fbpx

ILSକୁ ବଡ଼ ସଫଳତା: ବୈଜ୍ଞାନିକମାନେ ଉଦ୍ଭାବନ କଲେ ବ୍ରେନ ମ୍ୟାଲେରିଆ ମେଡିସିନ, ରୋଗୀର ଜୀବନ ବଞ୍ଚିପାରିବ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରେନ ମ୍ୟାଲେରିଆ ଚିକିତ୍ସା କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ଏକ ବଡ଼ ସଫଳତା । ରାଜଧାନୀ ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ) ତରଫରୁ ଗୁରୁତର ମ୍ୟାଲେରିଆ ଓ ବ୍ରେନ ମ୍ୟାଲେରିଆ ମେଡିସିନ ଉଦ୍ଭାବନ କରାଯାଇଛି । ଆଇଏଲଏସ ବୈଜ୍ଞାନିକ ଡକ୍ଟର ଅରୁଣ ନାଗରାଜ ଓ ତାଙ୍କ ଟିମକୁ ଏହି ବଡ଼ ସଫଳତା ମିଳିଛି । ତେବେ ଏହି ମେଡିସିନ ଲୋକଙ୍କର ଜୀବନ ରକ୍ଷା କରିବାରେ ସହାୟକ ବୋଲି ଟିମ୍ ପକ୍ଷରୁ ଦାବି କରାଯାଇଛି ।

ତେବେ ବ୍ରେନ ମ୍ୟାଲେରିଆ ପାଇଁ ପ୍ରସ୍ତୁତ ହୋଇଥିବା ମେଡିସିନର ନାମ ହେଉଛି ‘ଗ୍ରିସେଫୁଲଭିନ’ । ଏହି ମେଡିସିନ ଏହା ମଧ୍ୟରେ ଜୀବଜନ୍ତୁଙ୍କ ଉପରେ ପରୀକ୍ଷଣ ସରିଥିବା ବେଳେ ଏହା ଶତ ପ୍ରତିଶତ ସଫଳତା ହାସଲ କରିଛି । ଅନୁମତି ମିଳିଲେ ଖୁବଶୀଘ୍ର ଏହାର ମାନବ ପରୀକ୍ଷଣ କରାଯାଇ ରୋଗୀ ଚିକିତ୍ସା କ୍ଷେତ୍ରରେ ଉପଯୋଗ କରାଯିବ । ଆଇଏଲଏସର ପୂର୍ବତନ ଡାଇରେକ୍ଟର ସ୍ୱର୍ଗତ ଅଜୟ ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ରେନ୍ ମ୍ୟାଲେରିଆ ମେଡିସିନ ଉପରେ ରିସର୍ଚ୍ଚ ଆରମ୍ଭ ହୋଇଥିଲା ।

ସାରା ବିଶ୍ୱରେ ବର୍ତ୍ତମାନ ମ୍ୟାଲେରିଆ ଭୟଙ୍କର ଭାବେ ବଢ଼ି ଚାଲିଛି । ମ୍ୟାଲେରିଆ ନିରୋଧୀ ମେଡିସିନ ରୋଗୀଙ୍କ ଠାରେ ପ୍ରତିକୂଳ ପ୍ରଭାବ ପକାଉଥିବାରୁ ସେମାନଙ୍କର ଜୀବନ ବଞ୍ଚାଇବା ସମ୍ଭବପର ହେଉନାହିଁ । ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ମାର୍ଗଦର୍ଶିକା ଅନୁସାରେ ରୋଗୀଙ୍କ ଚିକିତ୍ସା କରାଯାଉଥିଲେ ହେଁ ତାହା ଫଳପ୍ରଦ ହେଉନାହିଁ । ତେବେ ଆଇଏଲଏସ ଦ୍ୱାରା ପ୍ରସ୍ତୁତ ଔଷଧ ବଜାର ମୂଲ୍ୟ ଅପେକ୍ଷା କମ୍ ରହିବ । ଏହା ଉଭୟ ଶିଶୁ ଓ ବୟସ୍କ ରୋଗୀଙ୍କ ପାଇଁ ସମ୍ପୂର୍ଣ୍ଣ ନିରାପଦ ସାବ୍ୟସ୍ତ ହେବ । ଅନ୍ତର୍ଜାତୀୟ ହେଲଥ ମାଗାଜିନ୍ ନେଚରରେ ଏହି ଉଦ୍ଭାବନ ବିଷୟରେ ସନ୍ଦର୍ଭ ପ୍ରକାଶ ପାଇଛି ।

Get real time updates directly on you device, subscribe now.