ନୂଆଦିଲ୍ଲୀ: ବର୍ତ୍ତମାନ ମହଙ୍ଗା ମାଡ଼ ସାଧାରଣ ଲୋକଙ୍କୁ କଲବଲ କରୁଛି । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ହେଉ କି ପେଟ୍ରୋଲ-ଡିଜେଲ ଦର ବା ପନିପରିବା । ସବୁଠି ଲୋକମାନେ ଦରବୃଦ୍ଧି ମାଡ଼ରେ ଚାପି ହୋଇ ଯାଉଛନ୍ତି । ଯାହା ଫଳରେ ଗରିବ ଶ୍ରେଣୀର ଲୋକମାନଙ୍କ ରୋଷେଇଘରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ବର୍ତ୍ତମାନ ବଜାରରେ ହୁ ହୁ ହୋଇ ବଢିଚାଲିଛି ପରିବା ଦର । ଭେଣ୍ଡି କିଲେ ପ୍ରତି ୪୬୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଥିବା ବେଳେ ୧୪୦ ଟଙ୍କାରେ ବିକ୍ରି ହେଉଛି ଟମାଟୋ । ଯାହାକୁ ନେଇ ଖାଉଟି ଏବେ ମୁଣ୍ଡରେ ହାତ ଦେଇଛନ୍ତି ।
ତେବେ ଏହି ଦରବୃଦ୍ଧି ସମସ୍ୟା ସବୁଠାରୁ ଅଧିକ ପାକିସ୍ତାନରେ ଦେଖିବାକୁ ମିଳିଛି । ଗଣ୍ଡେ ଖାଇବା ପାଇଁ ପ୍ରତିଦିନ ସଂଘର୍ଷ କରୁଛନ୍ତି ଦେଶବାସୀ । ପନିପରିବା ଦର ଆକାଶଛୁଆଁ ହୋଇଥିବା ବେଳେ ମଧ୍ୟବିତ୍ତ ତଥା ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଏହା ସ୍ୱପ୍ନ ପାଲଟି ଯାଇଛି । ତେବେ ପାକିସ୍ତାନର ଗ୍ରସରୀ ଆପରେ ଦେଖାଯାଉଛି ଯେ, ଲାହୋରରେ ପନିପରିବା ଦର ଲୋକଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି । ପାକିସ୍ତାନରେ ୧ କିଲୋ ଭେଣ୍ଡିର ମୂଲ୍ୟ ୪୬୦ ଟଙ୍କାରେ ବିକ୍ରି ହେଉଛି । ଋତୁ ଅନୁଯାୟୀ ଉତ୍ପାଦନ ହେଉଥିବା ପନିପରିବା ଦର ମଧ୍ୟ ଖୁବ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଆବଶ୍ୟକୀୟ ଜିନିଷଗୁଡ଼ିକର ମୂଲ୍ୟ ସାଧାରଣ ଲୋକଙ୍କ ସ୍ୱପ୍ନ ପାଲଟିଯାଇଛି ।
ଭେଣ୍ଡି କିଲୋ ପିଛା ୪୬୦ ଟଙ୍କା ହୋଇଥିବା ବେଳେ ପିଆଜ ଦର ୫୦ ଟଙ୍କାରେ ପହଞ୍ଚିଛି । ସେହିପରି ଗୋଟିଏ କେ.ଜି ଟମାଟୋ କିଣିବା ପାଇଁ ଗ୍ରାହକଙ୍କୁ ୧୪୫ଟଙ୍କା ଦେବାକୁ ପଡ଼ୁଛି । ଏହାବ୍ୟତୀତ ପାକିସ୍ତାନରେ ୧ କେ.ଜି କୋବି ପାଇଁ ୨୫୦ ଟଙ୍କା ଓ ୧ କିଲୋ ଗାଜର ପାଇଁ ୨୦୦ ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଛି । ଭାରତରେ ମଟର କିଲୋ ପିଛା ୩୦-୪୦ ଟଙ୍କା ରହିଛି, କିନ୍ତୁ ସେହି ମଟର ପାକିସ୍ତାନରେ କିଲୋ ପିଛା ୨୦୦ ଟଙ୍କା ମୂଲ୍ୟରେ ବିକ୍ରି କରୁଛନ୍ତି ବ୍ୟବସାୟୀ । ପାକିସ୍ତାନରେ ମଇଦା ମୂଲ୍ୟ ୮୮ ପ୍ରତିଶତ ବୃଦ୍ଧି ପାଇଛି। ଏଥିସହିତ ଚାଉଳ ୭୮ ପ୍ରତିଶତ ମହଙ୍ଗା ହୋଇଛି। ସେଠାରେ ଏକ କିଲୋଗ୍ରାମ ଚାଉଳ କିଣିବାକୁ ହେଲେ ଆପଣଙ୍କୁ ୧୬୦ ଟଙ୍କା ଏବଂ ଚୋ ଚାଉଳ ପାଇଁ ଆପଣଙ୍କୁ ୧୪୬ ଟଙ୍କା ଦେବାକୁ ପଡିବ ଜ୍ଝ