fbpx

UP Election: ଯୋଗୀ ସରକାରଙ୍କ କାମରେ କେତେ ଲୋକ ସନ୍ତୁଷ୍ଟ, ଆସିଲା ସର୍ଭେ ରିପୋର୍ଟ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଭାରତୀୟ ଜନତା ପାର୍ଟି(ବିଜେପି) ସରକାରର ପରୀକ୍ଷା ଘଡି ପାଖେଇ ଆସୁଛି। ଯୋଗୀ ଉତ୍ତର ପ୍ରଦେଶରେ ନିଜର କ୍ଷମତା ଜାରି ରଖି ପାରିବେ କି ନାହିଁ ତାହା ଜନତାଙ୍କ ଉପରେ ନିର୍ଭରଶୀଳ। ଏହାର ସଠିକ୍ ଉତ୍ତର ମାର୍ଚ୍ଚ ୧୦ରେ ଭୋଟ୍ ଗଣତି ଦିନ ମିଳିବ। ମାତ୍ର ସି ଭୋଟର ସର୍ଭେରେ ଯେଉଁ ଫଳାଫଳ ସାମ୍ନାକୁ ଆସିଛି, ତାହା ବିଜେପି ପାଇଁ ଆଶ୍ଵସ୍ତିକର ରହିଛି। ସି ଭୋଟର ସର୍ଭେରେ ଜନତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଆପଣ ଯୋଗୀ ସରକାରଙ୍କ କାମରେ କେତେ ଖୁସି। ୪୪ ପ୍ରତିତଶ ଲୋକ ଖୁସିଥିବା କହିଛନ୍ତି। ୨୦ ପ୍ରତିଶତ ଲୋକ ସରକାରଙ୍କ କାମକୁ ହାରାହାରି ଦର୍ଶାଇଥିବା ବେଳେ ୩୬ ପ୍ରତିଶତ ଜନତା ବିଜେପି ସରକାରଙ୍କ କାର୍ଯ୍ୟକୁ ଖରାପ ଶ୍ରେଣୀରେ ରଖିଛନ୍ତି। ଏହି ଦୃଷ୍ଟିରୁ ୬୪ ପ୍ରତିଶତ ଲୋକେ ଯୋଗୀ ସରକାରଙ୍କ କାମରେ ଖୁସି କିମ୍ବା ସନ୍ତୁଷ୍ଟ ଅଛନ୍ତି। କେବଳ ୩୬ ପ୍ରତିଶତ ଅସନ୍ତୁଷ୍ଟ ଅଛନ୍ତି।

ସମାଜବାଦୀ ପାର୍ଟି ଏଥର ବଡ ଦଳକୁ ଅଣଦେଖା କରି ୟୁପିର ଛୋଟ ଛୋଟ ଦଳକୁ ନେଇ ମଇଦାନକୁ ଓହ୍ଲାଇବାକୁ ରଣନୀତି ପ୍ରସ୍ତୁତ କରୁଛି। ସର୍ଭେରେ ଯେବେ ଲୋକଙ୍କୁ ପ୍ରଶ୍ନ କରାଗଲା ଯେ, ଏହି ରଣନୀତିରେ ଅଖିଳେଶଙ୍କୁ ଫାଇଦା ମିଳିବ ନା କ୍ଷତି। ଉତ୍ତରରେ ୪୬ ପ୍ରତିଶତ ଲୋକ ସପାକୁ ଫାଇଦା ମିଳିବ ବୋଲି କହିଛନ୍ତି। ୩୭ ପ୍ରତିଶତ ଲୋକ କ୍ଷତି ହେବ ବୋଲି ମତ ରଖିଛନ୍ତି। ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ୧୪ ପ୍ରତିଶତ ଲୋକ ପ୍ରତିକ୍ରିୟାରେ କହିଛନ୍ତି।

ଡିଜିଟାଲ୍ ପ୍ରଚାରରେ କେଉଁ ଦଳ ଆଗରେ
କରୋନା କାରଣରୁ ନିର୍ବାଚନ ଆୟୋଗ କେବଳ ଭର୍ଚୁଆଲ ରାଲିକୁ ଅନୁମତି ଦେଇଛନ୍ତି। ଡିଜିଟାଲ ପ୍ରଚାରରେ କେଉଁ ପାର୍ଟି ସବୁଠୁ ମଜବୁତ ? ଏହାର ଜବାବରେ ୬୬ ପ୍ରତିଶତ ଲୋକ ବିଜେପିର ନାମ ନେଇଥିବା ବେଳେ ୨୧ ପ୍ରତିଶତ ସପା ବୋଲି କହିଛନ୍ତି। ୩ ପ୍ରତିଶତ ବସପା ଏବଂ ୨ ପ୍ରତିଶତ କଂଗ୍ରେସକୁ ମଜବୁତ ବୋଲି କହିଛନ୍ତି।

Get real time updates directly on you device, subscribe now.