fbpx
BJD SKY
BJD SKY

ହିମନ୍ତ ସରକାରଙ୍କ ବଡ଼ ନିଷ୍ପତ୍ତି, ରଦ୍ଦ ହେବ ମୁସଲିମ ବିବାହ ଏବଂ ଛାଡ଼ପତ୍ର ଆଇନ୍‌

BJD

ଡେରାଡୁନ୍‌: ଆସାମ ସରକାର ସମାନ ନାଗରିକ ସଂହିତା(UCC) ଆଡ଼କୁ ପ୍ରଥମ ପଦକ୍ଷେପ ଗ୍ରହଣ କରିଛନ୍ତି । ମୁସଲିମ ମ୍ୟାରେଜ୍ ଆଣ୍ଡ୍ ଡିଭର୍ସ ଆକ୍ଟ ୧୯୩୫କୁ ରଦ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଆସାମ ସରକାର । ଶୁକ୍ରବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ରାଜ୍ୟରେ ସମସ୍ତ ବିବାହ ଏବଂ ଛାଡ଼ପତ୍ର ସ୍ପେସାଲ ମ୍ୟାରେଜ୍ ଆକ୍ଟ ଅଧୀନ ହେବ । ଏନେଇ ଶ୍ରୀ ସର୍ମା ‘ଏକ୍ସ’ରେ ଏକ ପୋଷ୍ଟ କରିଛନ୍ତି ।

ଶୁକ୍ରବାର ଅନୁଷ୍ଠିତ ଏହି ବୈଠକ ପରେ କ୍ୟାବିନେଟ୍ ମନ୍ତ୍ରୀ ଜୟନ୍ତ ମଲ୍ଲାବରୁଆ ମିଡ଼ିଆକୁ ସୂଚନା ଦେଇ କହିଥିଲେ ଯେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଆମେ ସମାନ ନାଗରିକ ସଂହିତା ପ୍ରତି ପ୍ରଥମ ପାହାଚ ଚଢ଼ିଛୁ । ବର୍ତ୍ତମାନ ମୁସଲିମ ବିବାହ ଏବଂ ଛାଡ଼ପତ୍ର ସହ ଜଡ଼ିତ ସମସ୍ତ ମାମଲା ସ୍ପେସାଲ ମ୍ୟାରେଜ ଆକ୍ଟ ଅନ୍ତର୍ଗତ ସମାଧାନ ହେବ । କୌଣସି ମୁସଲିମ ବିବାହ କିମ୍ବା ଛାଡ଼ପତ୍ର ପଞ୍ଜିକୃତ ହେବ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁସଲିମ ବିବାହ ଏବଂ ଛାଡ଼ପତ୍ର ପ୍ରସଙ୍ଗରେ ଜିଲ୍ଲା କମିଶନର ଏବଂ ଜିଲ୍ଲା ରେଜିଷ୍ଟ୍ରାରଙ୍କ ଅଧିକାର ରହିବ । ଏଥିମଧ୍ୟରେ ରାଜ୍ୟରେ ମୁସଲିମ ମ୍ୟାରେଜ ଆଣ୍ଡ୍ ଡିଭର୍ସ ଆକ୍ଟ ଅନ୍ତର୍ଗତ କାର୍ଯ୍ୟ କରୁଥିବା ୯୪ ମସଲମାନ ରେଜିଷ୍ଟ୍ରାରଙ୍କୁ ପଦରୁ ହଟାଇ ଦିଆଯାଇଛି ଏବଂ ସେମାନଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ । ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟ ସରକାର ରାଜ୍ୟରେ ବାଲ୍ୟ ବିବାହ ବିରୋଧରେ ମଧ୍ୟ ପଦକ୍ଷେପ ନେଇଛନ୍ତି ।

ଏହା ବ୍ୟତୀତ କ୍ୟାବିନେଟରେ ଶିକ୍ଷା ନୀତି ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଅଦିବାସୀ ଭାଷା ଯେପରି ମିସିଙ୍ଗ୍‌, ରାଭା, କାର୍ବି, ତିୱା, ଦେୱରୀ ଏବଂ ଦିମାସାକୁ ବିଦ୍ୟାଳୟରେ ଶିକ୍ଷାର ମାଧ୍ୟମ ଭାବରେ ଅନ୍ତର୍ଭୁକ୍ତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିପରି ବାଲିପାରା ଆଦିବାସୀ ବ୍ଲକରେ ଅହୋମ, କୋଚ୍ ରାଜବୋଙ୍ଗ୍‌ଶୀ ଏବଂ ଗୋରଖା ସମ୍ପ୍ରଦାୟକୁ ସଂରକ୍ଷିତ ବର୍ଗର ମାନ୍ୟତା ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ହୋଇଛି । ଏହା ଦ୍ୱାରା ସେମାନେ କ୍ରୟଏବଂ ବିକ୍ରି ମାମଲାରେ ବିଶେଷ ଅଧିକାର ପ୍ରାପ୍ତ କରିପାରିବେ । ଏହା ସହ କଚ୍ଛାର, କରିମଙ୍ଗଜ, ହେଲାକାଣ୍ଡି, ଏବଂ ହୋଜାଇ ଜିଲ୍ଲାରେ ମଣିପୁରୀ ଭାଷାକୁ ସରକାରୀ(ଅଫିସିଆଲ) ଭାଷା ଭାବରେ ଘୋଷଣା କରାଯାଇଛି ।

Get real time updates directly on you device, subscribe now.