fbpx

ରାଜ୍ୟରେ ସ୍ଥାପନ ହେବ ୨୭ଟି ଶିଳ୍ପ ପ୍ରକଳ୍ପ: ୪୨,୨୭୫ ଜଣଙ୍କୁ ମିଳିବ କର୍ମନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରକୁ ଗୁରୁତ୍ୱ ଦେଉଛନ୍ତି । ତେବେ ଏହା ମଧ୍ୟରେ ୨୭ଟି ଶିଳ୍ପ ପ୍ରକଳ୍ପ ସ୍ଥାପନ ନେଇ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏଥିପାଇଁ ୬୧୩୪ କୋଟି ଟଙ୍କା ବ୍ୟୟ କରାଯିବ । ଖାଦ୍ୟ ପ୍ରକ୍ରିୟାକରଣ, ଏରୋସ୍ପେଶ, ପ୍ରତିରକ୍ଷା, ପର୍ଯ୍ୟଟନ, ଆଲୁମିନିୟମ, ନବୀକରଣ ଯୋଗ୍ୟ ଶକ୍ତି, ବୟନ ଓ ପ୍ରସାଧନ ଆଦି କ୍ଷେତ୍ର ସହ ଜଡ଼ିତ ଶିଳ୍ପ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଫଳରେ ରାଜ୍ୟରେ ୪୨,୨୭୫ ଜଣଙ୍କୁ କର୍ମନିଯୁକ୍ତି ମିଳିବ ।

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ୧୨୮ତମ ରାଜ୍ୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟିରେ ଏହି ନିବେଶ ଓ ଶିଳ୍ପ ସ୍ଥାପନର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ରାୟଗଡ଼ାରେ ପ୍ରିମିୟର ଏକ୍ସପ୍ଲୋସିଭ କମ୍ପାନୀ ୮୬୪ କୋଟି ଟଙ୍କା ନିବେଶ କରି ପ୍ରତିରକ୍ଷା ବିଭାଗ ପାଇଁ ବିସ୍ଫୋରକ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିବ । ସେହି ଶିଳ୍ପରେ ୩୭୫୦ ଜଣ ନିଯୁକ୍ତି ପାଇବେ । ସମ୍ବଲପୁରରେ ରେଙ୍ଗାଲି ଏସଏମଇଏଲ ଷ୍ଟ୍ରକଚରାଲ ପ୍ରାଇଭେଟ ଲିମିଟେଡ ଆଲୁମିନିୟମ୍ କଏଲ, ଫ୍ଲାଟ ରୋଲଡ ସାମଗ୍ରୀ ଉତ୍ପାଦନ କରିବ । ସେଥିରେ ୫୫୦ ଜଣ ନିଯୁକ୍ତି ପାଇବେ ।

ସେହିପରି ଟେକ୍ସମାକୋ ରେଲ୍ ଓ ଇଞ୍ଜିନିୟରିଂ ଲିମିଟେଡ୍ ୨ ହଜାର ଜଣଙ୍କୁ, ପ୍ରିମିୟମ୍ ଟ୍ରାନ୍ସମିସନ ୭ ଶହ ଜଣଙ୍କୁ, ପର୍ଫେଟକ୍ସ ଟେକ୍ନୋଲୋଜି ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ ୫୫୦୦ ଜଣଙ୍କୁ, ଜୁପିଟର ଇଣ୍ଟରନ୍ୟାସନାଲ ଲିମିଟେଡ ୩୫୦ ଜଣଙ୍କୁ, ଅଲମାମେଟ୍ କମ୍ପାନୀ ୯୫ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବ ।

Get real time updates directly on you device, subscribe now.