fbpx

IPL ଫାଇନାଲରେ ବର୍ଷା ହେଲେ… କେଉଁ ଦଳ ପିନ୍ଧିବ ବିଜୟ ମୁକୁଟ? ଜାଣନ୍ତୁ କେମିତି ମିଳିବ ନୂଆ ଚମ୍ପିଆନ୍

AAKASH

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଟୁର୍ଣ୍ଣାମେଣ୍ଟର ୮ଟି ଦଳ ବାଦ୍ ପଡ଼ି ସାରିଥିବା ବେଳେ ଆସନ୍ତାକାଲି ଫାଇନାଲରେ ମୁହାଁମୁହିଁ ହେବେ କୋଲକାତା ଏବଂ ହାଇଦ୍ରାବାଦ । ତେବେ ଉଭୟ ଦଳ ପାଇଁ ବର୍ଷା ଏକ ବଡ଼ ସମସ୍ୟା ହୋଇପାରେ । ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ରେମାଲ ବାତ୍ୟାକୁ ନେଇ ବର୍ଷା ସମ୍ଭାବନା ରହିଛି । ତେଣୁ ବର୍ଷା ଯୋଗୁଁ ମ୍ୟାଚ ବାଧାପ୍ରାପ୍ତ ହେଲେ କିଏ ପାଇବ ବିଜୟ ଏବଂ କାହାକୁ ମିଳିବ ଆଇପିଏଲ ଟ୍ରଫି? ସେ ନେଇ କ’ଣ ରହିଛି ନିୟମ ଆସନ୍ତୁ ଜାଣିବା…

ଆଇପିଏଲ-୨୦୨୪ର ଫାଇନାଲ ମ୍ୟାଚ ପାଇଁ ଏକ ରିଜର୍ଭ ଡେ’ ରଖାଯାଇଛି କି ନାହିଁ, ସେ ନେଇ ଏପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇନାହିଁ । ଗତବର୍ଷ ଫାଇନାଲ(ଚେନ୍ନାଇ ବନାମ ଗୁଜରାଟ) ପ୍ରଥମ ଦିନ କେଳିବା ସମ୍ଭବ ହୋଇ ନ ପାରିବାରୁ ରିଜର୍ଭ ଡେ’ରେ ଖେଳା ଯାଇଥିଲା । ତେବେ ଫାଇନାଲ ମ୍ୟାଚରେ ବର୍ଷା ହେଲେ, ପୁଣିଥରେ ଏହି ବ୍ୟବସ୍ଥା ଲାଗୁ କରାଯିବ । ବର୍ଷା ହେଲେ ରିଜର୍ଭ ଡେ’ ଦିନ ଏହି ମ୍ୟାଚ ଖେଳିବେ କୋଲକାତା ଏବଂ ହାଇଦ୍ରାବାଦ । ତେବେ ଏଥିରେ ମଧ୍ୟ ବର୍ଷା ବାଧକ ସାଜିଲେ, ଅନ୍ୟୁନ ୫-୫ ଓଭରର ମ୍ୟାଚ ଖେଳାଯିବ । ତେବେ ଏହା ମଧ୍ୟ ସମ୍ଭବ ହୋଇ ନ ପାରିଲେ ସୁପର ଓଭରରେ ଚମ୍ପିଆନ୍ ଚୟନ କରିବ ବିସିସିଆଇ । ସେହିପରି ଯଦି ସୁପର ଓଭର ମଧ୍ୟ ଅସମ୍ଭବ ହୋଇଗଲେ, ପଏଣ୍ଟ ଟେବୁଲ ଉପରେ ଉଭୟଙ୍କ ଭାଗ୍ୟ-ଭବିଷ୍ୟ ନିଷ୍ପତ୍ତି ନିଆଯିବ । ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦଳ ଅର୍ଥାତ୍ କୋଲକାତା ନାଇଟ ରାଇଡର୍ସକୁ ଚମ୍ପିଆନ୍ ଭାବରେ ଘୋଷଣା କରାଯିବ ।

ତେବେ ଆଇପିଏଲ ଫାଇନାଲ ଚେନ୍ନାଇର ଏମ. ଚିଦାମ୍ବରମ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହାକୁ ନେଇ ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର ରହିଛି । ଫାଇନାଲ ମ୍ୟାଚ ଦିନ ଏଠାରେ କୌଣସି ବର୍ଷାର ସମ୍ଭାବନା କୁବ କମ୍ ରହିଛି । ଏହିଦିନ ପାଇଁ ୫-୭ ପ୍ରତିଶତ ବର୍ଷା ହେବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ଦିନର ସର୍ବାଦିକ ତାପମାତ୍ରା ୩୭ ଏବଂ ସର୍ବନିମ୍ନ ତାପମାତ୍ରା ୨୯ ଡିଗ୍ରୀ ସେଲସିୟସ ରହିପାରେ ।

ଚଳିତବର୍ଷ ଦମଦାର ପ୍ରଦର୍ଶନ ଜାରି ରଖିଛି କୋଲକାତା ନାଇଟ ରାଇଡର୍ସ । ୧୪ ମ୍ୟାଚରେ ୯ ବିଜୟରୁ ୧୮ ପଏଣ୍ଟ ସହ ଟେବୁଲର ଶୀର୍ଷ ସ୍ଥାନରେ ଲିଗ୍ ପର୍ଯ୍ୟାୟ ଶେଷ କରି ଫାଇନାଲରେ ପ୍ରବେଶ କରିଛି କୋଲକାତା । ଏହାବ୍ୟତୀତ ଅନ୍ୟ ଫାଇନାଲିଷ୍ଟ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଛି । ଲିଗ୍ ପର୍ଯ୍ୟାୟରେ ୮ଟି ବିଜୟ ସହିତ ହାଇଦ୍ରାବାଦ ୧୭ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲା । ଆସନ୍ତାକାଲି ଲିଗ୍ ପର୍ଯ୍ୟାୟର ସର୍ବଶ୍ରେଷ୍ଠ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ତେବେ କିଏ ମାରିବ ବାଜି ତାହାକୁ ସମସ୍ତଙ୍କର ଅପେକ୍ଷା ।

Get real time updates directly on you device, subscribe now.