fbpx

ଝାଡ଼ଖଣ୍ଡ ଦେଇ ଉତ୍ତର-ପଶ୍ଚିମା ମୁହାଁ ହୋଇଚାଲିଛି ବାତ୍ୟା ୟଶ୍

ଭୁବନେଶ୍ୱର: ଝାଡ଼ଖଣ୍ଡରେ ପ୍ରବେଶ କରିବା ପରେ ବାତ୍ୟା ୟଶ୍ ସମ୍ପ୍ରତି ଉତ୍ତର-ପଶ୍ଚିମ ଦିଗକୁ ମୁହାଁଇଛି । ସୂଚନା ଅନୁସାରେ ଗୁରୁବାର ପୂର୍ବାହ୍ଣ ୧୧ଟା ୩୦ ବେଳକୁ ତମାର ନିକଟ ରାଞ୍ଚି-ଖୁଣ୍ଟି ଜିଲ୍ଲାର ସୀମାବର୍ତ୍ତୀ ଦେଇ ୟଶ ଗତି କରୁଥିଲା । ତେବେ ସମୁଦ୍ର ପତ୍ତନଠାରୁ ଉଚ୍ଚତମ କ୍ଷେତ୍ର ତଥା ଝାଡ଼ଖଣ୍ଡର ଛୋଟ ନାଗପୁର ଅଞ୍ଚଳରେ ପ୍ରବେଶ କରିବା ପରେ ବାତ୍ୟା ୟଶ୍ କ୍ରମଶଃ ଦୁର୍ବଳ ହୋଇପଡ଼ିଥିଲା । ଫଳରେ ରାଜ୍ୟର ପ୍ରଭାବିତ ଜିଲ୍ଲାଗୁଡ଼ିକରେ କ୍ରମାଗତ ବର୍ଷା ହେବା ସହ ପବନର ବେଗ ୪୦ରୁ ୫୦ କିମି ପ୍ରତି ଘଣ୍ଟା ରହିଥିଲା ।

ଅନ୍ୟପକ୍ଷରେ ଖରକଇ ନଦୀରେ ଜଳସ୍ତର ବିପଦ ସଂକେତ ଉପରକୁ ପହଞ୍ଚିଥିବାବେଳେ ପୂର୍ବ ସିଂହଭୂମ୍ ଜିଲ୍ଲାରେ ସ୍ୱର୍ଣ୍ଣରେଖା ନଦୀ ଗର୍ଭ ମଧ୍ୟ କ୍ରମାଗତ ବୃଦ୍ଧି ପାଉଥିବା ସୂଚନା ମିଳିଛି । ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଆଣାଯିବା ବ୍ୟବସ୍ଥା କରାଯାଇଛି । ପ୍ରଶାସନ ଦ୍ୱାରା କରାଯାଇଥିବା ଅସ୍ଥାୟୀ ଆଶ୍ରୟସ୍ଥଳରେ ଲୋକମାନଙ୍କୁ ରଖାଯାଉଛି । ବିଶେଷକରି ଜାମଶେଦପୁର ଅନ୍ତର୍ଗତ ଶାସ୍ତ୍ରୀନଗର, ଭୂୟାଁଡିହ, ମାଙ୍ଗୋ ଓ ବାଘବେଡ଼ା ଅଞ୍ଚଳବାସୀଙ୍କୁ ଅଧିକ ସତର୍କ ରହିବାକୁ କୁହାଯାଇଛି । ପ୍ରାୟ ୧୧ହଜାର ଲୋକଙ୍କୁ ଷଢ଼େଇକଳା-ଖରସୁଆଁ, ପୂର୍ବ ଓ ପଶ୍ଚିମ ସିଂହଭୂମ ଜିଲ୍ଲାର ସୁରକ୍ଷିତ ସ୍ଥାନକୁ ନିଆଯାଇଥିବାବେଳେ କୌଣସି ମୃତାହତଙ୍କ ସମ୍ପର୍କରେ ଖବର ମିଳିନି ।

ସୂଚନାଯୋଗ୍ୟ ଯେ ବାତ୍ୟା ୟଶ୍ ବୁଧବାର ବିଳମ୍ବିତ ରାତିରେ ଝାଡ଼ଖଣ୍ଡରେ ସ୍ଥଳଭାଗ ଛୁଇଁଥିଲା । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ, ସ୍ଥାନୀୟ ପ୍ରଶାସନ ଓ ଏନଡିଆରଏଫ୍ ଟିମ୍ ପ୍ରମୁଖ ବାତ୍ୟା ମୁକାବିଲା ପାଇଁ ପୂର୍ଣ୍ଣ ସଜାଗ ରହିଥିଲେ । ବାତ୍ୟାର ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଟିକାକରଣ ପ୍ରକ୍ରିୟାକୁ ଦୁଇଦିନ ପାଇଁ ଅନେକ ଅଞ୍ଚଳରେ ସ୍ଥଗିତ ଘୋଷଣା କରିଥିଲେ । ତେବେ ରାଜ୍ୟର ୭ଟି ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଦିଆଯାଇଥିବାବେଳେ ୪ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଆସନ୍ତା ଦୁଇଦିନ ପ୍ରବଳ ବର୍ଷା ସହ ଥଣ୍ଡା ଲହର ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

Get real time updates directly on you device, subscribe now.