fbpx

IND vs SL; ୩୫୮ ରନର ଲକ୍ଷ୍ୟ ଦେଲା ଟିମ ଇଣ୍ଡିଆ: ସେମି ଫାଇନାଲରୁ ବାଦ୍ ପଡ଼ିବ କି ଶ୍ରୀଲଙ୍କା?

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଭାରତ ପୁଣିଥରେ ଦମଦାର ବ୍ୟାଟିଂର ପ୍ରଦର୍ଶନ ଦେଖାଇଛି । ଶୁଭମନ ଗିଲ, ବିରାଟ କୋହଲି ଏବଂ ଶ୍ରେୟସ ଆୟରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହିତ ରବିନ୍ଦ୍ର ଜାଡେଜାଙ୍କ ଇନିଂସ ଶ୍ରୀଲଙ୍କାକୁ ବଡ଼ ଟାର୍ଗେଟ ଦେଇଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କାକୁ ୩୫୮ ରନର ଏକ ବିରାଟ ଲକ୍ଷ୍ୟ ଦେଇଛି ଭାରତ । ତେବେ ମ୍ୟାଚରେ ବିଜୟଲାଭ କରି ଭାରତ ଲଗାତାର ସପ୍ତମ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ପହଞ୍ଚିବା ପାଇଁ ଚେଷ୍ଟା କରୁଥିବା ବେଳେ ଶ୍ରୀଲଙ୍କା ସେମି ଫାଇନାଲ ଆଶା ବଜାୟ ରଖିବାକୁ ଚେଷ୍ଟା କରିବ ।

ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଇନିଂସ ଆରମ୍ଭରୁ ଅଧିନାୟକ ରୋହିତ ଶର୍ମାଙ୍କୁ ହରାଇଥିଲା ଟିମ ଇଣ୍ଡିଆ । କିନ୍ତୁ ଏହାପରେ ଷ୍ଟାର ଓପନର ଶୁଭମନ ଗିଲ ଏବଂ ବିରାଟ କୋହଲି ଭାରତୀୟ ଦଳକୁ ସମ୍ଭାଳି ଥିଲେ । ଉଭୟଙ୍କ ମଧ୍ୟରେ ୧୮୮ ରନର ପାର୍ଟନରସିପ ହୋଇଥିବା ବେଳେ ଶୁଭମନ ୯୨ ରନ କରି ଆଉଟ ହୋଇଥିଲେ । ତେବେ ପ୍ରଥମ ଥର ପାଇଁ ସେ ୯୦-୧୦୦ ସ୍କୋର ମଧ୍ୟରେ ଆଉଟ ହେବା ସହ ପ୍ରଥମ ବିଶ୍ୱକପ ଶତକରୁ ମଧ୍ୟ ବଞ୍ଚିତ ହୋଇଛନ୍ତି । ଏହି ଇନିଂସରେ ଶୁଭମନଙ୍କ ବ୍ୟାଟରୁ ୧୧ଟି ଚୌକା ଏବଂ ୨ଟି ଛକା ଦେଖିବାକୁ ମିଳିଛି । ଏହାପରେ କିଙ୍ଗ କୋହଲି ମଧ୍ୟ ୮୮ ରନରେ ନିଜ ୱିକେଟ ହରାଇଛନ୍ତି । ଏହାସହ ଚଳିତ ବିଶ୍ୱକପରେ ସେ ଚତୁର୍ଥ ଥର ପାଇଁ ୮୫-୧୦୦ ରନ୍ ମଧ୍ୟରେ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି । ସେହିପରି ମିଡିଲ ଅର୍ଡର ବ୍ୟାଟର ଶ୍ରେୟସ ଆୟର ମଧ୍ୟ ଏକ ବିସ୍ଫୋରକ ଇନିଂସ ଖେଳିଛନ୍ତି । ମାତ୍ର ୫୬ ବଲରୁ ୩ଟି ଚୌକା ଏବଂ ୬ଟି ଛକା ସହ ୮୨ ରନର ଏକ ଧୂଆଁଧାର ପାଳି ଖେଳି ଭାରତକୁ ବଡ଼ ଟାର୍ଗେଟ ଆଶା ବୃଦ୍ଧି କରାଇଥିଲେ ।

ଏହାପରେ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ୩୫(୨୪) ଭାରତ ପାଇଁ ଦମଦାର ଫିନିଶ କରିବା ପାଇଁ ଚେଷ୍ଟା କରିଛନ୍ତି । ଆଜିର ମ୍ୟାଚରେ କେ.ଏଲ ରାହୁଲ ଏବଂ ସୂର୍ଯ୍ୟକୁମାର ଯାଦବ ବଡ଼ ପାଳି ଖେଳିବାରେ ବିଫଳ ହୋଇଥିବା ବେଳେ ଭାରତ ୩୫୭ ରନ ସଂଗ୍ରହ କରିପାରିଛି । ତେବେ ଶ୍ରୀଲଙ୍କାକୁ ଏହି ମ୍ୟାଚ ବିଜୟ ପାଇଁ ୩୫୮ ରନର ଲକ୍ଷ୍ୟ ରହିଥିବା ବେଳେ ଏଥିରେ ପରାଜୟ ଦଳକୁ ସେମି ଫାଇନାଲ ଦୌଡ଼ରୁ ବାଦ୍ ପକାଇପାରେ ।

ଅନ୍ୟ ପକ୍ଷରେ ଦଳର ଷ୍ଟାର ବୋଲର ଦିଲସାନ ମଧୁଶଙ୍କା ୫ଟି ୱିକେଟ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି । ୧୦ ଓଭରରେ ୮୦ ରନ୍ ବ୍ୟୟ କରିଥିଲେ ମଧ୍ୟ ଭାରତର ଟପ୍ ଅର୍ଡରକୁ ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଛନ୍ତି ମଧୁଶଙ୍କା । ତାଙ୍କ ବ୍ୟତୀତ ଏକମାତ୍ର ବୋଲର ଭାବରେ ଦୁଷ୍ମନ୍ତା ଚମୀରା ଗୋଟିଏ ସଫଳତା ହାସଲ କରିଛନ୍ତି ।

Get real time updates directly on you device, subscribe now.