fbpx

ହିଟମେୟର ଓ ଚହଲଙ୍କ ଦମଦାର ପ୍ରଦର୍ଶନ: ଜାୟାଣ୍ଟସ ଶିକାର ସହିତ ରାଜସ୍ଥାନର ରୟାଲ ବିଜୟ

ନୂଆଦିଲ୍ଲୀ: ଆଇପିଏଲର ୨୦ ତମ ମୁକାବିଲାରେ ଲକ୍ଷେ୍ନø ସୁପର ଜାୟାଣ୍ଟସକୁ ୩ ରନରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ । ସିମରନ୍ ହିଟମେୟର ଓ ୟୁଜବେନ୍ଦ୍ର ଚହଲଙ୍କ ଦମଦାର ପ୍ରଦର୍ଶନ ବଳରେ ମ୍ୟାଚକୁ ମାତ୍ର ୩ ରନରେ ଜିତି ନେଇଥିଲା ରାଜସ୍ଥାନ । ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ମାତ୍ର ୧୬୫ ରନ କରିଥିଲେ ହେଁ ବୋଲରଙ୍କ ଶୃଙ୍ଖଳିତ ବୋଲିଂ କାରଣରୁ ଦଳ ମ୍ୟାଚକୁ ୩ ୱିକେଟରେ ଜିତି ନେଇଥିଲା । ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ରୟାଲ୍ସକୁ ଭଲ ଓପନିଂ ପାର୍ଟନରଶିପ୍ ମିଳିଥିଲା । ପାୱାର ପ୍ଲେର ଅନ୍ତିମ ଓଭରର ପ୍ରଥମ ବଲରେ ଜୋଶ ବଟଲର(୧୩) ଆଉଟ ହୋଇଥିଲେ । ଅଧିନାୟକ ସାମସନ୍(୧୩), ଦେବଦତ୍ତ ପାଡିକଲ୍(୨୯) ଏବଂ ପ୍ରଥମ ମ୍ୟାଚ୍ ଖେଳୁଥିବା ରାଶି ଭାନ ଦେର ଦୁସେନ(୪) ମାତ୍ର ୭ ରନ ମଧ୍ୟରେ ପ୍ୟାଭିଲିୟନ ଫେରିବାରୁ ଦଳ ୬୭ ରନରେ ୪ ୱିକେଟ ହରାଇଥିଲା ।

ସିମରନ୍ ହିଟମେୟର ଚମକ୍ରାର ବ୍ୟାଟିଂ କରି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ । ଆର ଅଶ୍ୱିନ(୨୮)ଙ୍କୁ ସାଥୀ କରି ୬୮ ରନର ଭାଗିଦାରୀ କରିଥିଲେ ହିଟମେୟର । ୨୩ ବଲ ଖେଳି ଅଶ୍ୱିନ ୨ ଛକା ସହିତ ୨୮ ରନ କରିଥିଲେ । ଅନ୍ୟ ପକ୍ଷରେ ୨୫ ବଲରେ ମାତ୍ର ୨୧ ରନ କରିଥିବା ହିଟମେୟର ଶେଷଆଡକୁ ଗିୟର ବଦଳେଇବା ସହିତ ୧୧ ବଲରୁ ୩୮ ରନ କରିଥିଲେ । ୩୬ ବଲରୁ ୫୯ ରନ କରିଥିବା ହିଟମେୟରଙ୍କ ଇନିଂସରେ ଗୋଟିଏ ଚୌକା ଏବଂ ୬ଟି ଛକା ସାମିଲ ଥିଲା । ଏଲଏସଜି ପକ୍ଷରୁ କ୍ରିଷ୍ଣପ୍ପା ଗୌତମ ୩୦ ରନରେ ଦୁଇଟି ଓ ଜାଶନ ହୋଲ୍ଡର ୫୦ରନରେ ଦୁଇଟି ୱିକେଟ ନେଇଥିଲେ ।

୧୬୬ ରନର ପିଛା କରୁଥିବା ଏଲଏସଜିର ଆରମ୍ଭ କିନ୍ତୁ ଅତ୍ୟନ୍ତ ଦୟନୀୟ ରହିଥିଲା । ପ୍ରଥମ ଦୁଇ ବଲରେ ଦୁଇଟି ୱିକେଟ ନେଇ ଟ୍ରେଣ୍ଟ ବୋଲ୍ଟ ଏଲଏସଜିକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ରାହୁଲ ଏବଂ ଗୌତମ ଖାତା ଖୋଲି ପାରିନଥିବା ବେଳେ ଜାସନ ହୋଲ୍ଡର(୮) ମଧ୍ୟ ବିଫଳ ହୋଇଥିଲେ । କ୍ୱିଣ୍ଟନ ଡିକକ୍(୩୯) ଏବଂ ଦୀପକ ହୁଡା(୨୫)ଙ୍କ ମଧ୍ୟରେ ୩୮ ରନର ଭାଗିଦାରୀ ହୋଇଥିଲେ ହେଁ ଏହା ପର୍ଯ୍ୟାପ୍ତ ନଥିଲା । ଚଳିତ ସିଜିନର ଷ୍ଟାର ଆୟୁଷ ବଦୋନୀ(୫)ରନରେ ଆଉଟ ହେବା ମଧ୍ୟ ଦଳକୁ ବିପର୍ଯ୍ୟୟକୁ ଠେଲି ଦେଇଥିଲା । ଡିକକ୍ ୧୬ ତମ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ ହେଁ ନିଜ ଇନିଂସକୁ ଗତିଶୀଳ କରି ପାରିନଥିଲେ । ମଧ୍ୟ ଓଭରରେ ୟୁଜବେନ୍ଦ୍ର ଚହଲ ୪ଟି ୱିକେଟ ନେଇ ଏଲଏସଜିର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଶେଷ ଆଡକୁ କୃଣାଲ ପାଣ୍ଡ୍ୟାଙ୍କ ୨୨ ଓ ମାର୍କସ ଷ୍ଟୋଇନିସଙ୍କ ଧୂଆଁଧାର ୩୮ ଦଳକୁ ବିଜୟର ନିକଟତର କରାଇଥିଲା ହେଲେ ଶେଷ ଓଭର ବୋଲିଂ କରିଥିବା କୁଲଦୀପ ସେନଙ୍କ ଘାତକ ବୋଲିଂ ବଳରେ ବିଜୟୀ ହୋଇଥିଲା ରାଜସ୍ଥାନ । ୪ଟି ୱିକେଟ ନେଇଥିବା ୟୁଜବେନ୍ଦ୍ର ଚହଲ ପ୍ଲେୟର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିବା ବେଳେ ପର୍ପଲ କ୍ୟାପ୍ ମଧ୍ୟ ହାସଲ କରିଥିଲେ ।

Get real time updates directly on you device, subscribe now.