fbpx

ବିଦାୟୀ ମ୍ୟାଚରେ ଝୁଲଣ ଗୋସ୍ବାମୀଙ୍କୁ ସିରିଜ ବିଜୟ ଭେଟି ଦେଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମହିଳା କ୍ରିକେଟ୍ ଦଳ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଇଂଲଣ୍ଡକୁ ୧୭ରନ୍ ରେ ପରାସ୍ତ ସହିତ ଭାରତ ସିରିଜ କବଜା କରିଛି। ୩୬ ବର୍ଷ ପରେ ଇଂଲଣ୍ଡର ମାଟିରେ ଏକ କ୍ଲିନ ସୁଇପ୍ କରିବାରେ ମଧ୍ୟ ସଫଳ ହୋଇଛି। ଆଜି ଲଣ୍ଡନର ଐତିହାସିକ ଲର୍ଡ କ୍ରିକେଟ୍ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚ ଭାରତର ଝୁଲଣ ଗୋସ୍ବାମୀ ତାଙ୍କ ଖେଳ ଜୀବନର ଶେଷ ମ୍ୟାଚ୍ ଖେଳୁଥିଲେ। ଭାରତ ଏହି ବିଜୟ ସହିତ ଝୁଲଣଙ୍କୁ ବିଦାୟୀ ମ୍ୟାଚ୍ ରେ ବିଜୟ ଭେଟି ଦେଇଛି। ଏହି ସିରିଜ ପୂର୍ବରୁ ଝୁଲଣ ତାଙ୍କର ଅବସର ଘୋଷଣା କରିସାରିଥିଲେ। ଏହାର ଜବାବରେ ଇଂଲଣ୍ଡ ଦଳ କେବଳ ୪୩.୪ ଓଭରରେ ୧୫୩ ରନ୍ କରିପାରିଥିଲା। ଏହି ମ୍ୟାଚରେ ଝୁଲଣ ଗୋସ୍ୱାମୀ ୧୦ ଓଭରରେ ୩୦ ରନ୍ ଦେଇ ୨ ୱିକେଟ୍ ନେଇଥିଲେ।

ପପ୍ରଥମେ ବ୍ୟାଟିଂ କରି ଭାରତ ସମସ୍ତ ୱିକେଟ୍ ହରାଇ ୪୫.୪ ଓଭରରେ ୧୬୯ ରନ୍ ସଂଗ୍ରହ କରିଥିଲା। ଭାରତର ଭଲ ଆରମ୍ଭ ନଥିଲା ଏବଂ ପାୱାରପ୍ଲେ ଭିତରେ ଦଳ ତିନୋଟି ୱିକେଟ୍ ହରାଇଥିଲା। ଓପନର୍ ସ୍ମୃତି ମାନ୍ଧାନା କିଛି ସମୟ ପାଇଁ ଭାରତୀୟ ପାଳିକୁ ସମ୍ଭାଳି ନେଇଥିଲେ। କିନ୍ତୁ ସେ ମଧ୍ୟ ୭୯ ବଲରେ ୫୦ ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ଶେଫାଳି ବର୍ମା, ୟସ୍ତିକା ଭାଟିଆ ମଧ୍ୟ ଖାତା ଖୋଲିପାରିନଥିଲେ। ୯ ବଲରେ ୪ ରନ୍ ସ୍କୋର କରିବା ପରେ କ୍ୟାପଟେନ ହରମାନପ୍ରୀତ କୌର ଆଉଟ ହୋଇଯାଇଥିଲେ। ତେବେ ଦୀପ୍ତି ଶର୍ମା ଅର୍ଦ୍ଧଶତକ ସହ ଭାରତକୁ ସମ୍ମାନଜନକ ସ୍କୋରକୁ ନେଇଥିଲେ। ୧୦୬ ବଲରୁ ୬୮ ରନ କରି ଦୀପ୍ତି ଅପରାଜିତ ରହିଥିଲେ।

୧୭୦ ରନ୍ ର ବିଜୟ ଲକ୍ଷକୁ ପିଛା କରି ଇଂଲଣ୍ଡ ଭଲ ଆରମ୍ଭ କରିଥିଲେ ମଧ୍ୟ ମାଧ୍ୟ୍ୟକ୍ରମର ବ୍ୟାଟିଂ ବିଫଳତା କାରଣରୁ ବିଜୟଠାରୁ ଦୂରରେ ରହିଯାଇଥିଲା। ଭାରତର ରେଣୁକା ସିଂ ଜବରଦସ୍ତ ବୋଲିଂ କରି ଇଂଲଣ୍ଡର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ।

Get real time updates directly on you device, subscribe now.