fbpx

ଘର ଭିତରର ବାୟୁ ଆପଣଙ୍କ ଜୀବନ ପ୍ରତି ବିପଦ ଆଣିପାରେ

ବାୟୁ ପ୍ରଦୂଷଣ ଆମ ଜୀବନ ପ୍ରତି ବିପଦ ଅଟେ । ପ୍ରତିବର୍ଷ ଡିସେମ୍ବର ମାସ ୨ ତାରିଖକୁ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ରୂପେ ପାଳନ କରାଯାଇଥାଏ । ଏକ ସର୍ଭେରୁ ଜଣାଯାଇଛି ଯେ ସର୍ବାଧିକ ପ୍ରଦୂଷିତ ଦେଶମାନଙ୍କ ମଧ୍ୟରେ ଭାରତ ପାଞ୍ଚ ନମ୍ବର ସ୍ଥାନରେ ରହିଛି । ସାଧାରଣତଃ ଆମ୍ଭେମାନେ ଭାବିଥାଉ ଯେ, ବାହାର ପରିବେଶର ବାୟୁ ପ୍ରଦୂଷିତ ଓ ଘର ଭିତରର ବାୟୁ ସ୍ୱଚ୍ଛ ବୋଲି । କିନ୍ତୁ ଏହା ଏକ ଭୁଲ୍ ଧାରଣା ।
ପ୍ରାୟତଃ ଅନେକ ଲୋକ ଘରମାନଙ୍କରେ କୋଇଲା କିମ୍ବା କାଠ ଜାଳି ହାତ ସେକିଥାନ୍ତି । ଏହାର ଧୂଆଁ ଘର ମଧ୍ୟକୁ ପ୍ରବେଶ କରି ଘର ଭିତରର ବାୟୁକୁ ପ୍ରଦୂଷିତ କରିଥାଏ । ଆମେ ଉକ୍ତ ବାୟୁକୁ ନିଃଶ୍ୱାସରେ ଗ୍ରହଣ କରୁ, ଯାହାକି ଆମ ଶରୀର ପ୍ରତି କ୍ଷତିକାରକ ହୋଇଥାଏ ।
ବହୁ ଲୋକ ଧୂମ୍ରପାନ କରି କ୍ୟାନସର ଆଦି ରୋଗର ଶିକାର ହୋଇଥାନ୍ତି । କିଛିଲୋକ ଘର ମଧ୍ୟରେ ସିଗାରେଟ କିମ୍ବା ବିଡ଼ି ଟାଣିଥାନ୍ତି । ଏହାର ଧୂଆଁ ଚାରିଆଡ଼େ ବ୍ୟାପିବା ଦ୍ୱାରା ନିରୀହ ଲୋକ ମଧ୍ୟ ଏହି ଧୂଆଁକୁ ନିଃଶ୍ୱାସରେ ଗ୍ରହଣ କରିଥାନ୍ତି ।
ରୋଷେଇ ଘରର ଧୂଆଁ ଓ ଗାଧୁଆ ଘରର ଗନ୍ଧକୁ ଦୂର କରିବା ପାଇଁ ଆପଣ ଏୟାର କ୍ଲିନର ପଙ୍ଖାର ବ୍ୟବହାର କରିପାରିବେ । ଆପଣମାନେ ଘରର ଏସିର ଫ୍ୟାନରେ ଏକ ଏୟାର ଫିଲଟର ମଧ୍ୟ ଲଗାଇ ବାୟୁକୁ ଶୁଦ୍ଧ କରିପାରିବେ ।
ଘରମାନଙ୍କରେ ଗୃହପାଳିତ ପଶୁପକ୍ଷୀ ପୋଷୁଥିଲେ ସେମାନଙ୍କୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ । ଶୟନକକ୍ଷ, କପଡ଼ା, ଆସବାପତ୍ର ଆଦିଠାରୁ ସେମାନଙ୍କୁ ଦୂରେଇ ରଖନ୍ତୁ । କାରଣ ସେମାନଙ୍କ ଦେହରେ ଅନେକ ପ୍ରକାର ଜୀବାଣୁ ବାହାରୁ ଲାଗିଆସିଥାନ୍ତି ।
ଘରମାନଙ୍କରେ କାର୍ପେଟ ପ୍ରାୟତଃ ବ୍ୟବହାର କରାଯାଏ । ଏହି କାର୍ପେଟରେ ଅସଂଖ୍ୟ ଧୂଳିକଣା, ମଇଳା ଜମି ରହିଥାଏ । ତେଣୁ ଯେତେ ସମ୍ଭବ କମ କାର୍ପେଟ ଘରମାନଙ୍କରେ ପକାନ୍ତୁ ।
ଆପଣ ବ୍ୟବହାର କରୁଥିବା ଜୋତା, ଚପଲ ମାଧ୍ୟମରେ ଘର ମଧ୍ୟକୁ ବହୁତ ଆବର୍ଜନା ଚାଲି ଆସିଥାଏ । ତେଣୁ ଘରର ପ୍ରବେଶପଥରେ ମ୍ୟାଟ୍ ପକାଇ ପରିବାର ସଦସ୍ୟ ଓ ବନ୍ଧୁପରିଜନ ସମସ୍ତେ ଭଲଭାବରେ ଗୋଡ଼ ପୋଛି ଘରକୁ ପ୍ରବେଶ କରିବା ଉଚିତ ।
ଦୁର୍ଗନ୍ଧକୁ ଦୂରେଇବା ପାଇଁ ପ୍ରାୟ ଲୋକ ଘରମାନଙ୍କରେ ରୁମ୍ ଫ୍ରେସନର, ଅଗରବତୀ, ଧୂପ ଆଦି ବ୍ୟବହାର କରିଥାନ୍ତି । ଏହି ସୁଗନ୍ଧଯୁକ୍ତ ଦ୍ରବ୍ୟମାନଙ୍କରେ ରାସାୟନିକ ପଦାର୍ଥ ମିଶିଥାଏ । ଯାହା ଆମ ଶରୀର ପ୍ରତି ହାନୀକାରକ ।
ଘରମାନଙ୍କରେ ଠିକଭାବରେ ଭେଣ୍ଟିଲେସନ ରହିବା ଆବଶ୍ୟକ । ନଚେତ ଘର ଭିତରକୁ ତାଜା ବାୟୁ ଆସିବାରେ ବାଧା ଉପୁଜିଥାଏ । ମୁକ୍ତ ବାୟୁ ଚଳାଚଳ ପାଇଁ ଘରେ ଝରକା ଖୋଲା ରଖିବା ଉଚିତ ।

Get real time updates directly on you device, subscribe now.