fbpx

ଭୋଟ ନ ଦେଲେ ଶ୍ୱଶୁର ଘର ଯିବିନି: ବିବାହ ମଣ୍ଡପରୁ ସିଧା ଭୋଟିଂ କେନ୍ଦ୍ରରେ ଏକାଧିକ ବର-ବଧୂ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ଭୋଟିଂ ସମୟରେ ଆଜି ମତଦାତାଙ୍କ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଦେଖିବାକୁ ମିଳୁଛି କି ଭୋଟର ଯିଏ ଯେଉଁଠି ଯେଉଁ ଅବସ୍ଥାରେ ଅଛନ୍ତି ସେହି ଅବସ୍ଥାରେ ଭୋଟ ଦେବାକୁ ବୁଥ୍‌ରେ ପହଞ୍ଚିଯାଉଛନ୍ତି । ଏହି କ୍ରମରେ କିଛି ରୋଚକ ଛବି ସାମ୍ନାକୁ ଆସିଛି । ଏଥିରେ ବହୁ ବର-କନ୍ୟା ଛବି ରହିଛି ।

ମଧ୍ୟପ୍ରଦେଶ ସିଦ୍ଧି ଭୋଟଗ୍ରହଣ କେନ୍ଦ୍ରରୁ ଏପରି ଏକ ଚିତ୍ର ସାମ୍ନାକୁ ଆସିଛି । ଜୀବେନ୍ଦ୍ର ସିଂହ ଚନ୍ଦେଲ ଓ ତାଙ୍କ ନବବଧୂ ପ୍ରତିମା ସିଂହ ବିବାହର ଠିକ୍ ପରେ ପରେ ସିଧା ଯାଇ ମତଦାନଚ କେନ୍ଦ୍ରରେ ପହଞ୍ଚିଛନ୍ତି । ପ୍ରତିମା କହିଛନ୍ତି ସେ ଶାଶୂ ଘର ଯିବା ପୂର୍ବରୁ ଆଗ ଭୋଟ ଦେଇ ନିଜର ନାଗରିକ ଅଧିକାର ସାବ୍ୟସ୍ତ କରିବେ । ଏହା ସହିତ ଏହି ବରବଧୂ ସମସ୍ତଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି ।

କେବଳ ପ୍ରତିମା ନୁହଁନ୍ତି ମଣ୍ଡଳା ଲୋକସଭା ଆସନରୁ ଆଶାରାଣୀ ସିଙ୍ଗରୋରେ ବାପଘରୁ ବିଦା ହେବା ପୂର୍ବରୁ ପ୍ରଥମେ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି । ସେହିପରି ଏହି କ୍ଷେତ୍ରରୁ ଅନ୍ୟଜଣେ ନବବଧୂ ପୂଜା ଶ୍ୱଶୁର ଘରକୁ ନ ଯାଇ ଆଗ ଭୋଟଗ୍ରହଣ କେନ୍ଦ୍ରକୁ ଯିବେ ବୋଲି ଜିଦି ଧରିଥିଲେ । ତାଙ୍କର ଏପରି କଥାକୁ ତାଙ୍କ ପତି ସମର୍ଥନ କରିଥିଲେ ଓ ବାହାଘର ପରେ ସିଧା ଯାଇ ଉଭୟ ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚିଥିଲେ ।

ସେହିପରି ସିବନୀରେ ଦୁଇ ନବବିବାହିତ ଦମ୍ପତି ନିଜ ଦାମ୍ପତ୍ୟ ଜୀବନର ପ୍ରଥମ ଦିନ ଭୋଟଦାନରୁ ଆରମ୍ଭ କରିଛନ୍ତି । ଏପରିକି ବହୁ ବର ବଧୂ ବାହାଘର ଜୋଡାରେ ଭୋଟ କେନ୍ଦ୍ରରେ ପହଞ୍ଚିଛନ୍ତି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଭୋଟଗ୍ରହଣ କେନ୍ଦ୍ରରୁ ଏବେ ଏହିସବୁ ଫଟୋ ଇଣ୍ଟରନେଟ୍‌ରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି ।

Get real time updates directly on you device, subscribe now.