fbpx
BSKY
BJD SHG SKY
BJD YOUTH SKY

ଘାତକ ହ୍ୱାଇଟ୍ ଫଙ୍ଗସ୍, ମହିଳାଙ୍କ ଅନ୍ତଃନଳୀରେ ହୋଇଗଲା ଛିଦ୍ର

ନୂଆଦିଲ୍ଲୀ: କରୋନା ମହାମାରୀ ଆତଙ୍କ ଭିତରେ ସମ୍ପ୍ରତି ଦେଶକୁ ଘାରିଛି ଫଙ୍ଗସ୍ ଭୟ । ବ୍ଲାକ୍ ଫଙ୍ଗସ୍ ପରେ ପରେ ହ୍ୱାଇଟ୍ ଫଙ୍ଗସ୍ ପାଇଁ ବିଶେଷଜ୍ଞଙ୍କ ଚିନ୍ତା ବଢ଼ି ଯାଇଛି । ବ୍ଲାକ୍ ଫଙ୍ଗସ୍ କୁ ସରକାର ମହାମାରୀ ଘୋଷଣା କରିଥିବାବେଳେ ହ୍ୱାଇଟ୍ ଫଙ୍ଗସର ଭୟାବହତା ଏବେ ସାମ୍ନାକୁ ଆସିଛି । ଏପରିକି ଦେଶର ରାଜଧାନୀ ଦିଲ୍ଲୀରେ ଦେଖାଦେଇଥିବା ଜଣେ ନୂଆ ଆକ୍ରାନ୍ତଙ୍କ ପାଇଁ ଡାକ୍ତରମାନଙ୍କ ମୁଣ୍ଡବ୍ୟଥା ଆରମ୍ଭ ହୋଇଯାଇଛି! ଏପରିକି ସମଗ୍ର ବିଶ୍ୱରେ ଏଭଳି ଆକ୍ରାନ୍ତ ଓ ଏହାର ପ୍ରଭାବରେ ରୋଗୀଙ୍କ ଶରୀରରେ ସୃଷ୍ଟି ହୋଇଥିବା ଜଟିଳତା ପ୍ରଥମ ବୋଲି କୁହାଯାଉଛି ।

ସୂଚନା ଅନୁସାରେ ଜଣେ ୪୯ ବର୍ଷୀୟା ମହିଳା ହ୍ୱାଇଟ୍ ଫଙ୍ଗସରେ ଆକ୍ରାନ୍ତ ହେବା ପରେ ତାଙ୍କ ଅନ୍ତଃନଳୀରେ ଏକ ଛିଦ୍ର ହୋଇଯାଇଛି । ପ୍ରଥମେ ମହିଳାଙ୍କ ପେଟ ବ୍ୟଥା ହେବା ସହ ବାନ୍ତି ହୋଇଥିଲା । ଫଳରେ ତାଙ୍କୁ ଚଳିତ ମାସ ୧୩ ତାରିଖରେ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମହିଳା ଜଣଙ୍କ କର୍କଟ ରୋଗରେ ପୀଡ଼ିତା ଥିଲେ ଏବଂ କିଛିଦିନ ଆଗରୁ ତାଙ୍କୁ କେମୋଥେରାପି ଦିଆଯାଇଥିଲା । ତେବେ ସିଟି ସ୍କାନ୍ ପରେ ତାଙ୍କ ଅନ୍ତଃନଳୀରେ ଏକ ଛିଦ୍ର ହୋଇଯାଇଥିବା ଜଣାପଡ଼ିଛି ।

୪ ଘଣ୍ଟାର ଅପରେସନ୍, ବନ୍ଦ ହେଲା ଛିଦ୍ର

ସାର୍ ଗଙ୍ଗା ରାମ ହସ୍ପିଟାଲର ବରିଷ୍ଠ ବିଶେଷଜ୍ଞ ତଥା ପ୍ରଫେସର ଡାକ୍ତର ଅମିତ୍ ଅରୋରା କହିଛନ୍ତି ଯେ ୪ ଘଣ୍ଟାର ସର୍ଜରୀ ପରେ ସମ୍ପୃକ୍ତ ମହିଳାଙ୍କ ଖାଦ୍ୟନଳୀ ସମେତ ଅନ୍ତଃନଳୀରେ ହୋଇଥିବା ଛିଦ୍ରକୁ ବନ୍ଦ କରାଯାଇ ପାରିଛି । ତେବେ ହ୍ୱାଇଟ୍ ଫଙ୍ଗସ୍ ପାଇଁ ଏଭଳି ଅନ୍ତଃନଳୀରେ ଛିଦ୍ର ହେବା ଘଟଣା ସାରା ବିଶ୍ୱରେ ପ୍ରଥମ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ ଗତ କିଛିଦିନ ମଧ୍ୟରେ ଦେଶରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମିତ ସଂଖ୍ୟା ପ୍ରାୟ ୧୨ ହଜାର ହୋଇଯାଇଛି। କେବଳ ଗୁଜରାଟରେ ୨୮୫୯ ଜଣ ସଂକ୍ରମିତ ଥିବାବେଳେ ଦେଶରେ ୧୧,୭୧୭ ଜଣ ଏହି ମହାମାରୀର ଶୀକାର ହୋଇଛନ୍ତି ।

Get real time updates directly on you device, subscribe now.