fbpx

ଲ୍ୟାଣ୍ଡଫଲ୍ କରିବନି ବାତ୍ୟା, କିନ୍ତୁ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହେବ ପ୍ରବଳ ବର୍ଷା: IMD ଡିଜି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ହେବାକୁ ଥିବା ବାତ୍ୟା ବିଷୟରେ ଆସିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ସୁଦୃଶ୍ୟ ଲଘୁଚାପ ଝନୀଭୂତ ହୋଇ ୬ ଘଣ୍ଟାରେ ଅବପାତରେ ପରିଣତ ହେବ । ୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା । କିନ୍ତୁ ଆସୁଥିବା ବାତ୍ୟା ଲ୍ୟାଣ୍ଡଫଲ୍ କରିବନି ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ସେ କହିଛନ୍ତି ଯେ, ୧୦ ତାରିଖ ରାତିରେ ବାତ୍ୟା ଦିଗ ପରିବର୍ତ୍ତନ କରିବ । ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ ବାତ୍ୟା । ଦିଗ ବଳଦାଇବା ପରେ ବାତ୍ୟା ଆଉ ସ୍ଥଳଭାଗ ଛୁଇଁବନି । ଓଡ଼ିଶା ହେଉ କି ଆନ୍ଧ୍ୟ, ବାତ୍ୟା କେଉଁଠାରେ ଲ୍ୟାଣ୍ଡଫଲ୍ କରିବନି । ଲ୍ୟାଣ୍ଡଫଲ୍ ନକରି ବାତ୍ୟା ସମୁଦ୍ର ଉପରେ ଚାଲିଯିବ । ସମାନ୍ତରାଳ ଭାବେ ଓଡ଼ିଶା ଉପକୂଳ ଦେଇ ଯିବ ବାତ୍ୟା ।

୯ ତାରିଖରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ସମୁଦ୍ରରେ ଥିବା ମତ୍ସ୍ୟଜୀବୀ ୮ ସୁଦ୍ଧା ଚାଲିଆସିବାକୁ ପରାମର୍ଶ ଦିଆଯାଇଛି । ୧୦ ସନ୍ଧ୍ୟା ପରେ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହେବ । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, ପୁରୀରେ ବର୍ଷା ହେବ । କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଇଏମଡିର ଡିଜି କହିଛନ୍ତି ।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ଆସାନର ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଶନିବାର ଅଗ୍ନିଶମ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ଏକ ପ୍ରେସମିଟ୍ କରି ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । ବରମୁଣ୍ଡାରେ ଶ୍ରୀ ଉପାଧ୍ୟାୟ ପ୍ରେସମିଟ୍ କରି ସବିଶେଷ ସୂଚନା ପ୍ରଦାନ କରିଛନ୍ତି । ଏହା ସହ ପ୍ରତି ଜିଲ୍ଲା ହେଡ୍ କ୍ୱାଟରରେ ଆବଶ୍ୟକ ସାମଗ୍ରୀ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସରଞ୍ଜାମଗୁଡ଼ିକୁ ଯାଞ୍ଚ କରି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.