fbpx

୧୦ଟି ରାଜ୍ୟରେ କରୋନା ପଜିଟିଭ୍ ହାର ୮୫ ପ୍ରତିଶତ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ, ୧୫/୦୫(ଓଡିଶା ଭାସ୍କର) : କେନ୍ଦ୍ରିୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଶନିବାର ଦେଶରେ କରୋନା ମାମଲାର ସ୍ଥିତି ସମ୍ପର୍କରେ ସୁଚନା ଦିଆଯାଇଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଦେଶର ୧୦ଟି ରାଜ୍ୟରେ କରୋନା ମାମଲା ୮୫ ପ୍ରତିଶତ ରହିଛି । ଏହି ରାଜ୍ୟମାନଙ୍କରେ କୋଭିଡ୍ ମାମଲା ୧ ଲକ୍ଷରୁ ଅଧିକ ରହିଛି । ସେହିପରି ୨୪ ଟି ରାଜ୍ୟରେ ସଂକ୍ରମଣ ହାର ୧୫ ପ୍ରତିଶତରୁ ଅଧିକ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯ଼ୁଗ୍ମ ସଚିବ ଲବ୍ ଅଗ୍ରୱାଲ୍ କହିଛନ୍ତି ଯେ, ଦେଶରେ ସୁସ୍ଥଙ୍କ ହାରରେ ସୁଧାର ଆସିଛି । ମେ ୩ରେ ସୁସ୍ଥ ହାର ୮୧.୩ ପ୍ରତିଶତ ରହିଥିଲା । ହେଲେ ଏବେ ଏହା ୮୩.୩୩ ପ୍ରତିଶତ ହୋଇଛି ।

ଅପରପକ୍ଷରେ ୨୪ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ୧୫ ପ୍ରତିଶତରୁ ଅଧିକ ପଜିଟିଭ୍ ହାର ରହିଛି । ଏଥିସହିତ ୫ ରୁ ୧୦ ପ୍ରତିଶତ ମାମଲା ୧୦ଟି ରାଜ୍ୟରେ ରହିଛି । ଗତ ୧ ସପ୍ତାହ ମଧ୍ୟରେ ୧୮ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ପଜିଟିଭ୍ ହାର କମ୍ ହୋଇଛି । ସେଗୁଡିକ ହେଲା ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ହରିୟାଣା, ବିହାର ଓ ଗୁଜୁରାଟ । ସେହିପରି ସଂକ୍ରମଣ ବଢୁଥିବା ରାଜ୍ୟମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶା, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ପଂଜାବ, ଆସାମ, ହିମାଚଳପ୍ରଦେଶ ଓ ପୁଡ଼ୁଚେରୀ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯ଼ୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି । ଏହା ବ୍ୟତୀତ ପୂର୍ବରୁ ଦେଶବ୍ୟାପୀ ପଜିଟିଭ୍ ହାର ୨୧.୯ ପ୍ରତିଶତ ରହିଥିବା ବେଳେ ବର୍ତ୍ତମାନ ଏହାର ହାର ହ୍ରାସ ପାଇ ୧୯.୮ ପ୍ରତିଶତରେ ରହିଛି ।

ଖାଲି ସେତିକି ନୁହେଁ ଡ. ରଣଦୀପ ଗୁଲେରିୟା କହିଛନ୍ତି ଯେ, ବର୍ତ୍ତମାନ ବ୍ଲାକ୍ ଫଙ୍ଗସ୍ ଦ୍ୱାରା ସଂକ୍ରମିତ ହୋଇ ୨୩ ଜଣଙ୍କର ଏମ୍ସ ରେ ଚିକିତ୍ସା ଚାଲିଛି । ସେମାନଙ୍କ ମଧ୍ୟରୁ ୨୦ ଜଣ କୋଭିଡ୍ ସଂକ୍ରମିତ ହୋଇଥିବା ବେଳେ ବାକି ୩ ଜଣ କୋଭିଡ୍ ମୁକ୍ତ ହୋଇ ସାରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ବିଭିନ୍ନ ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ରେ ଆକ୍ରାନ୍ତ ମାମଲା ୫୦୦ରୁ ଅଧିକ ରହିଛି । ଏହି ବ୍ଲାକ୍ ଫଙ୍ଗସ୍ ବିଶେଷ କରି ଆଖି, ନାକ ଏବଂ ଶ୍ୱାସକ୍ରିୟା ଉପରେ ପ୍ରଭାବ ପକାଏ । ଏହାର ପ୍ରଭାବରେ ଦୃଷ୍ଟି ଶକ୍ତି ମଧ୍ୟ ଯିବାର ଆଶଙ୍କା ଥାଏ ।

Get real time updates directly on you device, subscribe now.