fbpx
BSKY
BJD MC SKY
BJD YOUTH SKY

ପ୍ରଥମେ ୭୮ରେ ଅଲଆଉଟ୍ ଏବଂ ପୁଣି ୬୩ ରନରେ ଭାରତ ହରାଇଲା ୮ ୱିକେଟ୍, ଏହି ପରାଜୟ ପାଇଁ ଦାୟୀ କିଏ ?

ଲିଡ୍ସ : ଲର୍ଡ୍ସ ଟେଷ୍ଟରେ ଐତିହାସିକ ବିଜୟ ପରେ ଉତଫୁଲ୍ଲିତ ହୋଇ ଉଠିଥିଲା ଭାରତୀୟ ଦଳ । ଖୁସିର ସୀମା ରହୁନଥିଲା । ଚାରିଆଡୁ ଛୁଟୁଥିଲା ଖାଲି ପ୍ରଶଂସା ଓ ଶୁଭେଚ୍ଛାରୁ ସୂଅ । ଦଳର ଗୁଣଗାନ ସର୍ବତ୍ର ଚାଲିଥିଲା । ଏପରିକି ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର ଏହା ମଧ୍ୟ କହି ଦେଇଥିଲେ ଯେ, ଇଂଲଣ୍ଡ ଦଳ ଟେଷ୍ଟ ସିରିଜରେ ପ୍ରତ୍ୟାବର୍ତ୍ତନ କରିବା ମୁସ୍କିଲ । ମାତ୍ର ଜୋ ରୁଟଙ୍କ ଦଳ ହେଣ୍ଡିଗ୍ଲେ ଟେଷ୍ଟରେ ଏମିତି ପ୍ରତ୍ୟାବର୍ତ୍ତନ କରିଛି, ଯାହା ଦେଖି ସମସ୍ତେ ତାଜୁବ । ଇଂଲଣ୍ଡ ତୃତୀୟ ଟେଷ୍ଟରେ ଭାରତକୁ ଇନିଂସ ଓ ୭୬ ରନରେ ପରାସ୍ତ କରିଛି । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଏବେ ୧-୧ରେ ବରାବର ରହିଛି । ଯେଉଁ ବ୍ୟାଟିଂ ଅର୍ଡରକୁ ନେଇ ବିରାଟ କୋହଲି ସର୍ବଦା ଦମ୍ଭୋକ୍ତି ଦେଖାଇ ଆସିଛନ୍ତି, ସେହି ବ୍ୟାଟିଂ କ୍ରମ ଇଂଲଣ୍ଡର ବୋଲିଂ ଆକ୍ରମଣ ଆଗରେ ତାସ୍ ପତା ପରି ଭୁଶୁଡି ପଡିଛନ୍ତି । କେବଳ ପ୍ରଥମ ଇନିଂସରେ ନୁହେଁ ଦ୍ୱିତୀୟ ଇନିଂସରେ ଦଳ ଏମିତି ଦୟନୀୟ ବ୍ୟାଟିଂ କରିଛି ଯାହା କେହି କେବେ ସ୍ୱପ୍ନରେ ଭାବିନଥିଲା । ଏବେ ଏହାର କାରଣ ଖୋଜା ଚାଲିଛି ଯେ, ଦଳର ଏମିତି ପ୍ରଦର୍ଶନ ପାଇଁ ଦାୟୀ କିଏ ?

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ବିରାଟ କୋହଲିଙ୍କ ଏହି ନିଷ୍ପତ୍ତି ଭାରତୀୟ ଦଳ ପାଇଁ ଘାତକ ସାଜିଛି । ଇଂଲଣ୍ଡର ଦ୍ରୁତ ବୋଲିଂ ଆକ୍ରମଣ ଆଗରେ ତିଷ୍ଠି ପାରିନଥିଲେ ଭାରତୀୟ ବ୍ୟାଟସମ୍ୟାନ । ସ୍ଥିତି ଏମିତି ଥିଲା ଯେ, ଦଳର ୯ ବ୍ୟାଟସମ୍ୟାନ ଦୁଇ ଅଙ୍କ ମଧ୍ୟ ଛୁଇଁ ପାରିନଥିଲେ ଏବଂ ଦଳ ୭୮ ରନରେ ଅଲଆଉଟ୍ ହୋଇଥିଲା । ଦ୍ୱିତୀୟ ଇନିଂସରେ ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରା ଭଲ ଭାଗିଦାରୀ କରିଥିଲେ । ପୁଣି ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟରୁ ସିରିଜର ପ୍ରଥମ ଅର୍ଦ୍ଧଶତକ ଆସିଥିଲା । ତୃତୀୟ ଦିନର ବ୍ୟାଟିଂକୁ ଦେଖିଲେ ଲାଗୁଥିଲା ଯେ, ଚତୁର୍ଥ ଦିନର ଖେଳ ରୋମାଞ୍ଚକର ରହିବ ଏବଂ କୋହଲି ସେନା କୋଲକାତା ବିଜୟକୁ ଲିଡ୍ସରେ ଦୋହରାଇବ ।

ହେଲେ ଚତୁର୍ଥ ଦିନ ସଂପୂର୍ଣ୍ଣ ଓଲଟା ଚିତ୍ର ଦେଖିବାକୁ ମିଳିଲା । ପ୍ରଥମ ସେସନରେ ହିଁ ଭାରତୀୟ ବ୍ୟାଟିଂ ଲାଇନ୍ ଅପ ଇଂଲଣ୍ଡ ବୋଲିଂ ଆକ୍ରମଣ ଆଗରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଗଲା । ଲାଗୁଥିଲା ଯେମିତି ଭାରତୀୟ ବ୍ୟାଟସମ୍ୟାନ ହାଜିରା ଦେବାକୁ କ୍ରିଜକୁ ଆସୁଛନ୍ତି । ଗୋଟିଏ ଘଣ୍ଟା ମଧ୍ୟ ଦଳ ତିଷ୍ଠି ପାରିନଥିଲା । ଆଶା କରାଯାଉଥିଲା ଚେତେଶ୍ୱର ପୂଜାରା ଶତକ ପୂରଣ କରିବେ ଏବଂ କୋହଲିଙ୍କ ସହ ମିଶି ଦଳର ଇନିଂସକୁ ଆଗକୁ ବଢାଇବେ । ହେଲେ ସବୁ ଫସର ଫାଟିଥିଲା । ଚେତେଶ୍ୱର ପୂଜାରା ଆଉଟ୍ ହେବା ମାତ୍ରେ ଭାରତ ପ୍ରଥମ ଇନିଂସ ପରି ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ଏକଦା ୨୧୫/୨ରେ ଥିବା ଭାରତ ଶେଷ ୮ ୱିକେଟ୍ କେବଳ ୬୩ ରନରେ ହରାଇ ୨୭୮ରେ ସୀମିତ ରହିଗଲା । ଦଳ ଇନିଂସ ଓ ୭୬ ରନରେ ପରାଜିତ ହେଲା ।

ଚତୁର୍ଥ ଦିନରେ ନା କୋହଲି ନା ଚେତେଶ୍ୱର ପୂଜାରାଙ୍କ ବ୍ୟାଟ୍ ଚାଲିଲା । ଆଜିଙ୍କ୍ୟ ରାହାଣେ ନିଜର ଖରାପ ଫର୍ମ ଜାରି ରଖି ଦଳରେ ନିଜର ସ୍ଥାନ ବଜାୟ ରଖିବାର ସୁବର୍ଣ୍ଣ ସୁଯୋଗ ହରାଇଲେ । ପନ୍ତ ବେପରୁଆ ଖେଳି ଆଉଟ୍ ହେଲେ । ଗତ କିଛି ସମୟ ହେବ ଭାରତୀୟ ବ୍ୟାଟିଂ ଅର୍ଡରର ଅବସ୍ଥା ଏମିତି ରହିଛି । ଏମିତିରେ ବଡ ପ୍ରଶ୍ନ ଉଠୁଛି ଯେ, କଣ ଭାରତୀୟ ବ୍ୟାଟିଂ କ୍ରମରେ ବଡ ପରିବର୍ତ୍ତନ କରିବାର ସମୟ ଆସିଛି ? କଣ ଅଧିନାୟକ ବିରାଟ କୋହଲିଙ୍କୁ ବେଞ୍ଚରେ ବସିଥିବା ଖେଳାଳିଙ୍କୁ ପରଖିବା ଉଚିତ୍ । ଯଦି ସିରିଜକୁ ବଞ୍ଚାଇବାର ଅଛି ଏବଂ ୨୦୦୭ ପରେ ଇଂଲଣ୍ଡକୁ ତାରି ମାଟିରେ ମାତ୍ ଦେବାର ଅଛି ତାହା ହେଲେ କୋହଲିଙ୍କୁ ଚତୁର୍ଥ ଟେଷ୍ଟରେ କିଛି ମୁସ୍କିଲ ନିଷ୍ପତ୍ତି ନେବାକୁ ପଡିବ ।

Get real time updates directly on you device, subscribe now.