fbpx

କରାଚୀରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜା, ଅଜଣା ଦୁର୍ବୃତ୍ତ ଭାଙ୍ଗିଲେ ମୂର୍ତ୍ତି

Advertisement

ପାକିସ୍ତାନରେ ପୁଣି ଥରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିଛି । ପାକିସ୍ତାନରେ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ପୂଜାସ୍ଥଳରେ ଭଙ୍ଗାରୁଜା ହୋଇଥିବା ନେଇ ଏହି ମାମଲା ସାମ୍ନାକୁ ଆସିଛି । କୁହାଯାଉଛି ଯେ ପ୍ରାୟ ୬ ରୁ ଅଧିକ ଦୁର୍ବୁତ୍ତ ଏହି ଘଟଣା ଘଟାଇଛନ୍ତି । ପୋଲିସର ସୂଚନା ଅନୂଯାୟୀ ପାକିସ୍ତାନର କରାଚୀରେ ଏକ ହିନ୍ଦୁ ମନ୍ଦିରରେ ଦେବତାଙ୍କ ମୂର୍ତ୍ତି ଭଙ୍ଗାଯାଇଛି ।

ଘଟଣା ବିଷୟରେ ପୋଲିସ ତରଫରୁ କୁହାଯାଇଛି ଯେ କରାଚୀର କୋରଙ୍ଗୀ ଅଞ୍ଚଳରେ ଶ୍ରୀ ମାରୀ ମାତା ମନ୍ଦିରରେ ବୁଧବାର ଦେବୀ ଦେବତାଙ୍କ ମୂର୍ତ୍ତି ଭଙ୍ଗାରୁଜା ହୋଇଥିଲା । ପୋଲିସକୁ ସୂଚନା ମିଳିବା ପରେ ଏକ ଟିମ୍ ମନ୍ଦିର ଯାଞ୍ଚ କରିବା ପାଇଁ ପହଞ୍ଚିଥିଲେ, ଏହାପରେ ସ୍ଥାନୀୟ ଲୋକଙ୍କୁ ଘଟଣା ବିଷୟରେ ସୂଚନା ମିଳିଥିଲା ।

ଦ ଏକ୍ସପ୍ରେସ ଟ୍ରିବ୍ୟୁନ୍ ର ଏକ ରିପୋର୍ଟ ଅନୂଯାୟୀ, ଏହି ଘଟଣାକୁ ନେଇ କରାଚୀର ହିନ୍ଦୁ ସମୁଦାୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଅବଶ୍ୟ କୋରଙ୍ଗୀରେ କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ପୋଲିସ ନିୟୋଜିତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ଅନୁଯାୟୀ ୬ ରୁ ୮ ଜଣ ମଟରସାଇକେଲରେ ଆସିଥିଲେ ଏବଂ ସେମାନେ ମନ୍ଦିରରେ ଭଙ୍ଗାରୁଜା କରିଥିଲେ ।

କୋରଙ୍ଗୀ ଥାନା ପ୍ରଭାରୀ ଫାରୁକ ସଂଜରାନୀ କହିଛନ୍ତି ଯେ ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି ଯେ ପାଞ୍ଚରୁ ଛଅ ଅଜଣା ବ୍ୟକ୍ତି ମନ୍ଦିରରେ ଭଙ୍ଗାରୁଜା କରିବା ସହ ସେଠାରୁ ଫେରାର ହୋଇଯାଇଥିଲେ । ସେ କହିଛନ୍ତି ଯେ ମନ୍ଦିର ଉପରେ ଆକ୍ରମଣ କରିଥିବା ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସୂଚନାଯୋଗ୍ୟ, ପାକିସ୍ତାନରେ ଅଳ୍ପସଂଖ୍ୟକ ହିନ୍ଦୁମାନଙ୍କ ମନ୍ଦିରକୁ ଅନେକ ସମୟରେ ଟାର୍ଗେଟ କରାଯାଇଛି ।

ଏହା ପୂର୍ବରୁ ଅକ୍ଟୋବରରେ କୋଟରୀରେ ସିନ୍ଧୁ ନଦୀ ତଟ ସ୍ଥିତ ଏକ ଐତିହାସିକ ମନ୍ଦିରକୁ ଅଜଣା ଲୋକମାନେ ଟାର୍ଗେଟ କରିଥିଲେ । ଏହାକୁ ନେଇ କୋଟରୀ ଥାନାରେ ଅଜ୍ଞାତ ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ସୂଚନା ଅନୁଯାୟୀ ପାକିସ୍ତାନରେ ପ୍ରାୟ ୭୫ ଲକ୍ଷ ହିନ୍ଦୁ ରହୁଛନ୍ତି ଏବଂ ଅଧିକାଂଶ ହିନ୍ଦୁ ସିନ୍ଧୁ ପ୍ରାନ୍ତରେ ବସବାସ କରନ୍ତି, ଯେଉଁମାନେ ଅନେକ ସମୟରେ ଉଗ୍ରବାଦୀଙ୍କ ଦ୍ୱାରା ଉତ୍ପୀଡ଼ନର ଶିକାର ହେବା ନେଇ ଅଭିଯୋଗ କରିଆସୁଛନ୍ତି ।

Get real time updates directly on you device, subscribe now.