ଭାଗ୍ୟଲକ୍ଷ୍ମୀ ମନ୍ଦିରକୁ ନେଇ ହାଇଦ୍ରାବାଦର ନାମ ହେବ ଭାଗ୍ୟନଗର, RSS ଦେଲା ସ୍ୱୀକୃତି

ନୂଆଦିଲ୍ଲୀ- ବଦଳିଯିବ ହାଇଦ୍ରାବାଦର ନାଁ । ହାଇଦ୍ରାବାଦ ବଦଳରେ ହେବ ଭାଗ୍ୟନଗର । ହାଇଦ୍ରାବାଦର ନାଁ ବଦଳିବା ଦାବିକୁ ନେଇ ଆରଏସଏସ ଓ ବିଜେପିର ଦୃଷ୍ଟିଭଙ୍ଗୀ ସ୍ପଷ୍ଟ ହୋଇଛି । ଆରଏସଏସ ଏହି ନାମ ପରିବର୍ତ୍ତନକୁ ଭାରତୀୟ ସଂସ୍କୃତିର ପୁନଃସ୍ଥାପନ କହିଛି । ସଂଘର ୪ ଦିନିଆ ଲୋକମନ୍ଥନ କାର୍ଯ୍ୟକ୍ରମ ଆୟୋଜନ ଅବସରରେ ଏମିତି ମତ ସାମ୍ନାକୁ ଆସିଛି । ଆଗରୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଐତିହାସିକ ସହରର ନାଁ ଭାଗ୍ୟନଗର କରିବାକୁ ଓକିଲାତି କରିସାରିଛନ୍ତି । ଏବେ ଆରଏସଏସର ଆଭିମୁଖ୍ୟରୁ ନାମ ପରିବର୍ତ୍ତନ ଚର୍ଚ୍ଚା ଜୋର ଧରିଛି ।

ଆରଏସଏସର ୪ ଦିନିଆ ଲୋକମନ୍ଥନର ଆୟୋଜକ ପ୍ରଜ୍ଞା ପ୍ରବାହର ସଂଯୋଜକ ନନ୍ଦକୁମାର କହିଛନ୍ତି କି, ଆମ ପାଇଁ ସହର ସବୁବେଳେ ଭାଗ୍ୟନଗର ମହାନଗର ରହିଛି । ଏହି ନାଁ ସହରରେ ଥିବା ପ୍ରସିଦ୍ଧ ଭାଗ୍ୟଲକ୍ଷ୍ମୀ ମନ୍ଦିରକୁ ନେଇ କରାଯାଇଛି । ଏହା ଭାରତର ସାଂସ୍କୃତିକ ଓ ଐତିହାସିକ ପରିଚୟର ପ୍ରତୀକ । ଲୋକମନ୍ଥନର ସମସ୍ତ ନିମନ୍ତ୍ରଣ ପତ୍ର ଓ ପୋଷ୍ଟରରେ ହାଇଦ୍ରାବାଦକୁ ଭାଗ୍ୟନଗର କୁହାଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍ଘାଟନ ରାଷ୍ଟ୍ରପତି ଦୌପଦୀ ମୁର୍ମୁ କରିବେ ଓ ଏଥିରେ ଆରଏସଏସ ପ୍ରମୁଖ ମୋହନ ଭାଗବତ ମଧ୍ୟ ସାମିଲ ହେବେ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ଲୋକମନ୍ଥନ ଏକ ମଞ୍ଚ, ଯେଉଁଠିକୁ ସାରା ଦେଶର କଳାକାର, ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ ମିଳିତ ହୋଇ ଭାରତର ସାଂସ୍କୃତିକ ଚ୍ୟାଲେଞ୍ଜ ଉପରେ ମନ୍ଥନ କରିଥାନ୍ତି । ଚଳିତ ଥରର ବିଷୟ ହୋଇଛି ଲୋକାବଲୋକନ , ଯାହା ଭାରତୀୟ ପରମ୍ପରା, ଲୋକାଚାରର ଗମ୍ଭୀରତା ସହ ଯାଞ୍ଚ କରେ । ଏହି କାର୍ଯ୍ୟକ୍ରମରେ ଲୋକ ବିଚାର, ଲୋକ ବ୍ୟବହାର ଓ ଲୋକ ବ୍ୟବସ୍ଥା ପରି ତିନୋଟି ପର୍ଯ୍ୟାୟରେ ଚର୍ଚ୍ଚା ହେବ । ଏହି କାର୍ଯ୍ୟକ୍ରମରେ ଲିଥୁଆନିଆ, ଆର୍ମୋନିୟା, ଇଣ୍ଡୋନେସିଆ, ରୁଷ ପରି ଦେଶର ପ୍ରତିନିଧି ସାମିଲ ହେବେ ।