ଦୀପାବଳି ପୂର୍ବରୁ ବଜାରରେ ବିକ୍ରି ହେଉଛି ନକଲି କାଜୁ! ଅସଲି ଓ ନକଲି କାଜୁକୁ ଚିହ୍ନିବେ କିପରି, ଜାଣନ୍ତୁ ୫ଟି ଉପାୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ବଜାରରେ ବିକ୍ରି ହେଉଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀରେ ନାନା ପ୍ରକାରର କେମିକାଲ ମୁଶୁଛି । ଏନେଇ ଅନେକ ସମୟରେ ଖାଦ୍ୟ ସୁରକ୍ଷା ବିଭାଗର ଯାଞ୍ଚରୁ ପ୍ରମାଣିତ ହୋଇଛି । ବିଭିନ୍ନ ପ୍ରକାରର ପନିପରିବା ଠାରୁ ଆରମ୍ଭ କରି ଫଳ ମଧ୍ୟରେ କୋଉଟା ଅସଲି ଓ କୋଉଟା ନକଲି ତାହା ଜାଣିବା ଏକ ବଡ଼ ଚ୍ୟାଲେଞ୍ଜ । ତେଣୁ ଗ୍ରାହକମାନେ ଯଦି ଏନେଇ ସତର୍କତା ଅବଲମ୍ବନ ନକରନ୍ତି, ତେବେ ଧନହାନୀ ସାଙ୍ଗକୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବେ ।

ତେବେ ଅନ୍ୟ ଖାଦ୍ୟ ସାମଗ୍ରୀ ଭଳି କାଜୁକୁ ନେଇ ମଧ୍ୟ କିଛି ଅସାଧୁ ବ୍ୟବସାୟୀ ଠକୁଥିବା ଖବର ସାମ୍ନାକୁ ଆସିଛି । କାଜୁ ଖାଇବାକୁ ସ୍ୱାଦିଷ୍ଟ ହୋଇଥିବା ବେଳେ ଏହାର ଦାମ୍ ମଧ୍ୟ ବେଶ୍ ଉଚ୍ଚ ରହିଥାଏ । ତେଣୁ ଆପଣମାନେ ଯଦି ଅସଲି ଓ ନକଲି କାଜୁକୁ ଚିହ୍ନଟ କରିନପାରିବେ ତେବେ ଅଯଥାରେ ଶହ ଶହ ଟଙ୍କା ଦୋକାନୀକୁ ଗଣିବେ । ତେବେ କିଛି ସରଳ ଉପାୟ ଅବଲମ୍ବନ କରି ଆପଣମାନେ ଅସଲି-ନକଲି ଭିତରେ ରହିଥିବା ଫରକକୁ ଜାଣିପାରିବେ ।

ଆଗକୁ ଦୀପାବଳୀ ଆସୁଥିବାରୁ ଏଭଳି ସ୍ଥିତିରେ ବିଭିନ୍ନ ମିଠାରେ ଯାବତୀୟ କେମିକାଲ ମିଶାଇ ଲୋକଙ୍କୁ ଅଧିକ ଦାମରେ ଦୋକାନୀମାନେ ବିକ୍ରି କରୁଥିବାର ଖବର ସାମ୍ନାକୁ ଆସିଛି । ତେଣୁ ଆପଣମାନେ ନିଜେ ଖାଇବା ପାଇଁ ବା ଅନ୍ୟକୁ ଉପହାର ଦେବା ପାଇଁ କାଜୁ କିଣୁଥିଲେ ସାବଧାନ ରୁହନ୍ତୁ । ଏହି ନକଲି କାଜୁର ଗୁଣବତ୍ତା ବହୁତ ଖରାପ ହୋଇଥିବାରୁ କାରଣରୁ ତାହାକୁ ଖାଇଲେ ଶରୀର ପାଇଁ କ୍ଷତିକାରକ ହୋଇପାରେ ।

ଏକ ଅସଲି କାଜୁର ଲମ୍ବ ପାଖାପାଖି ୧ ଇଞ୍ଚ ହୋଇଥିବା ବେଳେ ତାହା ସାମାନ୍ୟ ମୋଟା ହୋଇଥାଏ । ତେବେ ଯଦି କୌଣସି କାଜୁ ଏହି ଆକାରଠାରୁ ଅଧିକ ହୋଇଥାଏ ତେବେ ଭାବି ନିଅନ୍ତୁ ତାହା ନକଲି କାଜୁ । ଅସଲି କାଜୁର ମହକ ସାମାନ୍ୟ ମିଠି ହୋଇଥିବା ବେଳେ ନକଲି କାଜୁରୁ ଗନ୍ଧ ଆସିବ । ଯଦି କୌଣସି କାଜୁର ରଙ୍ଗ ହାଲୁକା ହଳଦିଆ ହୋଇଥାଏ ତେବେ ତାହା ନକଲି । ଅସଲି କାଜୁର ରଙ୍ଗ ଧଳା ହୋଇଥାଏ । ଧଳା ଦାଗ ବା କଳା ଦାଗର ଚିହ୍ନ ଥିବା କାଜୁ କିଣନ୍ତୁ ନାହିଁ । ଅସଲି କାଜୁକୁ ଚୋବାଇ ଖାଇଲେ ତାହା ଦାନ୍ତରେ ଲାଖି ଯାଏ ନାହିଁ । ମାତ୍ର ଅନଲି କାଜୁ ଦାନ୍ତରେ ଲାଖି ଯାଇଥାଏ ।

Get real time updates directly on you device, subscribe now.