fbpx

୨୪ ଘଣ୍ଟାରେ ୨୪ ଜଣଙ୍କ ମୁଣ୍ଡ ନେଲାଣି ସରକାରୀ ହସ୍ପିଟାଲ: ୧୨ ଜଣ ଶିଶୁ ବି ଥିଲେ ସାମିଲ

ମୁମ୍ବାଇ: ମାତ୍ର ୨୪ ଘଣ୍ଟା ବା ଗୋଟିଏ ଦିନ । ଏହି ୨୪ ଘଣ୍ଟା ଭିତରେ, ଗୋଟିଏ ମେଡିକାଲରେ ୨୪ ଜଣ ମୃତ୍ୟୁବରଣ କରିସାରିଛନ୍ତି । ତେବେ ଏହା ଭିତରେ ୧୨ ଜଣ ଶିଶୁ ମଧ୍ୟ ଏଥିରେ ସାମିଲ ରହିଛନ୍ତି । ଏହି ମାମଲାକୁ ନେଇ ବର୍ତ୍ତମାନ ସବୁଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ସରକାରୀ ମେଡିକାଲରେ ପ୍ରତି ଘଣ୍ଟାରେ ଜଣେ ରୋଗୀ ମୃତ୍ୟୁବରଣ କରିବା ଘଟଣାକୁ ସହଜରେ ହଜମ କରିପାରି ନାହାନ୍ତି ଦେଶବାସୀ । ନାନ୍ଦେଡ଼ର ଶଙ୍କରରାଓ ଚୌହାନ ସରକାରୀ ହସ୍ପିଟାଲରେ ୨୪ ଜଣ ରୋଗୀଙ୍କ ମୃତ୍ୟୁକୁ ନେଇ ଏବେ ହଙ୍ଗାମା ଆରମ୍ଭ ହୋଇଯାଇଛି ।

ଏଭଳି ଏକ ସଙ୍ଗୀନ ମାମଲାକୁ ନେଇ ମେଡିକାଲର ଡିନ୍ କହିଛନ୍ତି ଯେ, ୨୪ ଜଣ ରୋଗୀଙ୍କ ମଧ୍ୟରୁ ଅଧିକାଂଶ କେସ ସାପ କାପୁଡ଼ାରେ ପ୍ରାଣ ହରାଇଥିବା ବେଳେ ଅନ୍ୟାନ୍ୟ ରୋଗରୁ ମଧ୍ୟ କିଛି ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି । ତେବେ ୧୨ ଜଣ ଶିଶୁଙ୍କ ମଧ୍ୟରୁ ୬ ଜଣ ନବଜାତ ଶିଶୁପୁତ୍ର ଏବଂ ୬ ଜଣ ନବଜାତ ଶିଶୁକନ୍ୟା ପ୍ରାଣ ହରାଇଛନ୍ତି । ସେହିପରି ବିଭିନ୍ନ ରୋଗରୁ ୧୨ ବୟସ୍କ ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି । ବିଭିନ୍ନ କର୍ମଚାରୀଙ୍କ ସ୍ଥାନାନ୍ତରଣ ଯୋଗୁଁ କିଛି ସମସ୍ୟାର ସାମନା କରିବାକୁ ପଡ଼ୁଛି ବୋଲି ସେ ପ୍ରକାଶ କରିଛନ୍ତି ।

ଏହାପରେ ଡିନ୍ କହିଛନ୍ତି ଯେ, ଆମେ ତୃତୀୟ ସ୍ତରର ଚିକିତ୍ସା କରୁଥିବା କେନ୍ଦ୍ର ଏବଂ ୭୦-୮୦ କିଲୋମିଟର ପରିଧିରେ ଏହା ଏକମାତ୍ର ସ୍ଥାନ । ତେଣୁ ରୋଗୀ ଦୂର ଦୂରାନ୍ତରୁ ଏଠାକୁ ଚିକିତ୍ସା ପାଇଁ ଆସୁଛନ୍ତି । କିଛି ଦିନ ମଧ୍ୟରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଯାହା ଫଳରେ ହସ୍ପିଟାଲର ବଜେଟ ପାଇଁ ବଡ଼ ସମସ୍ୟା ସୃଷ୍ଟି ହେଉଛି । ଡିନ୍ କହିବା ଅନୁସାରେ, ହେଫାକିନ ଇନଷ୍ଟିଚ୍ୟୁଟରୁ ଔଷଧ କିଣିବାର ଥିଲା । କିନ୍ତୁ ତାହା ମଧ୍ୟ ହୋଇ ପାରୁନାହିଁ । ଏହାପରେ ମଧ୍ୟ ସ୍ଥାନୀୟ ସ୍ତରରେ ଔଷଧ କିଣି ରୋଗୀମାନଙ୍କୁ ଦିଆଯାଇଥିବା କହିଛନ୍ତି ହସ୍ପିଟାଲର ଡିନ୍ ।

ସେପଟେ ମୃତ୍ୟୁ ପାଇଁ ‘ଟ୍ରିପଲ ଇଞ୍ଜିନ ସରକାର’କୁ ଦୋଷୀ ବୋଲି କହିବା ସହ ଏନସିପି ସାଂସଦ ସୁପ୍ରିୟା ସୁଲେ ପ୍ରତିଟି ମୃତ୍ୟୁକୁ ଗମ୍ଭୀରତାର ସହ ଯାଞ୍ଚ କରିବାକୁ ଦାବି କରିଛନ୍ତି । ଏହାସହିତ ବିିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ସ୍ୱୀକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଦାବି କରିଛନ୍ତି ସୁପ୍ରିୟା । ସେହିପରି ଶିବସେନାର ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଏହାକୁ ଏକ ଲଜ୍ଜାଜନକ ଘଟଣା ବୋଲି ଦର୍ଶାଇଛନ୍ତି । ଏହା ମୃତ୍ୟୁ ନୁହେଁ, ଅଣସମ୍ବିଧାନିକ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ହିଁ ଏଥିପାଇଁ ଦାୟୀ ବୋଲି କହିଛନ୍ତି ପ୍ରିୟଙ୍କା ।

Get real time updates directly on you device, subscribe now.