fbpx

IAS ଅଧିକାରୀ ଗିରଫ: ଦୁର୍ନୀତି ମାମଲାରେ EDର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆଜିକାଲି କିଛି ସରକାରୀ ଅଫିସର ଅନେକ ବେଆଇନ ଆର୍ଥିକ ମାମଲାରେ ଜଡ଼ିତ ହେଉଥିବାର ଦେଖାଯାଉଛି । ଏଭଳି ସ୍ଥିତିରେ ଏହି ଲାଞ୍ଚୁଆ କର୍ମଚାରୀଙ୍କ ବିରୋଧରେ ତଦନ୍ତକାରୀ ସଂସ୍ଥା ତରଫରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ । ତେବେ ଏହା ମଧ୍ୟରେ ଆଜି ଏକ ବଡ଼ ଘଟଣା ଦେଖିବାକୁ ମିଳିଛି । ଜଣେ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ)ର ଜଣେ ଅଫିସରଙ୍କ ବିରୋଧରେ ବଡ଼ ଆକ୍ସନ ନିଆଯାଇଛି ।

ସୂଚନା ମୁତାବକ, ଜମି ଦୁର୍ନୀତି ମାମଲାରେ ଆଜି ଜଣେ ଆଇଏଏସ ଅଧିକାରୀ ଗିରଫ ହୋଇଛି । ଏହି ଅଧିକାରୀ ଜଣଙ୍କ ଝାଡ଼ଖଣ୍ଡ କ୍ୟାଡରର ହୋଇଥିବା ବେଳେ ତାଙ୍କର ନାମ ହେଉଛି ଛବି ରଞ୍ଜନ । ୨୦୧୧ ବ୍ୟାଚର ଏହି ଅଧିକାରୀଙ୍କୁ ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୧୦ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଥିଲା । ଆଜି ଦୁର୍ନୀତି ମାମଲାରେ ଛବିଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ନିୟମ ଆଧାରରେ ଆଇଏଏସ ଅଧିକାରୀଙ୍କ ବୟନ ରେକର୍ଡ କରାଯାଇଥିବା ବେଳେ ଇଡି ତାଙ୍କୁ ରିମାଣ୍ଡରେ ନେବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ରାଞ୍ଚିର ସରକାରୀ ଓ ଘରୋଇ ଜମି ହଡ଼ପ ନେଇ ଜମି ମାଫିଆଙ୍କ ସହିତ ତାଙ୍କର ଲିଙ୍କ ଥିବା ନେଇ ପ୍ରମାଣ ହସ୍ତଗତ ହୋଇଛି । ବେଆଇନ ଆର୍ଥିକ କାରବାର ମାମଲାରେ ଗତବର୍ଷ ୨୦୦୦ ବ୍ୟାଚ ଆଇଏଏସ ଅଫିସର ପୂଜା ସିଂଘଲଙ୍କୁ ମଧ୍ୟ ଇଡି ଗିରଫ କରିଥିଲା । ଛବି ବର୍ତ୍ତମାନ ଝାଡ଼ଖଣ୍ଡର ସାମାଜିକ କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି । ସେ ଆଜି ସକାଳ ୧୦.୪୫ରେ ଇଡି ଅଫିସରେ ପହଞ୍ଚିଥିବା ବେଳେ ସେଠାରେ ତାଙ୍କୁ ଘଣ୍ଟା ଘଣ୍ଟା ଧରି ପଚରାଉଚରା କରାଯାଇଥିଲା ।

Get real time updates directly on you device, subscribe now.