fbpx
BJD
BJD SKY
BJD SKY

ନିଠାରୀ କାଣ୍ଡ: ସୁରେନ୍ଦ୍ର କୋଲୀ ଓ ମନିନ୍ଦର ପଣ୍ଢେରଙ୍କ ଫାଶୀଦଣ୍ଡ ରଦ୍ଦ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ନୋଏଡ଼ାର ବହୁଚର୍ଚ୍ଚିତ ନିଠାରୀ କାଣ୍ଡ ସହ ଜଡ଼ିତ ଦୁଇଟି ମାମଲାରେ ଆହ୍ଲାବାଦ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ଅଭିଯୁକ୍ତ ସୁରେନ୍ଦ୍ର କୋଲୀ ଓ ମନିନ୍ଦର ସିଂହ ପଣ୍ଢେରଙ୍କ ଫାଶୀଦଣ୍ଡାଦେଶକୁ କୋର୍ଟ ରଦ୍ଦ କରିଦେଇଛନ୍ତି । ଏଥିସହିତ ଏହି ମାମଲାରେ ଦୁହିଁଙ୍କୁ କୋର୍ଟ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି । କୋର୍ଟଙ୍କ ଶୁଣାଣି ପରେ ଏବେ ସୁରେନ୍ଦ୍ର ଓ ମନିନ୍ଦରଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି ।

ନିଠାରୀ କାଣ୍ଡରେ ସିବିଆଇ ପକ୍ଷରୁ ୧୬ଟି ମାମଲା ଦାୟର କରାଯାଇଥିଲା । ସେଥିମଧ୍ୟରୁ ସୁରେନ୍ଦ୍ରଙ୍କୁ ୧୪ଟି ମାମଲାରେ ସଜ୍ଜା ମିଳିସାରିଛି । ଅନ୍ୟପକ୍ଷରେ ମନିନ୍ଦରଙ୍କ ବିରୋଧରେ ୬ଟି ମାମଲା ଦାୟର ହୋଇଥିଲା । ସେଥିମଧ୍ୟରୁ ୩ଟି ମାମଲାରେ ଫାଶୀଦଣ୍ଡ ଶୁଣାଣି ହୋଇଥିବା ବେଳେ ଦୁଇଟି ମାମଲାରେ ପୂର୍ବରୁ ସେ ମୁକ୍ତ ହୋଇଥିଲେ ।

୨୦୦୫ରୁ ୨୦୦୬ ମସିହାରେ ନୋଏଡ଼ାରେ ହୋଇଥିବା ନିଠାରୀ କେସରେ ସିବିଆଇ ପକ୍ଷରୁ ସୁରେନ୍ଦ୍ରଙ୍କୁ ହତ୍ୟା, ଅପହରଣ, ଦୁଷ୍କର୍ମ ଓ ପ୍ରମାଣ ନଷ୍ଟ ନେଇ ଅଭିଯୁକ୍ତ ସାବ୍ୟସ୍ତ କରାଯାଇଥିଲା । ଅନ୍ୟପକ୍ଷରେ ମନିନ୍ଦରଙ୍କୁ ମାନବ ତସ୍କରୀ ମାମଲାରେ ଅଭିଯୁକ୍ତ ଭାବେ ଉପସ୍ଥାପିତ କରାଯାଇଥିଲା । ନିଜର ଫାଶୀଦଣ୍ଡାଦେଶ ନେଇ ଦୁଇ ଅଭିଯୁକ୍ତ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଉକ୍ତ ଘଟଣାରେ କେହି ପ୍ରତ୍ୟକ୍ଷଦର୍ଶୀ ନଥିଲେ, କେବଳ ବୈଜ୍ଞାନିକ ପ୍ରମାଣ ଆଧାରରେ ଦଣ୍ଡାଦେଶ ଶୁଣାଣି କରାଯାଇଥିଲା ବୋଲି ଅଭିଯୁକ୍ତଙ୍କ ପକ୍ଷରୁ କୁହାଯାଇଥିଲା ।

୨୦୦୬ ମସିହା ମେ ମାସ ୭ ତାରିଖରେ ନିଠାରୀର ଜଣେ ଯୁବତୀଙ୍କୁ ମନିନ୍ଦର ଚାକିରି ଦେବାକୁ ଡକାଇଥିଲେ । ଏହାପରେ ଯୁବତୀ ଆଉ ଘରକୁ ଫେରିନଥିଲେ । ତେଣୁ ତାଙ୍କର ପିତା ନୋଏଡ଼ାର ସେକ୍ଟର ୨୦ ଥାନାରେ ଏକ ନିଖୋଜ ମାମଲା ଦାୟର କରିଥିଲେ । ଏହାପରେ ଡିସେମ୍ବର ୨୯ରେ ନିଠାରୀରେ ମନିନ୍ଦରଙ୍କ କୋଠୀ ପଛପାଖ ଏକ ନାଳରୁ ପୋଲିସ ୧୯ ଶିଶୁ ଓ ମହିଳାଙ୍କ କଙ୍କାଳ ପାଇଥିଲା । ଏହାପରେ ପୋଲିସ ମନିନ୍ଦର ଓ ତାଙ୍କ ଚାକର ସୁରେନ୍ଦ୍ରଙ୍କୁ ଗିରଫ କରିଥିଲା । ପରବର୍ତ୍ତୀ ସମୟରେ ଏହି ମାମଲା ସିବିଆଇକୁ ହସ୍ତାନ୍ତରିତ କରାଯାଇଥିଲା ।

Get real time updates directly on you device, subscribe now.