fbpx

(Video) କେଡ଼େ ସୁନ୍ଦର ଏ ପୃଥିବୀ… ଜହ୍ନ ରାଇଜରୁ ପୃଥିବୀର ‘ନଜାରା’ ରେକର୍ଡ କରି ପଠାଇଲା ଚନ୍ଦ୍ରଯାନ

ନୂଆଦିଲ୍ଲୀ: କି ସୁନ୍ଦର ଆହା, କି ଆନନ୍ଦମୟ, ଏହି ବିଶାଳ ସଂସାର… ଭକ୍ତକବି ମଧୁସୂଦନ ରାଓଙ୍କ ଏହି ପଂକ୍ତି ଆଜି ସ୍ୱଚକ୍ଷୁରେ ଦେଖିବାକୁ ମିଳିଛି । ଭକ୍ତକବିଙ୍କ ଏହି ଗୀତକୁ ଚିତ୍ର ମାଧ୍ୟମରେ ଦର୍ଶାଇଛି ଭାରତର ଚନ୍ଦ୍ରଯାନ । ଜହ୍ନ ରାଇଜରୁ ପୃଥିବୀର ଏକ ସୁନ୍ଦର ଦୃଶ୍ୟକୁ କଏଦ କରି ପଠାଇଛି ରୋଭର ପ୍ରଜ୍ଞାନ । ପୃଥିବୀରେ ଆମ ପାଇଁ ସବୁଠାରୁ ସୁନ୍ଦର ଏବଂ ମନୋରମ ଦୃଶ୍ୟ ହେଉଛି ସକାଳର ସୂର୍ଯ୍ୟୋଦୟ ଏବଂ ସନ୍ଧ୍ୟା ସମୟରେ ସୂର୍ଯ୍ୟାସ୍ତ । କିନ୍ତୁ ଚନ୍ଦ୍ରଯାନର ଏହି ଭିଡିଓରେ ରେକର୍ଡ ହୋଇଥିବା ଦୃଶ୍ୟ ତା’ଠାରୁ ଆହୁରି ଅନେକ ଗୁଣରେ ବିସ୍ମୟ ଲାଗୁଛି । କ୍ଷଣିକ ମାତ୍ରରେ ମନ ମୋହି ନେଉଛି ଏହି ଭିଡିଓ ।

ଅନେକ ଗ୍ରହ, ଉପଗ୍ରହ ଏବଂ ତାରା ଇତ୍ୟାଦିକୁ ନେଇ ସୃଷ୍ଟି ହୋଇଛି ଅନ୍ତରୀକ୍ଷ । କିନ୍ତୁ ଅନ୍ତରୀକ୍ଷରୁ ପୃଥିବୀର ଦୃଶ୍ୟ ଅତ୍ୟନ୍ତ ମନୋରମ ଏବଂ ଚିତାକର୍ଷକ । କାରଣ ପୃଥିବୀରେ ଗଛଲତା, ପାହାଡ଼-ପର୍ବତ ଏବଂ ପାଣି ସହିତ ଅନେକ ଜୀବଜନ୍ତୁଙ୍କ ବସ୍ତି ରହିଛି । ତେଣୁ ପୃଥିବୀ ଅନ୍ୟ ଗ୍ରହ ଅପେକ୍ଷା ଅଧିକ ଚଳଚଞ୍ଚଳ ହୋଇଥାଏ । ବୋଧହୁଏ, ସେଥିପାଇଁ ପୃଥିବୀ ଅଶାଠାରୁ ଆହୁରି ଅଧିକ ସୁନ୍ଦର ଦେଖାଯାଏ । ଆଜି ଅନ୍ତରୀକ୍ଷରୁ ଆସିଥିବା ଏକ ଭିଡିଓ ଏହି କଥାକୁ ପ୍ରତିପାଦନ କରୁଛି । ରାତି ସମୟରେ ପୃଥିବୀର ଏକ ଚମତ୍କାର ଏବଂ ଉଜ୍ଜଳ ଚିତ୍ର ଦେଖାଇଛି କ୍ୟାମେରା ।

ଭାଇରାଲ ହେଉଥିବା ଏହି ଭିଡିଓରେ ପୃଥିବୀ ନିଜ ଚାରି ପାକରେ ବୁଲୁଥିବା ସ୍ପଷ୍ଟ ଦେଖାଯାଉଛି । ଏହା ସହିତ ଦେଖିବାକୁ ମିଳିଛି ବାଦଲ, ପାଣି ଏବଂ ଅନ୍ୟାନ୍ୟ ମନମୋହକ ଜିନିଷ । କିନ୍ତୁ ପୃଥିବୀର ଯେଉଁ ଅଂଶରେ ରାତି ହୋଇଛି, ସେଠାକାର ଦୃଶ୍ୟ ଖୁବ ଭିନ୍ନ ଏବଂ ଆକର୍ଷଣୀୟ ରହିଛି । ସେଠାରେ ସୁନ୍ଦର ଝଲସୁଥିବା ଲାଇଟ ଦେଖାଯାଇଛି, ଯାହା ପୃଥିବୀର ସୌନ୍ଦର୍ଯ୍ୟତାକୁ ଆହୁରି ବଢାଇ ଦେଇଛି । ଏହାବ୍ୟତୀତ ଯେଉଁ ଅଂଶରେ ସୂର୍ଯ୍ୟକିରଣ ପଡ଼ିଛି, ସେଠାରେ ଦିନ କିମ୍ବା ସନ୍ଧ୍ୟାର ସମୟ ଦେଖିବାକୁ ମିଳିଛି ଏହି ଭିଡିଓରେ । ତେବେ ଏହି ଭିଡିଓ ପୃଥିବୀର ସୌନ୍ଦର୍ଯ୍ୟତାର ଏକ ଜ୍ୱଳନ୍ତ ଉଦାହରଣ ଏବଂ ବେଶ୍ ହୃଦୟସ୍ପର୍ଶୀ ।

ତେବେ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ଏହି ଭିଡିଓକୁ ଲକ୍ଷ ଲକ୍ଷ ୟୁଜର ଦେଖି ସାରିଛନ୍ତି । ଏହି ମନଲୋଭା ଦୃଶ୍ୟର ଫଟୋ ଏବଂ ଭିଡିଓ ଦେଖିବା ପରେ ସାଧାରଣ ଲୋକେ ଖୁବ ବିସ୍ମୟ ହୋଇଛନ୍ତି । କେବଳ ସେତିକି ନୁହେଁ, ଏହି ଭିଡିଓରେ ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି ଅନେକ ୟୁଜର । ୩୪ ସେକେଣ୍ଡର ଏହି ଭିଡିଓରେ ପୃଥିବୀର ଗତିବିଧି ଏବଂ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ମନକୁ ଛୁଇଁଯାଇଛି ।

Get real time updates directly on you device, subscribe now.