ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ ଅଛନ୍ତି କେତେ ଭାରତୀୟ ? ଜାଣିଲେ ହେବେ ଆଶ୍ଚର୍ଯ୍ୟ। ଭାରତ ଓ ପାକିସ୍ତାନ ମଧ୍ୟମରେ ପରସ୍ପରର ଜେଲରେ ବନ୍ଦୀ ଥିବା କଏଦୀ ଓ ମତ୍ସ୍ୟଜୀବୀଙ୍କ ତାଲିକା ଆଦାନ ପ୍ରଦାନ ହୋଇଛି ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ଭାରତ ୩୮୧ ବେସାମରିକ କଏଦୀ ଏବଂ ୮୧ ଜଣ ମତ୍ସ୍ୟଜୀବୀଙ୍କ ନାମ ସେୟାର କରିଛି, ଯେଉଁମାନେ ପାକିସ୍ତାନୀ କିମ୍ବା ପାକିସ୍ତାନୀ ବୋଲି ବିଶ୍ୱାସ କରାଯାଏ ।
ସେହିଭଳି ପାକିସ୍ତାନ ନିଜ ହେପାଜତରେ ଥିବା ୪୯ ଜଣ ବେସାମରିକ କଏଦୀ ଏବଂ ୨୧୭ ଜଣ ମତ୍ସ୍ୟଜୀବୀଙ୍କ ନାମ ମଧ୍ୟ ସେୟାର କରିଛି, ଯେଉଁମାନେ ଭାରତୀୟ କିମ୍ବା ଭାରତୀୟ ବୋଲି ବିଶ୍ୱାସ କରାଯାଏ ।
୧୮୩ ଜଣ ଭାରତୀୟ ମତ୍ସ୍ୟଜୀବୀ ଓ ବେସାମରିକ କଏଦୀଙ୍କୁ ମୁକ୍ତ କରିବା ପାଇଁ ଭାରତ ସରକାର ପାକିସ୍ତାନକୁ ଆହ୍ୱାନ ଦେଇଛନ୍ତି ।
ଏଥିସହିତ ଭାରତୀୟ ହେପାଜତରେ ଥିବା ୭୬ ଜଣ ପାକିସ୍ତାନୀ ନାଗରିକ, କଏଦୀ ଓ ମତ୍ସ୍ୟଜୀବୀଙ୍କୁ ଚିହ୍ନଟ କରିବା ପାଇଁ ଭାରତ ପାକିସ୍ତାନକୁ ଅନୁରୋଧ କରିଛି ।
୨୦୧୪ ପରଠାରୁ ୨୬୩୯ ଜଣ ଭାରତୀୟ ମତ୍ସ୍ୟଜୀବୀ ଓ ୭୧ ଜଣ ଭାରତୀୟ ବେସାମରିକ କଏଦୀଙ୍କୁ ପାକିସ୍ତାନରୁ ଫେରାଇ ଅଣାଯାଇଛି ।
ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରତିବର୍ଷ ଜାନୁଆରୀ ୧ ରୁ ଜୁଲାଇ ପହିଲା ମଧ୍ୟରେ ଏଭଳି ତାଲିକା ଆଦାନ ପ୍ରଦାନ କରାଯାଇଥାଏ ।