(Video) କପିଲ ଦେବ କାହିଁକି କହିଲେ- କିଛି ଲୋକ ଦୁଃଖ ଭୋଗିବେ କିନ୍ତୁ ଦେଶ ଠାରୁ ଅଧିକ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ

ମୁମ୍ୱାଇ: ଏବେ ଶ୍ରେୟସ ଆୟର ଓ ଈଶାନ କିସାନଙ୍କୁ ନେଇ କ୍ରିକେଟ ଜଗତରେ ଦେଖାଦେଇଛି ଫାଟ । ବିସିସିଆଇ କେନ୍ଦ୍ରୀୟ ଚୁକ୍ତି ତାଲିକା ଜାରି କରିବା ପରେ ଏବେ ଶ୍ରେୟସ ଓ ଈଶାନଙ୍କୁ ନେଇ କ୍ରିକେଟ୍ ଦୁନିଆରେ ଜୋରଦାର ଚର୍ଚ୍ଚା । କାରଣ ଉଭୟଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାଦ ଦେଇଛି ବିସିସିଆଇ । ଦୁଇଦିନ ତଳେ ଅର୍ଥାତ୍ ଫେବୃଆରୀ ୨୮ ତାରିଖରେ ବିସିସିଆଇ ଜାରି କରିଥିବା କେନ୍ଦ୍ରୀୟ ଚୁକ୍ତି ତାଲିକାରେ ଏହି ଦୁଇ ଖେଳାଳିଙ୍କ ନାଁ ନାହିଁ । ଫିଟ୍ ଥାଇ ମଧ୍ୟ ଘରୋଇ କ୍ରିକେଟ ନ ଖେଳିବା ଏହି ଦୁଇ ଭାରତୀୟ କ୍ରିକେଟରଙ୍କୁ ମହଙ୍ଗା ପଡ଼ିଛି । ବିସିସିଆଇ ପରାମର୍ଶ ଦେବା ସତ୍ତ୍ୱେ ଏହାକୁ ଅବମାନନା କରି ଘରୋଇ କ୍ରିକେଟ୍ ନଖେଳିବାରୁ ଏହି ଦୁଇଜଣଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନେଇ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ଦିଆଯାଇଛି । ତେବେ ଶ୍ରେୟସ୍ ଓ ଇଶାନ୍‌ଙ୍କ ଉପରେ ବିସିସିଆଇର ଏପରି କାର‌୍ୟ୍ୟାନୁଷ୍ଠାନକୁ ନେଇ କ୍ରିକେଟ୍ ଜଗତ ଏକପ୍ରକାର ଦୁଇଫାଳ ହୋଇଯାଇଛି ।

ବିସିସିଆଇର ଏଭଳି କଠୋର ପଦକ୍ଷେପକୁ କିଛି ଜଣ ସମର୍ଥନ କରିଥିବା ବେଳେ କିଛି ପୂର୍ବତନ କ୍ରିକେଟର ଏହାକୁ ନାପସନ୍ଦ କରିଛନ୍ତି । ଏପରିକି ଶ୍ରେୟସ ଆୟର ଓ ଇଶାନ୍ କିଷନ୍‌ଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ଦିଆଯିବାକୁ ନେଇ କିଛି ବର୍ତ୍ତମାନର ଖେଳାଳି ଏବଂ ପୂର୍ବତନ କ୍ରିକେଟର ରାଗିଯାଇଛନ୍ତି । ଆଉ ପ୍ରଶ୍ନ କରିଛନ୍ତି କି ଶ୍ରେୟସ ଓ ଈଶାନଙ୍କ ବିରୋଧରେ ଯଦି ଏଭଳି କାର‌୍ୟ୍ୟାନୁଷ୍ଠାନ ନିଆଯାଇଛି ତାହାଲେ ଅନ୍ୟମାନଙ୍କ କ୍ଷେତ୍ରରେ ବିସିସିଆଇ କାହିଁକି ଚୁପ ରହୁଛି । ଦୀର୍ଘ ଦିନ ହେଲା ଭାରତୀୟ ଦଳରୁ ବାହାରେ ରହିଥିବା ଅଭିଜ୍ଞ ୱିକେଟ୍ କିପର ବ୍ୟାଟର ରିଦ୍ଧିମାନ ସାହା ଏହି ପ୍ରସଙ୍ଗରେ ଶ୍ରେୟସ ଓ ଇଶାନ୍‌ଙ୍କ ସମର୍ଥନରେ ବାହାରିଛନ୍ତି । ସେ କହିଛନ୍ତି କି ଯଦି କୌଣସି ଖେଳାଳି ଘରୋଇ କ୍ରିକେଟ୍ ଖେଳିବାକୁ ଚାହୁଁନାହାଁନ୍ତି, ତାହେଲେ ଏଥିପାଇଁ ସେମାନଙ୍କୁ ଜବରଦସ୍ତି କରାଯାଇ ପାରିବ ନାହିଁ । ଯଦିଓ ସାହା ଏକଥା ସ୍ୱୀକାର କରିଛନ୍ତି କି ପ୍ରତ୍ୟେକ ଖେଳାଳିଙ୍କୁ ଆଗକୁ ବଢିବାକୁ ହେଲେ ଘରୋଇ କ୍ରିକେଟ୍‌କୁ ଗୁରୁତ୍ୱ ଦେବା ଦରକାର ।

ଏହି ବିବାଦ ଭିତରେ କିନ୍ତୁ ଏକ ବଡ କଥା କହିିଛନ୍ତି ପୂର୍ବତନ କ୍ରିକେଟର କୀର୍ତ୍ତି ଆଜାଦ୍ । ୧୯୮୩ ବିଶ୍ୱ ବିଜେତା ଦଳର ସଦସ୍ୟ କୀର୍ତ୍ତି ଯଦିଓ ବିସିସିଆଇର ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ତେବେ ସେ କହିଛନ୍ତି କି କେବଳ ଶ୍ରେୟସ ଆୟର ଓ ଇଶାନ୍ କିଷନ୍‌ଙ୍କୁ ଦଣ୍ଡିତ କରିବା ଠିକ୍ ହୋଇନାହିଁ । ବରଂ ସମସ୍ତଙ୍କୁ ଦଣ୍ଡିତ କରିବା ଦରକାର । ସିନିୟର ଖେଳାଳିମାନଙ୍କୁ ବି ବିସିସିଆଇ ଦର୍ପଣ ଦେଖାଇବା ଦରକାର । ଯଦି ଏହି ଦୁଇଜଣ ଯୁବ ଖେଳାଳିଙ୍କୁ ଘରୋଇ କ୍ରିକେଟ୍ ଖେଳିବାକୁ କୁହାଯାଉଛି, ତା’ହେଲେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଭଳି ଖେଳାଳିଙ୍କୁ ବି ରଣଜୀ ଟ୍ରଫି ଭଳି ମ୍ୟାଚ୍ ଖେଳିବାକୁ ବିସିସିଆଇ ନିର୍ଦ୍ଦେଶ ଦେବା ଉଚିତ୍ । ସେମାନେ ବି ଘରୋଇ କ୍ରିକେଟ୍ ଖେଳୁନାହାଁନ୍ତି । ତାହେଲେ ସେମାନଙ୍କୁ କାହିଁକି ଦଣ୍ଡ ଦିଆଯାଉନି ବୋଲି ବିସିସିଆଇକୁ ପ୍ରଶ୍ନ କରିଛନ୍ତି କୀର୍ତ୍ତି ଆଜାଦ୍ । ତେବେ ଏହି ପ୍ରସଙ୍ଗରେ ପୂର୍ବତନ ବିଶ୍ୱବିଜୟୀ ଅଧିନାୟକ ତଥା ପ୍ରଖ୍ୟାତ ଅଲରାଉଣ୍ଡର କପିଳଦେବ କିନ୍ତୁ ବିସିସିଆଇକୁ ସମର୍ଥନ କରିଛନ୍ତି ।

ଶ୍ରେୟସ ଓ ଇଶାନ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ କପିଳ କହିଛନ୍ତି କି ଏହା ବିଲକୁଲ ସଠିକ୍ ଆଉ ଭଲ ନିଷ୍ପତ୍ତି । ଘରୋଇ କ୍ରିକେଟ୍‌ର ଗୁରୁତ୍ୱ ବଜାୟ ରଖିବା ପାଇଁ ଏଭଳି ପଦକ୍ଷେପ ନେଇଥିବାରୁ ବିସିସିଆଇକୁ ମୁଁ ଅଭିନନ୍ଦନ ଜଣାଉଛି । ଏହା ଦ୍ୱାରା କିଛି ଖେଳାଳିଙ୍କୁ ସମସ୍ୟା ହେବ । କିନ୍ତୁ ହେବାକୁ ଦିଅ । ଦେଶଠାରୁ କେହି ବି ବଡ ନୁହେଁ । ଏଭଳି ନିଷ୍ପତ୍ତି ବହୁତ ଆଗରୁ ନେବାର ଥିଲା ।