fbpx

କେନ୍ଦ୍ର ସରକାର ଓ ସୋସିଆଲ ମିଡିଆ କମ୍ପାନୀମାନଙ୍କ ମଧ୍ୟରେ ଥମୁନି ବିବାଦ, ଜାଣନ୍ତୁ କଣ ଏହି ବିବାଦୀୟ ନୂତନ ଆଇଟି ନିୟମ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବଂ ସୋସିଆଲ ମିଡିଆ କମ୍ପାନୀ ମାନଙ୍କ ଭିତରେ ନୂତନ ଆଇଟି ନିୟମକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ଏହା ଭିତରେ ସରକାରଙ୍କ ନୁତନ ଆଇଟି ନିୟମ ବିରୋଧରେ ଫେସବୁକ୍ ମାଲିକାନାରେ ଥିବା ବିଶ୍ୱର ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟସଆପ୍ ଅଦାଲତ ପର୍ଯ୍ୟନ୍ତ ପହଞ୍ଚିଲାଣି । ଲଗାତର ଭାବେ ଏହାକୁ ନେଇ ବିବାଦ ଘନେଇବାରେ ଲାଗିଛି । ଅନ୍ୟପଟେ ସରକାର ସମସ୍ତ ସୋସିଆଲ ମିଡିଆ କମ୍ପାନୀ ମାନଙ୍କୁ ନୁତନ ନିୟମକୁ ପାଳନ କରିବାରେ ବିଳମ୍ବ କାହିଁକି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଖାଲି ସେତିିକି ନୁହେଁ ଏଥିମଧ୍ୟରେ ଆହୁରି ବି ଶୁଣିବାକୁ ମିଳୁଛି ଯେ, ଫେସବୁକ୍ ଓ ଟୁଇଟର୍ ଭଳି ଲୋକପ୍ରିୟ ଆପ୍ କୁ ବନ୍ଦ ମଧ୍ୟ କରିଦିଆଯିବ । ତେବେ ଜାଣିବା କଣ ରହିଛି ବିବାଦ ।

୧. ଭାରତ ସରକାର ମେ ୨୬ ତାରିଖରୁ ଆଇଟି ନିୟମ ଲାଗୁ କରିବା ନେଇ ଘୋଷଣା କରିଥିଲେ । ଏହି ନିୟମ ଅନୁସାରେ, ହ୍ୱାଟସଆପ୍ ଏବଂ ଫେସବୁକ୍ ପରି ସୋସିଆଲ ମିଡିଆ ଫ୍ଲାଟଫର୍ମ ଜରିଆରେ ସେୟାର୍ କରାଯାଉଥିବା ମେସେଜ୍ ର ଅରିଜିନାଲ୍ ସୋର୍ସକୁ ଟ୍ରାକ୍ କରିବା ଜରୁରୀ । ଏହା ଦ୍ୱାରା ଯେଉଁ ସବୁ ଗୁଜବ କିମ୍ବା ଭୁଲ୍ ସୂଚନା ବା ଖବର ଭାଇରାଲ୍ କରୁଥିବା ଲୋକ ବିଷୟରେ ଜାଣିହେବ । ଆଉ କୌଣସି ଭୁଲ୍ ଖବରକୁ ପ୍ରଥମେ କିଏ ସେୟାର୍ କରିଥିଲା ତାହା ସଂକ୍ରାନ୍ତରେ ଜାଣିହେବ ।

. ସେହିପରି ନିୟମ ମୁତାବକ, ସୋସିଆଲ ମିଡିଆ କମ୍ପାନୀକୁ କୌଣସି ପୋଷ୍ଟ ପାଇଁ ଅଭିଯୋଗ ଆସିଲେ ଉକ୍ତ ପୋଷ୍ଟ ବିରୋଧରେ ତଦନ୍ତ କରିବାକୁ ପଡିବ । ଏଥିପାଇଁ କମ୍ପାନୀର ତିନୋଟି ଅଧିକାରୀଙ୍କୁ ନିୟୋଜିତ କରାଯିବ । ଏମାନେ ଭାରତୀୟ ହୋଇଥିବା ଦରକାର । ଆଉ ସେମାନଙ୍କ ନମ୍ବର ସୋସିଆଲ ମିଡିଆ ବ୍ୟତୀତ ଆପ୍ ରେ ମଧ୍ୟ ରହିବା ଅନିବାର୍ଯ୍ୟ । ଯାହା ଦ୍ୱାରା ଲୋକ ମାନେ ଅଭିଯୋଗ କରିପାରିବେ । କମ୍ପାନୀର ପୂରା ସିଷ୍ଟମ ଉପରେ ନଜର ରଖିବାକୁ ଷ୍ଟାଫ୍ ମାନେ ରହିବା ଦରକାର ।

୩. ସରକାରଙ୍କ କହିବା କଥା ଯେ, ଏହି ନୂଆ ନିୟମ ଅନୁସାରେ କୌଣସି ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହେବ ନାହିଁ । ସବୁ କିଛି ସୁରକ୍ଷିତ ରହିବ । ଦେଶର ସାର୍ବଭୌମତ୍ୱ କିମ୍ବା ଜନସାଧାରଣଙ୍କ ସୁରକ୍ଷା ବ୍ୟବସ୍ଥା ଏବଂ ଦେଶର ସୁରକ୍ଷା ସହିତ ଜଡିତ ଅତି ଗମ୍ଭୀର ଅପରାଧ ଯୁକ୍ତ ମେସେଜ୍ କୁ ରୋକିବାରେ ଏବଂ ତାକୁ ଯାଞ୍ଚ କରିବାରେ ଏହା ଅନେକ ଗୁଣରେ ସାହାଯ୍ୟ କରିବ ।

୪. ଆଇଟି ନିୟମକୁ ନେଇ ଭାରତ ସରକାର ୨୫ ଫେବୃଆରୀରୁ ଘୋଷଣା କରି ସାରିଥିଲେ । ଏଥିସହିତ ଏହାକୁ ଲାଗୁ କରିବା ପାଇଁ ସୋସିଆଲ ମିଡିଆ କମ୍ପାନୀ ଇନଷ୍ଟାଗ୍ରାମ, ଫେସବୁକ୍, ଟୁଇଟର୍ ଏବଂ ହ୍ୱାଟସଆପ୍ କୁ ୩ ମାସର ସମୟ ଦିଆଯାଇଥିଲା । ହେଲେ ୩ ମାସର ମହଲତ ସରିଯାଇଥିବା ବେଳେ ଏହି ନିୟମକୁ ନ ମାନିବା କାରଣରୁ ସୋସିଆଲ ମିଡିଆ କମ୍ପାନୀ ଗୁଡିକ ବିରୋଧରେ ତଦନ୍ତ କରାଯାଇପାରେ ।

୫. ମେସେଜିଂ ଆପ୍ ହ୍ୱାଟସଆପ୍ ଏହି ନିୟମକୁ ନେଇ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛି । କମ୍ପାନୀ ପକ୍ଷରୁ ଏହି ନିୟମକୁ ନ ମାନିବାକୁ ଆବେଦନ କରାଯାଇଛି । କମ୍ପାନୀର କହିବା କଥା ଯେ, ନିୟମ ଲାଗୁ କରିବା ଦ୍ୱାରା ୟୁଜର୍ ମାନଙ୍କ ପ୍ରାଇଭେସି ଉପରେ ପ୍ରଭାବ ପଡିପାରେ । ଏହା ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ କୁ ଭାଙ୍ଗିଦେବ ।

୬. ତେବେ ନୂତନ ନିୟମ ଲାଗୁ କରିବା ଦ୍ୱାରା ୟୁଜର୍ସଙ୍କର ସମସ୍ତ ପ୍ରାଇଭେଟ୍ ମେସେଜ୍ କୁ ଟ୍ରେସ୍ କରିବାକୁ ପଡିବ । ଆଉ ସବୁ ପ୍ରାଇଭେଟ୍ ମେସେଜ୍ କମ୍ପାନୀ ପାଖରେ ରହିବ । ଏଥିସହିତ ୟୁଜର୍ ମାନଙ୍କର ବିଷୟରେ ଆହୁରି ଅଧିକ ଡାଟା କଲେକ୍ଟ କରିବ । ତେଣୁ ଏହାକୁ ମାନିବାକୁ ପ୍ରସ୍ତୁତ ନଥିବା କୋର୍ଟରେ କହିଛି ହ୍ୱାଟସଆପ୍ ।

୭. ତେବେ ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟର୍ କେନ୍ଦ୍ରର ନୁତନ ଗାଇଡଲାଇନ୍ କୁ ମାନିବାକୁ ଆହୁରି ୬ ମାସ ସମୟ ମାଗିଛି । ସେହିପରି ଭାରତୀୟ ମାଇକ୍ରୋବ୍ଲଗିଂ ସାଇଟ୍ “କୁ” ଆପ୍ ଏହାକୁ ଲାଗୁ କରି ସାରିଛି ।

Get real time updates directly on you device, subscribe now.