fbpx
BSKY SKY
BSKY SKY

ଆଇଆଇଟି ମୁମ୍ବାଇ କ୍ଲାସରେ ହମାସ ଆତଙ୍କବାଦୀଙ୍କ ଗୁଣଗାନ, ଭାରତୀୟ ସ୍ୱାଧୀନତା ସଂଗ୍ରାମ ସହ କଲେ ତୁଳନା

BSKY

ନୂଆଦିଲ୍ଲୀ:ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲଜି(ଆଇଆଇଟି) ମୁମ୍ବାଇର କିଛି ଛାତ୍ର କଥିତ ଆକାରରେ ପାଲେଷ୍ଟାଇନ୍ ଆତଙ୍କବାଦୀଙ୍କ ସମର୍ଥନରେ କହିବା ଅଭିଯୋଗରେ ଜଣେ ପ୍ରଫେସର ଓ ଜଣେ ଅତିଥି ବକ୍ତାଙ୍କ ବିରୁଦ୍ଧରେ ପୋଲିସରେ ଅଭିଯୋଗ କରିଛନ୍ତି । ଜଣେ ଅଧିକାରୀ ଏ ବିଷୟରେ ସୂଚନା ଦେଇଛନ୍ତି । ମୁମ୍ବାଇ ଆଇଆଇଟିର ହ୍ୟୁମାନିଟିଜ୍ ଓ ସୋସିଆଲ ସାଇନ୍ସ ବିଭାଗ ପ୍ରଫେସର ଶର୍ମିଷ୍ଠା ଶାହ ଓ ଗେଷ୍ଟ ସ୍ପିକର ସୁଧନ୍ୟା ଦେଶପାଣ୍ଡେଙ୍କ ବିରୁଦ୍ଧରେ ପୋଲିସରେ ଏହି ଅଭିଯୋଗ କରାଯାଇଛି ।

ଇସ୍ରାଏଲ ଓ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ଇତିମଧ୍ୟରେ ୩୫ ଦିନ ପୁରି ଗଲାଣି । ଏହି ଯୁଦ୍ଧରେ ହଜାର ହଜାର ଲୋକଙ୍କ ଜୀବନ ଚାଲିଗଲାଣି । ଗୋଟିଏ ପଟେ ଆମେରିକା ଓ ବ୍ରିଟେନ ପରି ବହୁ ବଡ ଦେଶ ଇସ୍ରାଏଲ ସହିତ ରହିଥିବା ବେଳେ ପାଲେଷ୍ଟାଇନକୁ ୨୨ଗୋଟି ଆରବ ଦେଶର ସମର୍ଥନ ମିଳିଛି ।

ଏହାରି ମଧ୍ୟରେ ଭାରତରେ ବି ଏହି ଯୁଦ୍ଧକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମିଳୁଛି । କିଛି ଲୋକ ଖୋଲାଖୋଲି ଇସ୍ରାଏଲକୁ ସମର୍ଥନ କରୁଛନ୍ତି ତ ଆଉ କିଛି ପାଲେଷ୍ଟାଇନକୁ । ଏହାରି ମଧ୍ୟରେ ଆଇଆଇଟି ମୁମ୍ବାଇର ପ୍ରଫେସର ଓ ଗେଷ୍ଟ ସ୍ପିକରଙ୍କ ବିରୁଦ୍ଧରେ ହମାସ ଆତଙ୍କବାଦୀଙ୍କୁ ସମର୍ଥନ କରିବାକୁ ନେଇ ପୋଲିସରେ ଅଭିଯୋଗ ଦାଖଲ ହୋଇଛି ।

ପୋଲିସକୁ ଦେଇଥିବା ଅଭିଯୋଗ ପତ୍ରରେ ଛାତ୍ରମାନେ ଅଭିଯୋଗ କରିଛନ୍ତି , ଶାହ ଜଣେ କଟ୍ଟରପନ୍ଥୀ ବାମପନ୍ଥୀଙ୍କୁ ନିଜ ପାଠ୍ୟକ୍ରମ କାର୍ଯ୍ୟ ଏଚଏସ୍ ୮୩୫ର ଅଂଶ ରୂପରେ ଆମନ୍ତ୍ରିତ କରି ନିଜ ପଦବୀର ଅନୁଚିତ ଉପଯୋଗ କରିଛନ୍ତି । ସେମାନେ କହିଛନ୍ତି ଅତିଥି ବକ୍ତା ସୁଧନ୍ୟା ଦେଶପାଣ୍ଡେ ପାଲେଷ୍ଟାଇନ ଆତଙ୍କବାଦୀ ଜକାରିଆ ଜୁବୈଦୀର ଗୁଣଗାନ କରିଛନ୍ତି । ଏହାଦ୍ୱାରା ଆଇଆଇଟି ମୁମ୍ବାଇର ଶୈକ୍ଷିକ ଅଖଣ୍ଡତା ଓ ସୁରକ୍ଷା ଉପରେ ପ୍ରଭାବ ପଡିବ ବୋଲି ସେମାନେ ଅଭିଯୋଗ କରିଛନ୍ତି । କାର୍ଯ୍ୟକ୍ରମ ସମୟରେ ଦେଶପାଣ୍ଡେ ଏପରି ଏକ ବୟାନ ଦେଇଛନ୍ତି ଯାହା ଚିନ୍ତା ସୃଷ୍ଟି କରିଛି । ୨୦୨୫ରେ ସେ ପାଲେଷ୍ଟାଇନ୍ ଆତଙ୍କବାଦୀ ଜୁବୈଦୀକୁ ଭେଟିଥିବା କଥା ସ୍ୱୀକାର କରିଥିବା ବେଳେ ହିଂସା ଓ ସଶସ୍ତ୍ର ବିଦ୍ରୋହକୁ ସମର୍ଥନ ମଧ୍ୟ କରିଛନ୍ତି । ଛାତ୍ରମାନେ ଅଭିଯୋଗ କରିଛନ୍ତି କି ଦେଶପାଣ୍ଡେ କହିଛନ୍ତି ପାଲେଷ୍ଟାଇନ ସଂଘର୍ଷ ଏକ ସ୍ୱତନ୍ତ୍ରତା ସଂଗ୍ରାମ ଓ ବିଶ୍ୱ ଇତିହାସରେ ଏପରି କୌଣସି ସଂଘର୍ଷ ହୋଇନାହିଁ ଯାହା ଶତ ପ୍ରତିଶତ ଅହିଂସକ । ଭାରତୀୟ ସ୍ୱାଧୀନତା ସଂଗ୍ରାମ ବି ଶତ ପ୍ରତିଶତ ଅହିଂସକ ନ ଥିଲା ବୋଲି ସେ ମତ ରଖିଛନ୍ତି ।

Get real time updates directly on you device, subscribe now.