fbpx

ରାଜ୍ୟରେ ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ହିଟୱେଭ ସ୍ଥିତି: ପାଣିପାଗ ବିଭାଗ

ଭୁବନେଶ୍ୱର: ସମଗ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଗ୍ରୀଷ୍ମପ୍ରବାହ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଜାରି ରହିବ । ଆଜି ଓ ଆସନ୍ତାକାଲି ତାପମାତ୍ରା ବୃଦ୍ଧି ପାଇ ସର୍ବାଧିକ ୪୬ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ମେ’ ୨ ଯାଏଁ ଏହି ସ୍ଥିତି ରହିବାର ସମ୍ଭାବନା ରହିଛି । କିଛି ସ୍ଥାନ ପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍‍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉପକୂଳ ଅଞ୍ଚଳକୁ ବାଦ୍‍ ଦେଲେ ରାଜ୍ୟର ସମସ୍ତ ସ୍ଥାନରେ ଗତକାଲି ଦିନର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ଥିଲା । ଅନୁଗୁଳ, ବଲାଙ୍ଗିର, ବୌଦ୍ଧ ଓ ନୂଆପଡାରେ ଦିନର ସର୍ବାଧିକ ତାପମାତ୍ରା ୪୪ ଡିଗ୍ରୀରୁ ଅଧିକ ଥିଲା ।

୨୭ରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ନୂଆପଡ଼ା ଓ ଅନୁଗୁଳରେ ଅତି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ବହିବ । ଏଥିପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ୨୮ରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କଲବଲ କରିବ ଗ୍ରୀଷ୍ମପ୍ରବାହ । ୨୯ ଓ ୩୦ରେ ବି ଉତ୍ତର ଓ ପଶ୍ଚିମରେ ତତଲା ପବନ ମାଡ଼ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

Get real time updates directly on you device, subscribe now.