fbpx

ଆସନ୍ତା ୧୮ରୁ ଜିମ୍ବାୱେ ବିପକ୍ଷ ଦିନିକିଆ କ୍ରିକେଟ ସିରିଜ: ଭାରତୀୟ ଦଳର ନେତୃତ୍ୱ ନେବେ ରାହୁଲ, ଫିଟ୍‌ ହୋଇ ଦଳକୁ ଫେରିବେ ଦୀପକ ଚହର

ମୁମ୍ବାଇ: ଜିମ୍ବାୱେ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ଭାରତୀୟ ଦଳର ନେତୃତ୍ୱ ନେବେ କେ.ଏଲ୍‌.ରାହୁଲ । ଆଘାତ ଜନିତ କାରଣ ନେଇ ରାହୁଲ ବହୁଦିନ ଧରି ଭାରତୀୟ ଦଳ ଠାରୁ ଦୂରେଇ ରହିଥିବା ବେଳେ ଗୁରୁବାର ଦିନ ବିସିସିଆଇ ମେଡିକାଲ ଟିମ୍‌ ତାଙ୍କୁ ଫିଟ୍‌ ଘୋଷଣା କରିଛନ୍ତି । ତେଣୁ ସେ ଜିମ୍ବାୱେ ଗସ୍ତ ପାଇଁ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିବା ବେଳେ ଓପନର ଶିଖର ଧାୱନଙ୍କୁ ଭାରତୀୟ ଦଳର ଉପଅଧିନାୟକ ନିଯୁକ୍ତ କରାଯାଇଛି ।

କେ.ଏଲ୍‌. ରାହୁଲଙ୍କ ଖେଳିବା ନେଇ ନିଶ୍ଚିତ ହୋଇନଥିବାରୁ ଶିଖର ଧାୱନଙ୍କୁ ଜିମ୍ବାୱେ ଗସ୍ତ ପାଇଁ ଉପଅଧିନାୟକ ମନୋନୀତ କରାଯାଇଥିଲା । କାରଣ ଗତବର୍ଷ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ ଧାୱନ । ସେହିପରି ନିକଟରେ ଅନୁଷ୍ଠିତ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ମଧ୍ୟ ସେ ଭାରତୀୟ ଦଳର ନେତୃତ୍ୱ ନେଇ ବିଜୟ ହାସଲ କରିଥିଲେ । ତେଣୁ ଜିମ୍ବାୱେ ଗସ୍ତ ପାଇଁ ତାଙ୍କୁ ପୁଣି ଅଧିନାୟକ ନିଯୁକ୍ତ କରାଯାଇଥିଲା । ମାତ୍ର ରାହୁଲ ଦଳକୁ ଫେରିବା ପରେ ଧାୱନ ତାଙ୍କର ଡେପୁଟୀ ଭାବେ ମନୋନିତ ହୋଇଛନ୍ତି । ତେଣୁ ଭାରତୀୟ ଦଳରେ ରାହୁଲଙ୍କୁ ମିଶାଇ ୧୬ଜଣିଆ ଟିମ୍‌ ଜିମ୍ବାୱେ ଗସ୍ତ ପାଇଁ ଚୂଡ଼ାନ୍ତ କରାଯାଇଛି ।

ଜିମ୍ବାୱେ ବିରୁଦ୍ଧରେ ଭାରତ ୩ ଦିନିକିଆ ଖେଳିବା କାର୍ଯ୍ୟକ୍ରମ ରହିଛି । ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ସହିତ ରୋହିତ ଶର୍ମା, ଜଶପ୍ରୀତ ବୁମ୍‌ରାଙ୍କୁ ଜିମ୍ବାୱେ ବିପକ୍ଷ ସିରିଜ ପାଇଁ ବିଶ୍ରାମ ଦିଆଯାଇଥିବା ବେଳେ ଏହି ସୁଯୋଗରେ ରାହୁଲ ତ୍ରିପାଠୀ ଭାରତୀୟ ଦଳରେ ସାମିଲ ହୋଇଛନ୍ତି । ସେହିପରି ଗତ ଫେବୃଆରୀ ମାସରେ ଭାରତ ପାଇଁ ଶେଷ ମ୍ୟାଚ ଖେଳିଥିବା ପେସ୍‌ ବୋଲର ଦୀପକ ଚହର ଆଘାତଜନିତ ସମସ୍ୟାରୁ ମୁକୁଳିଥିବା ବେଳେ ଜିମ୍ବାୱେ ବିପକ୍ଷ ସିରିଜ ଖେଳିବା ପାଇଁ ସୁଯୋଗ ପାଇଛନ୍ତି ।

ଭାରତ ଓ ଜିମ୍ବାୱେ ମଧ୍ୟରେ ଆସନ୍ତା ୧୮ ତାରିଖରୁ ୩ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ । ଭାରତୀୟ ଦଳ- କେ.ଏଲ୍‌.ରାହୁଲ (ଅଧିନାୟକ), ଶିଖର ଧାୱନ (ଉପଅଧିନାୟକ) ଋତୁରାଜ ଗାଏକ୍ୱାଡ, ଶୁଭମନ ଗିଲ୍‌, ଦୀପକ ଚହର, ରାହୁଲ ତ୍ରିାଠୀ, ଇଶାନ କିଷାନ, ସଞ୍ଜୁ ସାମ୍‌ସନ (ୱିକେଟ୍‌ କିର), ସାର୍ଦ୍ଦୁଳ ଠାକୁର, କୁଳଦୀପ ଯାଦବ, ଅକ୍ଷର ପଟେଲ, ଅଭେସ ଖାନ୍‌, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ, ଦୀପକ ହୁଡ଼ା, ୱାସିଂଟନ ସୁନ୍ଦର ।

Get real time updates directly on you device, subscribe now.