fbpx

ସମୁଦ୍ରରେ କାଗଜପତ୍ର ଭସାଉଥିବା ବେଳେ ଚୋକସିଙ୍କୁ ଧରିଥିଲେ ପୋଲିସ, ଭାରତ ପ୍ରତ୍ୟର୍ପଣ ପାଇଁ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ମହାଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ଡୋମିନିକାରୁ ଧରା ପଡିଛି । ଚୋକସି ଡୋମିନିକାରୁ କ୍ୟୁବା ଫେରାର ମାରିବାକୁ ଚାହୁଁଥିଲା । ସେହି ସମୟରେ ଡୋମିନିକା ପୋଲିସ ତାଙ୍କୁ କାବୁ କରି ନେଇଥିଲେ । କୁହାଯାଉଛି ଯେଉଁ ସମୟରେ ମେହୁଲ ଚୋକସି ପୋଲିସ ହାବୁଡରେ ପଡିିଲା, ସେହି ସମୟରେ ସେ ସମୁଦ୍ର କୂଳରେ କିଛି ଜରୁରୀ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ କରୁଥିଲା ।

ଉଲ୍ଲେଖନୀୟ ଇଂଟରପୋଲ ଚୋକସିର ଗିରଫଦାରୀ ପାଇଁ ୟେଲୋ ନୋଟିସ୍ ଜାରି କରିଥିଲା । ଏବେ ଚୋକସିଙ୍କ ଭାରତ ପ୍ରତ୍ୟର୍ପଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଅନ୍ୟପଟେ ଆଂଟିଗୁଆର ପ୍ରଧାନମନ୍ତ୍ରୀ ଗ୍ୟାଷ୍ଟନ ବ୍ରାଉନି ମଧ୍ୟ ସଙ୍କେତ ଦେଇ ସାରିଛନ୍ତି ଯେ, ଚୋକସିଙ୍କୁ ସିଧାସଳଖ ଭାରତ ପଠାଯିବ । ସେ କହିଛନ୍ତି, ଆମେ ଡୋମିନିକା ସରକାରଙ୍କୁୁ କହିଛୁ, ବେଆଇନ ଭାବେ ଡୋମିନିକାରେ ପ୍ରବେଶ କରିଥିବାରୁ ମେହୁଲ ଚୋକସିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ଏବଂ ଆମକୁ ହସ୍ତାନ୍ତର କରିବା ବଦଳରେ ସିଧାସଳଖ ଭାରତକୁ ପ୍ରତ୍ୟର୍ପିତ କରନ୍ତୁ ।

ମେହୁଲ ଚୋକସି ବର୍ତମାନ ଡୋମିନିକା ପୋଲିସ ହେପାଜତରେ ଅଛି । ଡୋମିନିକା ପୋଲିସ ଅନୁଯାୟୀ, ଚୋକସିଙ୍କୁ ଏମିତି ଅଂଚଳରୁ ଗିରଫ କରା ଯାଇଥିଲା ଯେଉଁଠି ଗୋଟିଏ ହେଲେ ବିମାନ ବନ୍ଦର ନଥିଲା । ଡଙ୍ଗା ସାହାଯ୍ୟରେ ଡୋମିନିକାକୁ ପ୍ରବେଶ କରିଥିବା ଆଶଙ୍କା କରାଯାଉଛି । ସ୍ଥାନୀୟ ପୋଲିସ ଅନୁସାରେ ମେହୁଲ ଚୋକସିଙ୍କୁ ଡୋମିନିକାର ରାଜଧାନୀ ରୋଜର କ୍ୟାନଫିଲ୍ଡ ସମୁଦ୍ର କୂଳରେ ଦେଖିବାକୁ ମିଳିଥିଲା । ସେହି ସମୟରେ ସେ ସମୁଦ୍ର କୂଳରେ କିଛି ଜରୁରୀ ଦସ୍ତାବିଜ ଭସାଇ ନଷ୍ଟ କରିବାକୁ ଚେଷ୍ଟା କରୁଥିଲା । ତାର ସନ୍ଦିଗ୍ଧ ଗତିବିଧିକୁ ଦେଖି ପୋଲିସକୁ ସନ୍ଦେହ ହୋଇଥିଲା ଏବଂ ପାଖକୁ ଯାଇ ପଚରା ଉଚୁରା କରିଥିଲା । ଯେବେ ପୋଲିସ ଅଧିକାରୀ ମେହୁଲ ଚୋକସିଙ୍କୁ ଡୋମିନିକା ଆସିବାର ଉଦ୍ଦେଶ୍ୟ ପଚାରିଲେ ସେ ଚକିତ ହୋଇ ପଡିଥିଲା ଏବଂ କିଛି କହିବାକୁ ମନା କରି ଦେଇଥିଲା ।

ବର୍ତମାନ ଯାଏ ମେହୁଲ ଚୋକସି ଯେଉଁ କାଗଜପତ୍ରକୁ ସମୁଦ୍ର କୂଳରେ ଭସାଉଥିଲା, ତାହା ବାସ୍ତବରେ କଣ ଥିଲା ଏହାର ଖୁଲାସା ହୋଇ ପାରି ନାହିଁ । ଦସ୍ତାବିଜର ସନ୍ଧାନ ପାଇଁ ସମୁଦ୍ର ବୁଡାଳିଙ୍କୁ ନିୟୋଜିତ କରାଯିବ ବୋଲି ସ୍ଥାନୀୟ ପୋଲିସ କହିଛି । ପ୍ରାରମ୍ଭିକ ଜେରାରୁ ଏହା ସାମ୍ନାକୁ ଆସିଛି ଯେ, ମେହୁଲ ଚୋକସି ଡଙ୍ଗା ଜରିଆରେ ଡୋମିନିକାରେ ପ୍ରବେଶ କରିଥିଲା ଏବଂ କିଛି ସମୟ ରହିବା ପରେ କ୍ୟୁବା ଫେରାର ମାରିବା ଯୋଜନାରେ ଥିଲା ।

Get real time updates directly on you device, subscribe now.