଏହି ମାମଲାର ଶୁଣାଣି ପାଇଁ ପରବର୍ତ୍ତୀ ତାରିଖ ନଭେମ୍ବର ୨୮ ରେ ସ୍ଥିର କରାଯାଇଛି ।

ୟୁପି ବାର୍ କାଉନସିଲକୁ ଦିଆଗଲା ଆଦେଶ :-
କୋର୍ଟରେ ଶୁଣାଣି ସମୟରେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ, କିଛି ଓକିଲ ଅଛନ୍ତି ଯେଉଁମାନେ କୋର୍ଟ ପରିସର ବାହାରେ ଜମି ଇତ୍ୟାଦି ବିବାଦରେ ନିଜର ପ୍ରଭାବ ପକାଇବାକୁ ଚେଷ୍ଟା କରନ୍ତି । ଏହା ପରେ ୟୁପି ବାର୍ କାଉନସିଲକୁ କୋର୍ଟ ଏକ ନିର୍ଦ୍ଦେଶ ଜାରି କରିଛନ୍ତି ଏବଂ ପରିସର ବାହାରେ ୟୁନିଫର୍ମ ପିନ୍ଧିବାକୁ ବାରଣ କରିଛନ୍ତି ।

Get real time updates directly on you device, subscribe now.