fbpx

କେତେ ଆଉ ଦଳ ବଦଳେଇବ ସିଦ୍ଧୁ; ନିଜ ଦଳ ଗଢିନିଅ

ନୂଆଦିଲ୍ଳୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା କଂଗ୍ରେସ ନେତା ନଭଜୋତ ସିଂ ସିଦ୍ଧୁଙ୍କୁ କଟାକ୍ଷ କରିଛନ୍ତି ହରିୟାଣା ସ୍ୱାସ୍ଥ୍ୟ ମନ୍ତ୍ରୀ ଅନୀଲ ଭିଜ । ଅନ୍ୟ ରାଜନୈତିକ ଦଳମାନଙ୍କୁ ନଷ୍ଟ କରିବା ପରିବର୍ତ୍ତେ ନିଜର ରାଜନୈତିକ ଦଳ ଗଠନ କରିବା ପାଇଁ ସିଦ୍ଧୁଙ୍କୁ ପରାମର୍ଶ ଦେଇଛନ୍ତି ଭିଜ୍ । ଟ୍ୱିଟ୍ କରି ପୂର୍ବତନ ବିଜେପି ସାଂସଦ ସିଦ୍ଧୁଙ୍କୁ ଏପରି କହିଛନ୍ତି ଭିଜ୍ । ଗୋଟିଏ ଦିନ ପୂର୍ବରୁ ସିଦ୍ଧୁ ଆପରେ ଯୋଗ ଦେବା ନେଇ ପରୋକ୍ଷ ଭାବରେ ସୂଚନା ଦେବା ପରେ ଏହାକୁ ନେଇ ସିଦ୍ଧୁଙ୍କୁ ଟାର୍ଗେଟ୍ କରିଛନ୍ତି ଅନୀଲ ଭିଜ୍ । ସିଦ୍ଧୁ କେଉଁ ଦଳରେ ଯୋଗ ଦେବେ ବା ରହିବେ ତାହା ତାଙ୍କର ବ୍ୟକ୍ତିଗତ ମତ । ତେବେ ମୋର ପରାମର୍ଶ ହେଉଛି ଅନ୍ୟ ଦଳକୁ ଯାଇ ସେହି ଦଳକୁ ନଷ୍ଟ କରିବା ପରିବର୍ତ୍ତେ ସିଦ୍ଧୁ ନିଜର ରାଜନୈତିକ ଦଳ ଗଠନ କରିବା ଉଚିତ ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୬ ଯାଏଁ ବିଜେପି ସାଂସଦ ରହିଥିବା ଭାରତୀୟ କ୍ରିକେଟର ନଭଜୋତ ସିଂ ସିଦ୍ଧୁ ୨୦୧୭ରେ କଂଗ୍ରେସରେ ଯୋଗ ଦେଇଥିଲେ । ୨୦୧୭ରେ ପଞ୍ଜାବ ବିଧାନସଭା ନିର୍ବାଚନରେ ଅମ୍ରିତସର ଆସନରୁ ବିଜୟୀ ହୋଇଥିଲେ । ରାହୁଲ ଗାନ୍ଧୀଙ୍କର ଖାସ କୁହା ଯାଉଥିବା ସିଦ୍ଧୁ ମୁଖ୍ୟମନ୍ତ୍ରୀ ପଦବୀ ନେଇ ଆଶାୟୀ ରହିଥିବା ବେଳେ ଏହାକୁ ନେଇ କ୍ୟାପଟେନ ଅମରିନ୍ଦର ସିଂଙ୍କ ସହିତ ତାଙ୍କର ତୁତୁ ମେମେ ଜାରି ରହିଥିଲା । ତେବେ ମଙ୍ଗଳବାର ସିଦ୍ଧୁଙ୍କ ବୟାନ ପରେ ସେ ଆପରେ ଯୋଗ ଦେବାର ସମ୍ଭାବନା ସୃଷ୍ଟି ହୋଇଛି । ଆପ୍ ମୋ କାର୍ଯ୍ୟ ଶୈଳୀରେ ଅତ୍ୟନ୍ତ ଖୁସି ଏବଂ ଏହାକୁ ଗ୍ରହଣ କରୁଛି ବୋଲି ସିଦ୍ଧୁ ଟ୍ୱିଟ୍ କରିଥିଲେ । ପଞ୍ଜାବକୁ ନେଇ ରହିଥିବା ମୋର ଦୃଷ୍ଟିଭଙ୍ଗୀକୁ ଆପ୍ ସମର୍ଥନ କରୁଥିବା ନେଇ ଲେଖି ଟ୍ୱିଟ୍ କରିଥିଲେ ସିଦ୍ଧୁ । ଏହା ସହିତ ସେ ଲେଖିଥିଲେ କଂଗ୍ରେସର ଅନୁଗତ ରହିଥିବା ମୁଁ ଏବଂ ଅନ୍ୟ ସଦସ୍ୟଙ୍କ ବିଷୟରେ ବିରୋଧୀ ଏମିତି କିଛି କହୁଛନ୍ତି- ଯଦି ତୁମେ ଆପକୁ ଆସିବ ତାହେଲେ ଠିକ୍ ହେବ ।

Get real time updates directly on you device, subscribe now.