fbpx
BJD
BJD SKY
BJD SKY

ଶ୍ରୀଜୀଉଙ୍କ ରଥ କାଠ ଅନୁକୂଳ କିପରି ହୋଇଥାଏ ? ଜାଣନ୍ତୁ କାହିଁକି ସୁନା କୁରାଢୀରେ ରଥକାଠ ଅନୁକୂଳ ହୁଏ

ଓଡ଼ିଶା ଭାସ୍କର: ଆଜି ପବିତ୍ର ଅକ୍ଷୟ ତୃତୀୟା । ଆଜିଠାରୁ ଆରମ୍ଭ ହେବ ରଥ ନିର୍ମାଣ ଅନୁକୁଳ ନୀତି ଓ ଚନ୍ଦନଯାତ୍ରା । ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ । ଏଥିପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ସମ୍ମୁଖରେ ତିନୋଟି ୧୨ ଫୁଟିଆ ଧଉରା କାଠକୁ ରଖାଯାଇଛି । ଆଜ୍ଞାମାଳ ଆସିବା ପରେ ପୂଜାର୍ଚ୍ଚନା କରାଯାଇ ରଥକାଠ ଅନୁକୁଳ ପରେ ରଥନିର୍ମାଣର ବିଧି ଆରମ୍ଭ ହେବ ।

କିପରି ହୋଇଥାଏ ଶ୍ରୀଜିଉଙ୍କ ରଥକାଠ ନିର୍ମାଣ?

ଏହି ଦିନ ଜଗନ୍ନାଥ ମନ୍ଦିର ସମ୍ମୁଖରେ ୩ ରଥ ପାଇଁ ୩ଟି ଧଉରା କାଠ ରହିଥାଏ । ମହାପ୍ରଭୁଙ୍କ ମଧ୍ୟାହ୍ନ ଭୋଜନ ପରେ ପ୍ରଭୁଙ୍କ ଠାରୁ ଆଜ୍ଞାମାଳ ନେଇ ବଡ଼ ଦେଉଳ ପୁରୋହିତ, ସ୍ତ୍ରୋତୀୟ ବ୍ରାହ୍ମଣମାନେ, ରାଜଗୁରୁ ବିଧି ଅନୁଯାୟୀ ପୂଜା କାର୍ଯ୍ୟ ଆରମ୍ଭ କରନ୍ତି । ୩ ରଥର ୩ ମୁଖ୍ୟ ବିଶ୍ୱକର୍ମାମାନେ ୩ଟି କାଠରେ ଶାଢୀ ବାନ୍ଧି ନିଜର ବ୍ରତ ଆରମ୍ଭ କରନ୍ତି । ରଥକାଠ ନିର୍ମାଣ ଶେଷ ନହେବା ଯାଏଁ ସେମାନେ ହବିଷ ଭକ୍ଷଣ କରନ୍ତି ।

ପରମ୍ପରା ଅନୁସାରେ ୧୨ ଫୁଟ୍ ଲମ୍ବର ୩ ଟି ଧଉରା କାଠକୁ ବଡ଼ ଦେଉଳର ପୁରୋହିତମାନେ ପୂଜା କରନ୍ତି , ଏହି ରଥ ନିର୍ମାଣ ପାଇଁ ଏକ ଅସ୍ଥାୟୀ ତାଟି ନିର୍ମାଣ କରାଯାଏ । । ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ ସୁନା କୁରାଢି ଲଗାଇ ଦେଉଳ ପୁରୋହିତ ପ୍ରଥମେ ତାଳଧ୍ୱଜ, ନନ୍ଦିଘୋଷ ଓ ଶେଷରେ ଦେବଦଳନ ଉଦ୍ଦିଷ୍ଟ କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରି ରଥ କାର୍ଯ୍ୟ କାର୍ଯ୍ୟ ଆରମ୍ଭ କରିଥାନ୍ତି ।

ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସିଥାଏ । ଏହାକୁ ତିନିଜଣ ପୂଜାପଣ୍ଡା ଆଣିଥାନ୍ତି ।

ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣମାନେ ବନଯୋଗ ପୂଜା ସମ୍ପାଦନା କରିବାର ବିଧି ରହିଛି । ରୂପକାର, କମାର, ଚିତ୍ରକର, ଭୋଇ, ଅମୀନ ସେବକମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢୀବନ୍ଧା ନୀତି ପାଳିତ ହୁଏ । ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅବଲମ୍ବନରେ ରଥନିର୍ମାଣ କରାଯାଏ ।

ରଥରେ ୧୧୩୯ ଖଣ୍ଡ କାଠ ଲାଗେ । ସେହି କାଠଗୁଡିକ ହେଲା ଫାସି, ଅସନ, ଧଉରା, ଶିମିଳି, ପାଳଧୂଆ, ମହାନିମ୍ବ, ଗମ୍ଭାରୀ, ମଇ, କଦମ୍ବ, ଦେବଦାରୁ ଇତ୍ୟାଦି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କର୍ମଚାରୀ ରଥଖଳାରେ ଉପସ୍ଥିତ ରହି ଏହିକାମ ସୁରୁଖୁରୁରେ ହେବାରେ ସାହାଯ୍ୟ କରିଥାନ୍ତି ।

ଚନ୍ଦନ ଯାତ୍ରା: ଏହି ଦିନଠାରୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଆରମ୍ଭ ହୁଏ । ଏତଦ୍ ବ୍ୟତୀତ ଓଡ଼ିଶାର ଅନ୍ୟ ସ୍ଥାନରେ ମଧ୍ୟ ଚନ୍ଦନ ଯାତ୍ରା ପାଳନ କରାଯାଏ । ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଏହା ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହା ଅକ୍ଷୟ ତୃତୀୟାଠାରୁ ୨୧ଦିନ ପର୍ଯ୍ୟନ୍ତ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ ।

Get real time updates directly on you device, subscribe now.