fbpx

ଦାରିଦ୍ର୍ୟ ହ୍ରାସ ପାଇଁ କମ କରନ୍ତୁ ଜନସଂଖ୍ୟା, ଜାଣନ୍ତୁ କଣ ନିବେଦନ କଲେ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ: ଦାରିଦ୍ର୍ୟ ହ୍ରାସ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ କରନ୍ତୁ ଏବଂ ‘ସଭ୍ୟ ପରିବାର ଯୋଜନା ନୀତି’ ଗ୍ରହଣ କରନ୍ତୁ । ଏଭଳି ଭାବେ ନିବେଦନ କରିଛନ୍ତି ଦେଶର ଜଣେ ମୁଖ୍ୟମନ୍ତ୍ରୀ । ବିଶେଷକରି ସଂଖ୍ୟାଲଘୁଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଗୁରୁବାର ଏଭଳି ଅନୁରୋଧ କରିଛନ୍ତି । ଆସାମ ସରକାରଙ୍କ ୩୦ ଦିନ ପୂରଣ ଅବସରରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ସମାଜରେ ଦାରିଦ୍ର୍ୟ ହ୍ରାସ କରିବାରେ ସରକାରଙ୍କୁ ସମସ୍ତେ ସମର୍ଥନ କରିବା ଉଚିତ । କ୍ରମାଗତ ଜନସଂଖ୍ୟା ବୃଦ୍ଧି ଯୋଗୁଁ ସରକାରଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେଣୁ ଏହାକୁ ବିଚାର କରି ସୁସ୍ଥ ଓ ପ୍ରଗତିଶୀଳ ସମାଜ ପାଇଁ ସମସ୍ତେ ଆଗେଇ ଆସିବା ଦରକାର ।

ସେ କହିଛନ୍ତି ଯେ ସରକାର ସମସ୍ତ ଗରିବ ଲୋକଙ୍କର ରକ୍ଷକ । କିନ୍ତୁ ଜନସଂଖ୍ୟା ବୃଦ୍ଧି ସମସ୍ୟାକୁ ସମାଧାନ କରିବା ପାଇଁ ସରକାରଙ୍କୁ ସଂଖ୍ୟାଲଘୁମାନଙ୍କ ସମର୍ଥନ ଆବଶ୍ୟକ ରହିଛି । ଶିକ୍ଷାର ଅଭାବ ଏବଂ ଉପଯୁକ୍ତ ପରିବାର ନିୟୋଜନର ଅଭାବ ଏହାର ମୁଖ୍ୟ କାରଣ । ଶର୍ମା ଆହୁରି କହିଛନ୍ତି ଯେ ତାଙ୍କ ସରକାର ସଂଖ୍ୟାଲଘୁ ବର୍ଗର ମହିଳାମାନଙ୍କୁ ଶିକ୍ଷା ଦେବା ଦିଗରେ କାର୍ଯ୍ୟ କରିବେ ଯାହାଦ୍ୱାରା ଏହି ସମସ୍ୟାର ଫଳପ୍ରଦ ସମାଧାନ ହୋଇପାରିବ । ସରକାର ମନ୍ଦିର ଓ ଜଙ୍ଗଲ ଜମିଗୁଡ଼ିକୁ ଅକ୍ତିଆର ହେବାକୁ ଦେବେନାହିଁ । ସଂଖ୍ୟାଲଘୁଙ୍କ ପକ୍ଷରୁ ମଧ୍ୟ ସରକାରଙ୍କୁ ଆଶ୍ୱାସନା ଦିଆଯାଇଛି ଯେ ସେମାନେ ଏହି ଜମିକୁ ଅକ୍ତିଆର କରିବେ ନାହିଁ ।

ସୂଚନାଯୋଗ୍ୟ, ହିମାଂଶୁ ବିଶ୍ୱ ଶର୍ମା ନିକଟରେ ଆସାମର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ଏହାପୂର୍ବରୁ ସେ ସୋନେୱାଲଙ୍କ ନେତୃତ୍ୱାଧୀନ ସରକାରରେ ଶିକ୍ଷା ଓ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ । ଶିକ୍ଷା ମନ୍ତ୍ରୀ ଭାବରେ ଶ୍ରୀ ଶର୍ମା ରାଜ୍ୟରେ ମଦ୍ରାସା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ।

 

Get real time updates directly on you device, subscribe now.