fbpx

ମାତ୍ର ୧୪ ଘଣ୍ଟାରେ ୮୦୦ ଭୂକମ୍ପ… ମାଟି ତଳେ ତରଳିଲାଣି ଲାଭା! ଜରୁରୀକାଳୀନ ପରିସ୍ଥିତି ଘୋଷଣା

ନୂଆଦିଲ୍ଲୀ: ବର୍ତ୍ତମାନ ପୃଥିବୀର ବିଭିନ୍ନ ସ୍ଥାନରେ ଲଗାତାର ଭୂମିକମ୍ପ ଦେଖିବାକୁ ମିଳୁଛି । ଅଧିକାଂଶ ସମୟରେ ତୀବ୍ର ଭୂମିକମ୍ପ ବହୁ ଜନଜୀବନ ନଷ୍ଟର ପ୍ରମୁଖ କାରଣ ପାଲଟିଛି । ତେବେ ନିକଟ ଅତୀତରେ କିଛି ତୁର୍କୀ ଏବଂ ନେପାଳ ଇତ୍ୟାଦି ଦେଶରେ ଭୂମିକମ୍ପର ଭୟାନକ ରୂପ ଦେଖିବାକୁ ମିଳିଛି । ଏହାବ୍ୟତୀତ ଆଇସଲାଣ୍ଡରେ ଭୂମିକମ୍ପ ଯୋଗୁଁ ଅନେକ କ୍ଷୟକ୍ଷତି ଘଟିବା ପରେ ନିଆଯାଇଛି ଏକ ବଡ଼ ପଦକ୍ଷେପ । ଏଠାରେ ଲାଭା ଉଦଗୀରଣ ହେବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି । ଫଳରେ ଆଇସଲାଣ୍ଡରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।

ଆଇସଲାଣ୍ଡର ଦକ୍ଷିଣ-ପଶ୍ଚିମ ସହର ଗ୍ରୀଣ୍ଡଭିକରେ ଭୂକମ୍ପର ସିଲସିଲୋବାର ଝଟକା ପରେ ଜ୍ୱାଳାମୁଖୀ ବିସ୍ଫୋଟ ହେବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ଏଠାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହୋଇଛି । ନିକଟରେ ଗ୍ରିଣ୍ଡଭିକର ଫାଗ୍ରାଡଲ୍ସଫଜାଲ ଜ୍ୱାଳାମୁଖୀର ଆଖପାଖ ଅଞ୍ଚଳରେ ଭୂମିକମ୍ପର ହଜାର ହଜାର ଝଟକା ଦିଆଯାଇଛି । ଏହାସହିତ ସ୍ଥାନୀୟ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ମଧ୍ୟ ଘର ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଇସଲାଣ୍ଡର ନାଗରିକ ସୁରକ୍ଷା ଏବଂ ଜରୁରୀକାଳୀନ ପ୍ରବନ୍ଧନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ନେସନାଲ ପୋଲିସ ମୁଖ୍ୟ ଗ୍ରିଣ୍ଡଭିକ ଉତ୍ତରୀୟ କ୍ଷେତ୍ରରେ ଭୂକମ୍ପ ଗତିବିଧି ଯୋଗୁଁ ନାଗରିକ ସୁରକ୍ଷା ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଉଛି ।

ତେବେ ସ୍ଥାନୀୟ ପାଣିପାଗ ବିଭାଗ ଅନୁସାରେ, ବୁଧବାର ଏବଂ ଗୁରୁବାର ମଧ୍ୟରେ ୨୪ ଘଣ୍ଟାରେ ରିକ୍ଟର ସ୍କେଲରେ ଭୂକମ୍ପର ପ୍ରାୟ ୧୪୦୦ ଝଟକା ରେକଡଅର୍ କରାଯାଇଛି । ସେହିପରି ମେଟ ଅଫିସ ମୁତାବକ ଶୁକ୍ରବାରର ପ୍ରଥମ ୧୪ ଘଣ୍ଟାରେ ହିଁ ୮୦୦ ଥର ଭୂକମ୍ପ ଆସିଥବା ସୂଚନା ଦିଆଯାଇଛି । ତେବେ ଏହାକୁ ନଜରରେ ରଖି ବ୍ଲୁ ଲେଗୁନ୍ ଲାଣ୍ଡମାର୍କକୁ ବନ୍ଦ କରାଯାଇଛି । ତେବେ ସ୍ଥାନୀୟ ଅଞ୍ଚଳର ମାଟି ତଳେ ବହୁ ମାତ୍ରାରେ ଲାଭା ତରଳୁଥିବା ନେଇ ଆଶଙ୍କା କରାଯାଉଥିବା ବେଳେ ଏହା କୌଣସି ମୁହୂର୍ତ୍ତରେ ବାହାରକୁ ଆସିପାରେ ବୋଲି ମଧ୍ୟ ଭୟ ଦେଖାଦେଇଛି । ଏହି ଲାଭା ସହରର ଜନବସତି ଆଡ଼କୁ ମଧ୍ୟ ପହଞ୍ଚିପାରେ ବୋଲି ସମ୍ଭାବନା ଦେଖାଦେବା ପରେ ଏଠାକାର ଲୋକଙ୍କୁ ଅଞ୍ଚଳ ଛାଡ଼ି ଯିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।

Get real time updates directly on you device, subscribe now.