fbpx

ଲର୍ଡ୍ସରେ ଭାରତୀୟ ଦଳ ଉପରେ ଭାରି ନପଡୁ ବିରାଟ କୋହଲିଙ୍କ ଏହି ନିଷ୍ପତ୍ତି, ପ୍ରଥମ ଇନିଂସରେ ଖୋଲିଲା ପୋଲ୍

AAKASH

ନୂଆଦିଲ୍ଲୀ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଦ୍ୱିତୀୟ ଟେଷ୍ଟ ଖେଳାଯାଉଛି । ଖେଳର ଦ୍ୱିତୀୟ ଦିନରେ ଜେମ୍ସ ଆଣ୍ଡରସନଙ୍କ ଘାତକ ବୋଲିଂ ଦମରେ ଇଂଲଣ୍ଡ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିଛି । ଏହା ପରେ ଅଧିନାୟକ ଜୋ ରୁଟ ଓ ରରି ବନର୍ସଙ୍କ ଇନିଂସ ବଳରେ ଘରୋଇ ଇଂଲଣ୍ଡ ନିଜର ସ୍ଥିତି ଦୃଢ କରି ପାରିଛି । ଟେଷ୍ଟର ଦ୍ୱିତୀୟ ଦିନରେ ଭାରତ ମାତ୍ର ୮୮ ରନ ଯୋଡି ଶେଷ ୭ ୱିକେଟ୍ ହରାଇଛି । ସ୍ଥିତି ଏମିତି ଥିଲା ଯେ, ଭାରତର ଶେଷ ଚାରି ବ୍ୟାଟସମ୍ୟାନ ମିଶିକି ମାତ୍ର ୮ ରନ ଯୋଡି ପାରିଛନ୍ତି । ଏମିତିରେ ଏବେ ପ୍ରଶ୍ନ ଉଠୁଛି ଯେ, କଣ ଶାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଅଣଦେଖା କରି ଇଶାନ୍ତ ଶର୍ମାଙ୍କୁ ଖେଳାଇବା ନିଷ୍ପତ୍ତି ଠିକ୍ ଥିଲା ।

ବିରାଟ ଟସ୍ ସମୟରେ କହିଥିଲେ ଯେ, ଅଶ୍ୱିନ ମ୍ୟାଚ୍ ପୂର୍ବରୁ ଚୟନ କରାଯାଇଥିବା ୧୨ ଜଣିଆ ଦଳରେ ସାମିଲ ଥିଲେ । ହେଲେ ପରିବେଶ ଓ ପିଚକୁ ଦେଖି ଇଶାନ୍ତ ଶର୍ମାଙ୍କୁ ଖେଳାଇବାକୁ ନିର୍ଣ୍ଣୟ ନିଆଯାଇଥିଲା । କୋହଲିଙ୍କ ଏହି ନିଷ୍ପତ୍ତି ଭାରତୀୟ ଦ୍ରୁତ ବୋଲର ୟୁନିଟକୁ ମଜବୁତ ପ୍ରଦାନ କରିଥିଲା । ହେଲେ ଭାରତୀୟ ଦଳର ବ୍ୟାଟିଂ ଅର୍ଡରରେ ସେହି ଗଭୀରତା ନଜର ଆସିନାହିଁ । ପୁଣି ଶାର୍ଦ୍ଦୁଳ ଠାକୁର ଓ ଅଶ୍ୱିନଙ୍କ ପରି ଅଲରାଉଣ୍ଡରଙ୍କ ଅନୁପସ୍ଥିତି ଭାରତୀୟ ଦଳରେ ଅନୁଭୂତ ହୋଇଛି । ଶାର୍ଦ୍ଦୁଳଙ୍କ ସ୍ଥାନରେ ସାମିଲ୍ କରାଯାଇଥିବା ଇଶାନ୍ତ ଶର୍ମା ପ୍ରଥମ ଇନିଂସରେ ମାତ୍ର ୮ ରନ କରି ଆଉଟ୍ ହୋଇଥିବା ବେଳେ ମହମ୍ମଦ ଶାମି ଓ ବୁମରା ଖାତା ଖୋଲି ପାରିନଥିଲେ । ଭାରତର ନିମ୍ନ କ୍ରମ ବ୍ୟାଟସମ୍ୟାନ ହିଁ ଭାରତ ପାଇଁ ସବୁଠୁ ବଡ ଦୁର୍ବଳତା ରହି ଆସିଛି । ନିମ୍ନ କ୍ରମରେ ଜଣେ ବି ଅଲରାଉଣ୍ଡର ନରହିବା ଦଳ ପାଇଁ ଲର୍ଡ୍ସ ଟେଷ୍ଟର ଦ୍ୱିତୀୟ ଇନିଂସରେ ବଡ ସମସ୍ୟା ସୃଷ୍ଟି କରିପାରେ ।

ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ ଘାତକ ବୋଲିଂ କରି ପାଞ୍ଚ ୱିକେଟ୍ ଦଖଲ କରିଛନ୍ତି । ଭାରତର ୩୬୪ ରନ ଜବାବରେ ଇଂଲଣ୍ଡ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୧୧୯ ରନ କରିଛି । ଅଧିନାୟକ ଜୋ ରୁଟ୍ ୪୮ ରନ କରି ଅପରାଜିତ ଅଛନ୍ତି । ରରି ବନର୍ସ ୪୯ ରନର ଇନିଂସ ଖେଳି ପାଭିଲିୟନ ଫେରିଛନ୍ତି । ଭାରତ ପକ୍ଷରୁ ମହମ୍ମଦ ସିରାଜ ଦୁଇଟି ୱିକେଟ୍ ନେଇଥିବା ବେଳେ ଇଶାନ୍ତ ଶର୍ମାଙ୍କୁ ଗୋଟିଏ ସଫଳତା ମିଳିଛି ।

Get real time updates directly on you device, subscribe now.