fbpx

WhatsApp ‘ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ’ ବୋଲି କମ୍ପାନୀ କହୁଛି: ତେବେ ଅପରାଧୀ, ସେଲିବ୍ରେଟିଙ୍କ ଚାଟ୍ ଭାଇରାଲ କରୁଛି କିଏ

ନୂଆଦିଲ୍ଲୀ: ହ୍ୱାଟସଆପ ଚାଟ୍ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ବୋଲି କମ୍ପାନୀ ବିଜ୍ଞାପନରେ ଦର୍ଶାଉଛି । ସାଧାରଣ ଅର୍ଥରେ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ ଅର୍ଥ ହେଉଛି, ମେସେଜ୍ ପଠାଇଥିବା ଓ ଏହାକୁ ରିସିଭ୍ କରିଥିବା ଲୋକଙ୍କ ବ୍ୟତୀତ ଅନ୍ୟ କେହି ଏହାକୁ ଦେଖିପାରିବେ ନାହିଁ । ଏହାକୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଉଥିବାରୁ ମେସେଜକୁ କମ୍ପାନୀ ମଧ୍ୟ ପଢ଼ିପାରିବ ନାହିଁ ବୋଲି କୁହାଯାଉଛି । ହେଲେ ଏଠାରେ ପ୍ରଶ୍ନ ଉଠୁଛି, ବିଭିନ୍ନ ସମୟରେ ଅପରାଧୀ, ସେଲିବ୍ରେଟି, ରାଜନେତାଙ୍କ ଚାଟ୍ ଲିକ୍ ହେଉଛି କିପରି?

୨୦୨୦ ମସିହାରେ ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଚାଟ୍ ଭାଇରାଲ ହୋଇଥିଲା । ନିକଟରେ ଡ୍ରଗ୍ସ କେସରେ ଫସିଥିବା ଅଭିନେତା ଶାହରୁଖ ଖାନଙ୍କ ପୁତ୍ର ଆର୍ଯ୍ୟନ ଓ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଚାଟ୍ ଲିକ୍ ହୋଇଛି । ଏହି ଚାଟରୁ ହିଁ ଅନେକ ସମୟରେ ପ୍ରକୃତ ଦୋଷୀ ଧରାପଡ଼ୁଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି କମ୍ପାନୀ ଡିଣ୍ଡିମ ପିଟୁଥିବା ‘ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ’ ବାସ୍ତବରେ ସତ ନା ମିଛ? । ଏହା କିପରି ଲିକ୍ ହେଉଛି? ଅନ୍ୟମାନେ ଏହାକୁ କିପରି ପଢ଼ିବାରେ ସକ୍ଷମ ହେଉଛନ୍ତି?

ଯଦି ଜଣଙ୍କର ହ୍ୱାଟସଆପ୍ ଚାଟ୍ ଅନ୍ୟ ଜଣେ ପଢ଼ିବାକୁ ଚାହିଁବ ତେବେ ମୋବାଇଲର ବ୍ୟବହାରକାରୀ ହିଁ କେବଳ ଅନୁମତି ଦେଇପାରିବ । ଯଦି ଜଣେ ବ୍ୟକ୍ତି ନିଜର ଫୋନକୁ ଅନଲକ କରୁଛି, ତେବେ ଅନ୍ୟମାନେ ଚାଟକୁ ପଢ଼ିବା ସହ କପି ଓ ଶେୟାର କରିପାରିବେ । ଫୋନ୍ ଅନଲକ୍ ହୋଇନଥିଲେ ଫରେନସିକ୍ ସ୍ୱତନ୍ତ୍ର ଜ୍ଞାନକୌଶଳ ପ୍ରୟୋଗ କରି ଏହାକୁ ଦେଖିପାରିବ । ପୂର୍ବରୁ ଏହି ଚାଟ୍ ଗୁଗଲ ଡ୍ରାଇଭ ଓ ଆଇକ୍ଲାଉଡରେ ବ୍ୟାକଅପ୍ ହୋଇ ରହୁଥିଲା । ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାରକାରୀଙ୍କ ଆକାଉଣ୍ଟର ତଥ୍ୟ ପାଇବା ପାଇଁ ତଦନ୍ତକାରୀ ସଂସ୍ଥା ହ୍ୱାଟସଆପ୍ ସହ ଯୋଗାଯୋଗ କରିଥାନ୍ତି । ଥରେ ହ୍ୱାଟସଆପରେ କୌଣସି ମେସେଜ୍ ଡେଲିଭରି ହୋଇଗଲେ, ତାହାକୁ କମ୍ପାନୀ ଆଉ ଗଚ୍ଛିତ ରଖେନାହିଁ । ଡେଲିଭରି ହୋଇନଥିବା ମେସେଜ୍ ୩୦ ଦିନ ମଧ୍ୟରେ ହ୍ୱାଟସଆପ୍ ସର୍ଭରରୁ ଡିଲିଟ୍ ହୋଇଯାଏ । ତେବେ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ଥିଲେ ଜଣଙ୍କର ମେସେଜ୍ ଅନ୍ୟ ଜଣେ ପଢ଼ିପାରିବ ନାହିଁ । ମାତ୍ର ବର୍ତ୍ତମାନ ସମୟରେ ବହୁମାତ୍ରାରେ ଚାଟ୍ ଲିକ୍ ହେଉଥିବାରୁ ଏହାର ସୁରକ୍ଷା ଉପରେ ଉଠିଛି ପ୍ରଶ୍ନ ।

Get real time updates directly on you device, subscribe now.