ILS ପ୍ରସ୍ତୁତ କଲା ଚମତ୍କାରୀ ହଳଦୀ ବ୍ୟାଣ୍ଡେଜ୍: ଶରୀରର କ୍ଷତ, ଡାଇବେଟିସ୍ ରୋଗୀଙ୍କ କ୍ଷତ ଓ ପୋଡ଼ା ଘା’ ତୁରନ୍ତ ଶୁଖିଯିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଣିଷ ଶରୀର ପାଇଁ ହଳଦୀ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ । ହଳଦୀ ଦ୍ୱାରା ଆମ ଶରୀରର ଅନେକ ରୋଗ ଦୂର ହୋଇଥାଏ । ହଳଦୀରେ ଥିବା ନାନୋ ପାର୍ଟିକିଲ କର୍କ୍ୟୁମିନରେ ଅନେକ ଔଷଧୀୟ ଗୁଣ ରହିଛି । ଏହି କର୍କ୍ୟୁମିନକୁ ବ୍ୟବହାର କଲେ କମ୍ ସମୟ ମଧ୍ୟରେ କ୍ଷତ ଶୁଖି ଯାଉଛି । ମୂଷା ଶରୀରରେ ଏହାକୁ ପରୀକ୍ଷଣ କରି ପ୍ରମାଣିତ ହୋଇଛି । ଭୁବନେଶ୍ୱର ସ୍ଥିତ ଜୀବନ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ) ପକ୍ଷରୁ ନିକଟରେ ଚମତ୍କାରୀ ହଳଦୀ ବ୍ୟାଣ୍ଡେଜ୍ ପ୍ରସ୍ତୁତ କରାଯାଇଛି ।
ତେବେ ସବୁଠାରୁ ବଡ଼ କଥା ହେଉଛି, ଏହି ହଳଦୀ ବ୍ୟାଣ୍ଡେଜ ଖୁବଶୀଘ୍ର ବଜାରରେ ଉପଲବ୍ଧ ହୋଇପାରେ । ଗୁଜରାଟ ଓ ଉତ୍ତରପ୍ରଦେଶର ଦୁଇଟି କମ୍ପାନୀ ଏନେଇ ଆଗ୍ରହ ପ୍ରକାଶ ପରିଛନ୍ତି । ତେବେ ଯଦି ଏହି ହଳଦୀ ବ୍ୟାଣ୍ଡେଜ ବଜାରକୁ ଆସେ ତେବେ ଅନ୍ୟ ବ୍ୟାଣ୍ଡେଜ ଅପେକ୍ଷା ଏହି ବ୍ୟାଣ୍ଡେଜର ଦାମ୍ ଅପେକ୍ଷାକୃତ ଭାବେ ଶସ୍ତା ରହିବ ବୋଲି ଆଇଏଲଏସର ଜଣେ ସିନିୟର ସାଇଣ୍ଟିଷ୍ଟ କହିଛନ୍ତି ।
ଏହି ହଳଦୀ ବ୍ୟାଣ୍ଡେଜକୁ ବ୍ୟବହାର କଲେ ଏହା ଡାଇବେଟିସ ରୋଗୀଙ୍କ କ୍ଷତ, ପୋଡ଼ା ଘା’ ଓ ଶରୀରର କ୍ଷତକୁ କମ୍ ସମୟ ମଧ୍ୟରେ ଶୁଖାଇ ପାରିବ । ପୂର୍ବରୁ କ୍ଷତ ଶୁଖାଇବା ପାଇଁ କେବେ ବି ହଳଦୀକୁ ବ୍ୟାଣ୍ଡେଜ ଆକାରରେ ବ୍ୟବହାର କରାଯାଇ ନଥିଲା । ତେଣୁ କର୍କ୍ୟୁମିନନର ଡେଭଲପ କରିବା ପାଇଁ ଆଇଏଲଏସ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଏହାକୁ ବ୍ୟବହାର କରିବା ଫଳରେ କ୍ଷତକୁ ଶୁଖାଇବା ପାଇଁ ଆଉ ବାରମ୍ବାର ବ୍ୟାଣ୍ଡେଜ ବ୍ୟବହାର କରିବାକୁ ପଡ଼ିବନି ।